କେବଳ ଆମ ଉପରେ ପ୍ରଶ୍ନ କାହିଁକି: ଶାସ୍ତ୍ରୀ

ବ୍ରିସବନ୍: ବିଶ୍ବ ଟେଷ୍ଟ୍‌ ମାନ୍ୟତାର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ବିଦେଶ ମାଟିରେ ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ ଯଥା ପୂର୍ବଂ ତଥା ପରଂ। ସମୟ ଅନୁସାରେ ଅଧିନାୟକ ବଦଳିଛନ୍ତି, ‌ଅନେକ ପ୍ରତିଭାବାନ ଖେଳାଳି ଦଳରେ ସାମିଲ ହୋଇଛନ୍ତି, ହେଲେ ବିଦେଶରେ ଭାରତର ପ୍ରଦର୍ଶନରେ ସେମିତି କିଛି ସକାରାତ୍ମକ ପରିବର୍ତନ ହୋଇନାହିଁ। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳକୁ ‘ଦୁର୍ବଳ ଯାତ୍ରୀ’ର ଅଲୋଡ଼ା ଉପାଧି ମିଳିସାରିଛି। ଏଭଳି ପରିସ୍ଥିତିରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ରବିବାର ଦେଇଥିବା ଏକ ମନ୍ତବ୍ୟ ଦଳକୁ ଅଡ଼ୁଆରେ ପକାଇଛି। ଶାସ୍ତ୍ରୀ କହିଛନ୍ତି, ଆଜିକାଲି ଅଧିକାଂଶ ଦଳ ବିଦେଶ ମାଟିରେ ଖରାପ ପ୍ରଦର୍ଶନ କରୁଛନ୍ତି। କେବଳ ଅମ ଉପରେ କାହିଁକି ପ୍ରଶ୍ନ ଉଠୁଛି? ଗତ ୫-୬ ବର୍ଷ ଭିତରେ କେଉଁ ଦଳ ବିଦେଶରେ ଭଲ କରିଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଦଳର ‘ଘରୋଇ ବାଘ’ ନାଁକୁ ବଦଳାଇବାର ଦମ୍ଭ ଦେଖାଇବା ପରିବର୍ତେ ଶାସ୍ତ୍ରୀ ଅନ୍ୟ ଦଳଗୁଡ଼ିକର ଉଦାହରଣ ଦେଇ ନିଜ ଖେଳାଳିଙ୍କୁ ବଞ୍ଚାଇବାର ପ୍ରୟାସ କରିଛନ୍ତି। ଶାସ୍ତ୍ରୀଙ୍କ ସଫେଇକୁ କିନ୍ତୁ କ୍ରିକେଟ୍ ପ୍ରେମୀ ନାପସନ୍ଦ କରିଛନ୍ତି। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଶୃଙ୍ଖଳା ଜିତିବାର ଯଥେଷ୍ଟ ସମ୍ଭବନା ଥିଲା ବେଳେ ଶାସ୍ତ୍ରୀଙ୍କ ଏଭଳି ଭାବନା ଅନେକଙ୍କୁ ବିସ୍ମିତ କରିଛି। ସୂଚନାଯୋଗ୍ୟ ଯେ ଭାରତ ଚଳିତବର୍ଷ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଗସ୍ତ କରି ସେଠାରେ ଶୃଙ୍ଖଳା ହାରିଛି। ଶୃଙ୍ଖଳା ପୂର୍ବରୁ କିନ୍ତୁ ଭାରତ ବିଜୟୀ ହେବାର ପ୍ରବଳ ଦାବିଦାର ଥିଲା। ହେଲେ ଅସଲ ପରୀକ୍ଷା ବେଳକୁ ସବୁକିଛି ଫୁସ୍ ହୋଇ ଯାଇଥିଲା।

ଅଷ୍ଟ୍ରେଲିଆରେ ଭାରତର ଶୃଙ୍ଖଳା ବିଜୟ ସମ୍ଭାବନା ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଶାସ୍ତ୍ରୀ କହିଥିଲେ, ୯୦ ଦଶକ ଏବଂ ଚଳିତ ଶତାବ୍ଦୀର ପ୍ରାରମ୍ଭରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବିଦେଶ ଯାଇ ଶୃଙ୍ଖଳା ଜିତୁଥିଲା। ଦକ୍ଷିଣ ଆଫ୍ରିକା ମଧ୍ୟ କିଛି ବର୍ଷ ପାଇଁ ଏହି କ୍ଷେତ୍ରରେ ସଫଳତା ପାଉଥିଲା। ଏହି ଦୁଇ ଦଳ ଛଡ଼ା ଗତ ୫ -୬ ବର୍ଷ ଭିତରେ ଅନ୍ୟ କୌଣସି ଦଳ ବିଦେଶ ଗସ୍ତରେ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ସେହିଭଳି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ତା’ ପୂର୍ବ ଚମକ ହରାଇଥିବା ଭାବନାକୁ‌ ଶାସ୍ତ୍ରୀ ଗ୍ରହଣ କରି ନାହାନ୍ତି। ଏହି ବିଷୟରେ ସେ କହିଛନ୍ତି ଯେ ମୋତେ ଏମିତି କିଛି ଲାଗୁନି। ଥରେ ଯେତେବେଳେ କୌଣସି ଦେଶରେ କ୍ରୀଡ଼ା ସଂସ୍କୃତି ସ୍ଥାପିତ ହୋଇଯାଏ ତାହା ବହୁଦିନ ପର୍ଯ୍ୟନ୍ତ ବଜାୟ ରହିଥାଏ। ଘରୋଇ ପରିବେଶରେ କୌଣସି ଦଳ ଦୁର୍ବଳ ନୁହେଁ। କୌଣସି ବିଦେଶୀ ଦଳ ଭାରତ ଆସିଲା ବେଳେ ତିନି ଚାରି ଜଣ ବରିଷ୍ଠ ଖେଳାଳି ଖେଳୁ ନଥିଲେ ମଧ୍ୟ ଆମକୁ ଦୁର୍ବଳ କୁହାଯାଇନପାରେ। ଆମେ କାହାକୁ ହାଲକାରେ ନେବୁନି। ଆମେ ଆମ ଖେଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛୁ।

ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଅନୁଭବ କରିବୁ
ଅଷ୍ଟ୍ରେଲିଆ ଗସ୍ତରେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନଯିବା ଭାରତୀୟ ଦଳ ପାଇଁ ଏକ ଶକ୍ତ ଧକ୍କା। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଏହା ସ୍ବୀକାର କରିଛନ୍ତି। ପୂରା ଗସ୍ତରେ ଆମେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ଅନୁଭବ କରିବୁ ବୋଲି ସେ ରବିବାର କହିଛନ୍ତି। ୨୧ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ପାଣ୍ଡ୍ୟାଙ୍କୁ ନେଇ ଥିବା ନିଜ ଭାବନାକୁ ବ୍ୟକ୍ତ କରିବାକୁ ଯାଇ ଶାସ୍ତ୍ରୀ କହିଛନ୍ତି, ପାଣ୍ଡ୍ୟା ଥି‌ଲେ ଦଳର ସନ୍ତୁଳନ ଠିକ୍ ରହିଥାଏ। ସେ ମଧ୍ୟ ଜଣେ ଅତିରିକ୍ତ ବୋଲରଙ୍କ ଅଭାବକୁ ଭରଣା କରି ଥାଆନ୍ତି। ସୂଚନାଯୋଗ୍ୟ ଯେ ପାଣ୍ଡ୍ୟା ୟୁଏଇରେ ଖେଳା ଯାଇଥିବା ଏସିଆ କପ୍ ଅବସରରେ ଆହତ ହେବା ପରେ ଚୟନକର୍ତା ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ‌ଦେବାକୁ ବାଧ୍ୟ ହୋଇଥିଲେ। ଅଷ୍ଟ୍ରେଲିଆ ଶୃଙ୍ଖଳା ଉପରେ ମତ ରଖିବାକୁ ଯାଇ ଶାସ୍ତ୍ରୀ କହିଥିଲେ, ଆମକୁ ନିଜ ଭୁଲରୁ ଶିକ୍ଷା ଲାଭ କରିବାକୁ ହେବ। ଭାରତୀୟ ଦ୍ରୁତ ବୋଲର ଚଳିତ ଥର ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବେ ବ‌ୋଲି ସେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର