ପଞ୍ଚମ ଟେଷ୍ଟ୍‌ରେ ସ’ କରିପାରନ୍ତି ପଦାର୍ପଣ:ରାହୁଲ, ଅଶ୍ୱିନଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା

ସାଉଥମ୍ପଟନ୍‌: ସାଉଥମ୍ପଟନ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ପୃଥ୍ଵୀ ସ’ ଟେଷ୍ଟ୍‌ ପଦାର୍ପଣ କରିପାରନ୍ତି। ଭାରତକୁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ କରାଇଥିବା ସ’ ପ୍ରଥମ ଚାରି ଟେଷ୍ଟ୍‌ରେ ସଂପୂର୍ଣ୍ଣ ବିଫଳ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲଙ୍କ ସ୍ଥାନ ନେଇପାରନ୍ତି। ରାହୁଲ ସ୍ଲିପ୍‌ରେ ଭଲ କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ଭିତରକୁ ଆସୁଥିବା ବଲ୍‌କୁ ଖେଳିବାରେ ପୂରା ଅସମର୍ଥ ହୋଇଛନ୍ତି। ଚୟନକର୍ତାମାନେ ସେଥିପାଇଁ ତାଙ୍କ ଉପରେ ତୀବ୍ର ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

୧୮ ବର୍ଷୀୟ ସ’ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ସାରିଛନ୍ତି। ସେବେଠାରୁ ତାଙ୍କୁ ନିୟମିତ ଭାବେ ନେଟ୍ସ କରୁଥିବାର ଦେଖିବାକୁ ମିଳିଛି। ମୁମ୍ବାଇର ଏହି ପ୍ରତିଭାବାନ ଉଦୀୟମାନ ତାରକା ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୭ ଶତକ ଓ ୫ ଅର୍ଧଶତକ ସହ ୧୪୧୮ ରନ୍‌ କରିଛନ୍ତି। ରାହୁଲଙ୍କ ସହ ପଞ୍ଚମ ଟେଷ୍ଟ୍‌ରୁ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କ ବାଦ୍‌ ପଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଖରାପ ପ୍ରଦର୍ଶନ ସହ ଶତ ପ୍ରତିଶତ ସୁସ୍ଥ ନଥିବାରୁ ସେ ଚୂଡ଼ାନ୍ତ ଦଳରେ ସ୍ଥାନ ନପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅଶ୍ୱିନ ବାଦ୍‌ ପଡ଼ିଲେ ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସୁଯୋଗ ପାଇପାରନ୍ତି।

ସମ୍ବନ୍ଧିତ ଖବର