ଦ୍ୱିତୀୟ ଦିନ ସୁଦ୍ଧା ୯ ସ୍ୱର୍ଣ୍ଣ ସହ ୨୬ ପଦକ

ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶାର ସଫଳତା

ସମ୍ବଲପୁର: ଚଣ୍ଡିଗଡ଼ର ମୋହାଲିରେ ମଙ୍ଗଳବାର ଆରମ୍ଭ ହୋଇଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ଦିନ ସୁଦ୍ଧା ୨୬ ପଦକ ଜିତି ନେଇଛନ୍ତି। ତନ୍ମଧ୍ୟରୁ ସନ୍ତରଣରେ ୩ ସ୍ୱର୍ଣ୍ଣ ସହ ୧୪ ପଦକ ମିଳିଥିଲା ବେଳେ ଦୌଡ଼କୁଦରେ ମିଳିଛି ୬ ସ୍ୱର୍ଣ୍ଣ ସହ ୧୨ ପଦକ। ମୋଟ ଉପରେ ସେଥିରେ ୯ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୯ କାଂସ୍ୟ ପଦକ ସାମିଲ ରହିଛି। ଦୌଡ଼କୁଦର ୭୦ ବର୍ଷରୁ ଅଧିକ ପୁରୁଷ ବର୍ଗରେ ବୃନ୍ଦାବନ ସାହୁ ଉଚ୍ଚଡିଆଁ ଓ ଟ୍ରିପଲ୍‌ ଜମ୍ପ୍‌ରେ ସ୍ୱର୍ଣ୍ଣ ତଥା ଲମ୍ବଡିଆଁରେ ରୌପ୍ୟ ପଦକ ପାଇଛନ୍ତି। ୪୦ ବର୍ଷରୁ ଅଧିକ ମହିଳାରେ ରେଖା ଦେ’ ଟ୍ରିପଲ ଜମ୍ପ୍‌ରେ ସ୍ୱର୍ଣ୍ଣ ଓ ଲମ୍ବ ଡିଆଁରେ ରୌପ୍ୟ ପଦକ ପାଇଛନ୍ତି। ୪୫ ଓ ୬୦ ବର୍ଷରୁ ଅଧିକ ପୁରୁଷ ବର୍ଗର ୨୦୦ ମିଟର ଦୌଡ଼ରେ ଯଥାକ୍ରମେ ବିଏସ୍‌କେ ସାମଲ ଏବଂ ଅଶୋକ ବିଶ୍ୱାଳ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ୪୦ ବର୍ଷରୁ ଊର୍ଧ୍ୱ ମହିଳା ସଟ୍‌ପୁଟ୍‌ରେ ପାର୍ବତୀ ସେଠୀ ୧୨.୧୦ ମିଟର ଗୋଳା ଫିଙ୍ଗି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସେହିପରି ୩୦ ବର୍ଷ ଓ ୫୦ ବର୍ଷରୁ ଅଧିକ ମହିଳା ସଟ୍‌ପୁଟ୍‌ରେ ଯଥାକ୍ରମେ ସମ୍ବଲପୁରର ରଶ୍ମିତା ପୁରୋହିତ ଏବଂ ନମିତା ପଟେଲ ରୌପ୍ୟ ପଦକ ଜିତିଛନ୍ତି। ୪୦ ବର୍ଷରୁ ଊର୍ଧ୍ୱ ପୁରୁଷ ୧୦ ହଜାର ମିଟରରେ ପରିକ୍ଷିତ ପ୍ରଧାନ ଏବଂ ୬୦ ବର୍ଷରୁ ଅଧିକ ପୁରୁଷ ଜାଭେଲିନ୍‌ ଫିଙ୍ଗାରେ ଯୁଗଳ ପ୍ରସାଦ ସିଂହ କାଂସ୍ୟ ପଦକ ପାଇଛନ୍ତି। ଆନନ୍ଦ ଅଗ୍ରଓ୍ଵାଲ ଏବଂ ଯୁଗଳ ପ୍ରସାଦ ସିଂହ ଦୌଡ଼କୁଦ ଦଳର ପ୍ରବନ୍ଧକ ଓ ପ୍ରଶିକ୍ଷକ ଅଛନ୍ତି।

ସନ୍ତରଣ ଶୃଂଖଳାରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଅଜିତ ସାଙ୍ଗଓ୍ଵାନ ୧୦୦ ମିଟର ଫ୍ରିଷ୍ଟାଇଲ୍‌ ଓ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି। ୬୨ ବର୍ଷୀୟ ସୁନ୍ଦରମଣୀ ବାରିକ ୪୫ ବର୍ଷରୁ ଅଧିକ ବର୍ଗରେ ଭାଗ ନେଇ ୫୦ ମିଟର ଫ୍ରିଷ୍ଟାଇଲ୍‌ରେ କାଂସ୍ୟ ପଦକ ପାଇଛନ୍ତି। ବୌଦ୍ଧର ରବି ନାରାୟଣ ବେହେରା ଫ୍ରିଷ୍ଟାଇଲ ୧୦୦ ମିଟରରେ ସ୍ୱର୍ଣ୍ଣ ଓ ୨୦୦ ମିଟର୍‌ରେ ରୌପ୍ୟ ଜିତିଛନ୍ତି। ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଅନିଲ ବେରିହା ଏବଂ ୫୦ ମିଟର ବଟର୍‌ଫ୍ଲାଏରେ ମଧୁସୂଦନ ଜେନା କାଂସ୍ୟ ପଦକ ପାଇଛନ୍ତି। ୬୪ ବର୍ଷୀୟ ପ୍ରଦୀପ ପାଢ଼ୀ ୪୫ ବର୍ଗରୁ ଊର୍ଧ୍ୱ ପୁରୁଷ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ୫୦ ମିଟର୍‌ ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ ପଦକ ପାଇଛନ୍ତି। ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ଜଗଦୀଶ ପନଓ୍ଵାର ରୌପ୍ୟ ଜିତିଛନ୍ତି। ଭୁବନେଶ୍ୱରର ଅର୍ପିତା ମହାପାତ୍ର ୫୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ଓ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ କାଂସ୍ୟ ପଦକ ପାଇଛନ୍ତି। ବରଗଡ଼ର ଉପେନ୍ଦ୍ର ସାହୁ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ, ଭଦ୍ରକର ଶ୍ରୀକନ ସାହୁ ୧୦୦ ମିଟର ଫ୍ରିଷ୍ଟାଇଲରେ, ଢେଙ୍କାନାଳର ଅଭିମନ୍ୟୁ ବିଶ୍ୱାଳ ୨୦୦ ମିଟର ଫ୍ରିଷ୍ଟାଇଲରେ କାଂସ୍ୟ ପଦକ ଲାଭ କରିଛନ୍ତି। ପ୍ରଦୀପ ପାଢ଼ୀ ସନ୍ତରଣ ଦଳର ନେତୃତ୍ୱ ନେଉଛନ୍ତି। ଏହି କ୍ରୀଡ଼ାରେ ଦୌଡ଼କୁଦ, ସନ୍ତରଣ, ବ୍ୟାଡ୍‌ମିଣ୍ଟନ, ଫୁଟବଲ୍‌ ଓ ଭଲିବଲ ଖେଳ ହେଉଥିଲା ବେଳେ ଓଡ଼ିଶା କେବଳ ପ୍ରଥମ ଦୁଇଟି ଶୃଂଖଳାରେ ଭାଗ ନେଇଛି।

ସମ୍ବନ୍ଧିତ ଖବର