ଦ୍ବିତୀୟ ଦିନିକିଆ: ହୋପ୍‌ ଦେଲେ ୱେଷ୍ଟଇଣ୍ଡିଜ୍‌କୁ ବିଜୟ

ଢାକା: ଏଠାରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଏକା ସାଇ ହୋପ୍‌ ଲଢିଲେ। ବାଂଲାଦେଶ ବିପକ୍ଷରେ ସେ ଚିତାକର୍ଷକ ଶତକ ଜମାଇ ଅପରାଜିତ ରହିବା ସାଙ୍ଗକୁ ୱେଷ୍ଟଇଣ୍ଡିଜ୍‌ ଦଳକୁ ୪ ୱିକେଟ୍‌ର ମହତ୍ବପୂର୍ଣ୍ଣ ବିଜୟ ‌ଭେଟିଦେଲେ। ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସମାନ ସ୍ଥିତିକୁ ଆସିଯାଇଛି।
ମଙ୍ଗଳବାର ଟସ୍‌ ଜିତି ଇଣ୍ଡିଜ୍‌ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ତେବେ ତମିମ୍‌ ଇକ୍‌ବାଲ (୫୦), ମୁସ୍‌ଫିକର ରହିମ୍‌ (୬୨) ଓ ସାକିବ୍‌ ଅଲ୍‌ ହାସନ୍‌ (୬୫)ଙ୍କ ଅର୍ଧଶତକ ବଳରେ ଘରୋଇ ବାଂଲାଦେଶ ଦଳ ୭ ୱିକେଟ୍‌ ବିନିମୟରେ ୨୫୫ ରନ୍‌ କରିଥିଲା। ଇଣ୍ଡିଜ୍‌ର ସଫଳ ବୋଲର ଭାବେ ଓସାନେ ଥୋମାସ୍‌ ୩ ୱିକେଟ୍‌ ନେଇଥିଲେ। ଜବାବରେ ସାଇ ହୋପ୍‌ (୧୪୬ ରନ୍‌, ୧୪୪ ବଲ୍‌, ୧୨ ଚୌକା ଓ ୩ ଛକା)ଙ୍କ ଅପରାଜିତ ଶତକ ବଳରେ ଇଣ୍ଡିଜ୍‌ ଶେଷ ଓଭରର ଚତୁର୍ଥ ବଲ୍‌ରେ ବିଜୟୀ ହୋଇଥିଲା। ୧୮୫ ରନ୍‌ରେ ଷଷ୍ଠ ୱିକେଟ୍‌ର ପତନ ଘଟିଥିଲା ବେଳେ କିମୋ ପଲ୍‌ (୧୮*)ଙ୍କୁ ସାଥୀ କରି ହୋପ୍‌ ଅସମାପ୍ତ ସପ୍ତମ ୱିକେଟ୍‌ରେ ୬୪ ବଲ୍‌ରୁ ୭୧ ରନ୍ ଯୋଡ଼ି ଇଣ୍ଡିଜ୍‌କୁ ବିଜୟ ଭେଟି ଦେଇଥିଲେ। ମୁସ୍ତାଫିଜର ରହମନ୍‌ ଓ ରୁବେଲ୍‌ ହୁସେନ୍‌ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ହୋପ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର