ଦ୍ୱିତୀୟ ଯୁବ ଟେଷ୍ଟ୍‌: ଶାହାଙ୍କ ଦ୍ୱିଶତକ; ଭାରତର ବିଶାଳ ସ୍କୋର୍‌ 

ଜାଙ୍ଗ୍ରାଙ୍କ କମାଲ; ଶ୍ରୀଲଙ୍କା ୧୪୦/୪

ହମ୍ବାଣ୍ଟୋଟା: ଅଥରଓ୍ଵା ତାଇଡେଙ୍କ ଶତକ ଓ ନେହାଲ ଓ୍ଵାଧେରାଙ୍କ ଅର୍ଧଶତକ ସାଙ୍ଗକୁ ପବନ ଶାହାଙ୍କ ଦ୍ୱିଶତକୀୟ ପାଳି ବଳରେ ଭାରତ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଯୁବ ଟେଷ୍ଟରେ ବିଶାଳ ପ୍ରଥମ ପାଳି ସ୍କୋର୍‌ ଛିଡ଼ା କରିଛି। ତାଇଡେ (୧୭୭) ପ୍ରଥମ ଦିବସରେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲା ବେଳେ ସମାନ ୧୭୭ ରନ୍‌ରେ ଅପରାଜିତ ଥିବା ଶାହା ବୁଧବାର ଦ୍ୱିତୀୟ ଦିବସରେ ଦ୍ୱିଶତକ ପୂରଣ କରିନେଇଥିଲେ। ଶାହା ୩୩୨ ବଲ୍‌ ଖେଳି ୩୩ ଚୌକା ଓ ୧ ଛକା ସହାୟତାରେ ୨୮୨ ରନ୍‌ କରି ରନ୍‌ ଆଉଟ୍‌ ହୋଇଯାଇଥିଲେ। ତେବେ ମାତ୍ର ୧୮ ରନ୍‌ ପାଇଁ ସେ ତ୍ରିଶତକରୁ ବଞ୍ଚିତ ହୋଇ ଅଷ୍ଟମ ଓ୍ଵିକେଟ୍‌ ଭାବେ ପାଭିଲିୟନ୍‌ ଫେରିବା ସାଙ୍ଗେ ସାଙ୍ଗେ ଭାରତ ୬୧୩/୮ରେ ପାଳି ଘୋଷଣା କରିଦେଇଥିଲା। ହେଲେ ସେ ଆଉଟ୍‌ ହେବା ପୂର୍ବରୁ ପଞ୍ଚମ ଓ୍ଵିକେଟ୍‌ରେ ଓ୍ଵାଧେରା (୬୪)ଙ୍କ ସହ ୧୬୦ ରନ୍‌ ଯୋଡ଼ି ଦଳକୁ ଦୃଢ଼ ସ୍ଥିତି ଦେଇଥିଲେ। ଏହି ପାଳିରେ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ୧୪ ରନ୍‌ (୧୮ ବଲ୍‌, ୨ ଚୌକା)ରେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ତେବେ ପ୍ରଥମ ପାଳିରେ ଭାରତ ହରାଇଥିବା ୮ ଓ୍ଵିକେଟ୍‌ରୁ ୪ ରନ୍‌ ଆଉଟ୍‌ ଥିଲା। ଭାରତ ମୋଟ ୧୨୮.୫ ଓଭର ଖେଳି ୬୧୩/୮ରେ ପାଳି ଘୋଷଣା କରିଥିଲା। ଜବାବରେ ଘରୋଇ ଶ୍ରୀଲଙ୍କା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମୋହିତ ଜାଙ୍ଗ୍ରାଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ଶ୍ରୀଲଙ୍କା ୩୪ ରନ୍‌ରେ ୩ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଜାଙ୍ଗ୍ରା ୧୧ ଓଭରରେ ୪୩ ରନ୍‌ ଦେଇ ୩ ଓ୍ଵିକେଟ୍‌ ଝଡ଼ାଇଥିଲେ। ଏହାପରେ ସ୍ପିନର ସିଦ୍ଧାର୍ଥ ଦେଶାଇ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିବାରୁ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ସିଂହଳୀ ଦଳ ତା’ର ପ୍ରଥମ ପାଳିରେ ୪ ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ କରିଛି। ସୋରିୟା ବନ୍ଦରା ୫୧ ଓ ଦିନୁଷା ୨୪ ରନ୍‌ରେ ଅପରାଜିତ ରହିବା ସାଙ୍ଗକୁ ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ରେ ୪୯ ରନ୍‌ ଯୋଡ଼ିଛନ୍ତି। ତଥାପି ହାତରେ ୬ ଓ୍ଵିକେଟ୍‌ ଥାଇ ଶ୍ରୀଲଙ୍କା ୪୭୩ ରନ୍‌ରେ ପାଳି ପଛୁଆ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୧୨୮.୫ ଓଭରରେ ୬୧୩/୮ ଘୋଷିତ (ଅଥରଓ୍ଵା ତାଇଡେ-୧୭୭, ପବନ ଶାହା-୨୮୨*, ନେହାଲ୍‌ ଓ୍ଵାଧେରା-୬୪, ଆର୍ଯ୍ୟନ୍‌ ଜୁୟଲ୍‌-୪୧, ସେନାରତ୍ନେ-୧/୧୭୭, ବିୟସକାନ୍ତ-୧/୯୪, ପେରେରା-୧/୧୩୫, ମାଲିଙ୍ଗା-୧/୯୨)। ଶ୍ରୀଲଙ୍କା ପ୍ରଥମ ପାଳି ୪୯ ଓଭରରେ ୧୪୦/୪ (କାମିଲ ମିଶ୍ର-୪୪, ପାସିନ୍ଦୁ ସୋରିୟାବନ୍ଦରା-୫୧*, ସୋନାଲ ଦିନୁଷା-୨୪*, ମୋହିତ ଜାଙ୍ଗ୍ରା-୩/୪୩, ସିଦ୍ଧାର୍ଥ ଦେଶାଇ-୧/୨୦)।

ପବନ ପରାକ୍ରମ: ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାରେ ପ୍ରଥମ ଭାରତୀୟ; ବିଶ୍ୱର ଦ୍ୱିତୀୟ

ହମ୍ବାଣ୍ଟୋଟା: ଦ୍ୱିଶତକୀୟ ପାଳି ବଳରେ ପବନ ଶାହା (୨୮୨) ୧୯ ବର୍ଷରୁ କମ୍‌ ଆନ୍ତର୍ଜାତିକ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାରେ ପ୍ରଥମ ଭାରତୀୟ କୀର୍ତିମାନ ପ୍ରତିଷ୍ଠା କରିଥିଲା ବେଳେ ବିଶ୍ୱର ଦ୍ୱିତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଏହି ୧୮ ବର୍ଷ ବୟସ୍କ ଡାହାଣହାତୀ ପୁନେ ବ୍ୟାଟ୍‌ସମ୍ୟାନ୍‌ ଅଳ୍ପକେ ତ୍ରିଶତକରୁ ବଞ୍ଚିତ ହୋଇଥିଲେ। ଫଳରେ ସେ ଅଷ୍ଟ୍ରେଲିଆର କ୍ଲିଣ୍ଟନ୍‌ ପିକେ (ଅପରାଜିତ ୩୦୪, ୧୯୯୫ରେ ଭାରତ ବିପକ୍ଷ ମେଲ୍‌ବର୍ନ ମ୍ୟାଚ୍‌)ଙ୍କ ବିଶ୍ୱ କୀର୍ତିମାନ ଭାଙ୍ଗିବାରୁ ବଞ୍ଚିତ ହୋଇଥିଲେ। ପୁଣି ଶାହା ମଧ୍ୟ ତାଙ୍କ ସ୍ମରଣୀୟ ପାଳି ମଧ୍ୟରେ ୩୬ ବର୍ଷ ତଳର ଏକ କୀର୍ତିମାନର ସମକକ୍ଷ ହୋଇଥିଲେ। ଶାହା ଗୋଟିଏ ଓଭରରେ ୬ ବଲ୍‌ରୁ ୬ ଚୌକା ମାରିଥିଲେ। ଶ୍ରୀଲଙ୍କାର ବାମହାତୀ ଦ୍ରୁତ ବୋଲର ବିଚିତ୍ର ପେରେରା ବୋଲିଂ କରିଥିବା ୧୦୮ତମ ଓଭରରରେ ସମସ୍ତ ୬ ବଲ୍‌କୁ ବାଉଣ୍ଡାରି ପଠାଇଥିଲେ। ପ୍ରଥମ ବାଊଣ୍ଡାରି ମାରି ଶାହା ମଧ୍ୟ ନିଜର ଦ୍ୱିଶତକ ପୂରଣ କରିଥିଲେ। ଶେଷ ଥର ପାଇଁ ୧୯୮୨ ମସିହା ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ମ୍ୟାଚ୍‌ରେ ଦ୍ରୁତ ବୋଲର ବବ୍‌ ଓ୍ଵିଲ୍‌ସଙ୍କ ଗୋଟିଏ ଓଭରରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସନ୍ଦୀପ ପାଟିଲ ୬ ଚୌକା ମାରିଥିଲେ। ଅବଶ୍ୟ ଓ୍ଵିଲ୍‌ସ ସେହି ଓଭରରେ ୭ (ଗୋଟିଏ ନୋ) ବଲ୍‌ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର