ଆଜିଠାରୁ ଦ୍ବିତୀୟ ଟେଷ୍ଟ, ପର୍ଥ ପରୀକ୍ଷା

ପର୍ଥ: ଆଡିଲେଡ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ପର୍ଥ ପରୀକ୍ଷା ଅପେକ୍ଷା କରି ରହିଛି। ନବନିର୍ମିତ ପର୍ଥ ଷ୍ଟା‌ଡିୟମରେ ଶୁକ୍ରବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ପାଖରେ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବାର ସୁଯୋଗ ରହିବ। ଅନ୍ୟପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଚାରି ଟିକିଆ ଶୃଙ୍ଖଳାରେ ସ୍ଥିତି ୧-୧ କରିବାକୁ ଆପ୍ରାଣ ଉଦ୍ୟମ କରିବ। ହେଲେ ପର୍ଥର ଚର୍ଚିତ ୱାକା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ନାହିଁ। ୪୭ ବର୍ଷର ଟେଷ୍ଟ୍‌ ଅଭିଜ୍ଞତା ପରେ ଚର୍ଚିତ ୱାକା ଷ୍ଟାଡିୟମଠାରୁ କିଛି ଦୂରରେ ପଶ୍ଚିମ ଅଷ୍ଟ୍ରେଲିଆ କ୍ରିକେଟ୍ ସଂଘ ଆଉ ଏକ ଷ୍ଟାଡିୟମ୍ ନିର୍ମାଣ କରିଛି। ଆଉ ଏହି ଷ୍ଟାଡିୟମରେ ହିଁ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ସେଥିପାଇଁ ଉଭୟ ଦଳ ଏଠାରେ ଖେଳିବାର ନୂଆ ଅଭିଜ୍ଞତା ପାଇବେ। ସ୍ବାନ୍ ନଦୀର ଅପରପାର୍ଶ୍ବରେ ନିର୍ମାଣ କରାଯାଇଥିବା ପର୍ଥ ଷ୍ଟାଡିୟମର ପିଚ୍ ପୁରୁଣା ୱାକାର ସ୍ବଭାବକୁ ଯେମିତି ଜାରି ରଖେ ତା’ ପ୍ରତି ଅବଶ୍ୟ ବିଶେଷ ଧ୍ୟାନ ଦିଆଯାଇଛି। କ୍ୟୁରେଟର ବି ନୂଆ ପିଚ୍‌କୁ ଅଷ୍ଟ୍ରେଲିଆର ସବୁଠାରୁ ବାଉନ୍ସି ପିଚ୍‌ର ଆଖ୍ୟା ଦେଇଛନ୍ତି।

ପର୍ଥର ପୂର୍ବ ଲଢ଼େଇ ମଧ୍ୟରୁ ଏଥରର ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଦଳରେ ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ନରଙ୍କ ଭଳି ଖେଳାଳି ନଥିଲା ବେଳେ ଭାରତ ପାଖରେ କଙ୍ଗାରୁ ଦଳକୁ ଅଡ଼ୁଆରେ ପକାଇଲା ଭଳି ଦ୍ରୁତ ବୋଲିଂ ବାହିନୀ ଅଛି। ବଡ଼ କଥା ହେଲା ଅଧିନାୟକ ବିରାଟ କୋହଲିଙ୍କ ବଳିଷ୍ଠ ଯୋଗଦାନ ବିନା ହିଁ ଭାରତ ଆଡିଲେଡରେ ରୋମାଞ୍ଚକର ବିଜୟ ହାସଲ କରି ସାରିଛି। ଏଣୁ ଭାରତୀୟ ଦଳର ମନୋବଳ ଢେର ଉଚ୍ଚରେ ଥିବ। ସେପଟେ ଅଷ୍ଟ୍ରେଲିଆ ସିଡନିରେ ପଞ୍ଚମ ଆସେସ୍ ଟେଷ୍ଟ ଜିତି ବର୍ଷ ଆରମ୍ଭ କରିଥିଲା। ଏହା ପରେ ଡର୍ବାନରେ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ଧରାଶାୟୀ କରିଥିଲା। ସେବେଠାରୁ କିନ୍ତୁ କଙ୍ଗାରୁ ଦଳର ପ୍ରଦର୍ଶନ ନିମ୍ନମୁଖୀ ରହିଛି। ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଡିଲେଡରେ ନିଜ ଦକ୍ଷତା ମୁଳକ ପ୍ରଦର୍ଶନ କରି ପାରି ନଥିଲେ। ଅଧିନାୟକ ଟିମ୍ ପାଇନ୍ ମଧ୍ୟ ସେମିତି କିଛି ଆଖି ଦୃଶିଆ ସ୍କୋର କରି ପାରି ନଥିଲେ। ଏଣୁ ପର୍ଥରେ ଘରୋଇ ପ୍ରଶଂସକଙ୍କ ନଜର ଏହି ଦୁଇ ଖେଳାଳିଙ୍କ ଉପରେ ଅଧିକ ରହିବ। ଭାରତ କଥା ବିଚାରକୁ ନେଲେ ପ୍ରାରମ୍ଭିକ ଯୋଡ଼ି ଅଧିନାୟକ କୋହଲିଙ୍କର ସବୁଠାରୁ ବଡ଼ ଚିନ୍ତା ହେବ। ‌ଲୋକେଶ ରାହୁଲ ଗତ ୯ ପାଳିରେ ବୋଲ୍ଡ କିମ୍ବା ଏଲବିଡବ୍ଲ୍ୟୁ ହୋଇଛନ୍ତି। ବିଜୟଙ୍କ ଚମକ ମଧ୍ୟ ଫିକା ପଡ଼ିଛି। ଉଭୟ ବିଦେଶରେ ମାତ୍ର ଥରଟିଏ ୫୦ ରନ୍‌ରୁ ଅଧିକର ପ୍ରଥମ ୱିକେଟ୍ ଭାଗୀଦାରି କରିଛନ୍ତି।

ଅଷ୍ଟ୍ରେଲିଆ ଅପରିବର୍ତିତ; ଭାରତ ଦୁଇଟି ପରିବର୍ତନ କରିବାକୁ ବାଧ୍ୟ
ଆଡିଲେଡ୍ ଟେଷ୍ଟର ଉଭୟ ପାଳିରେ ବିଫଳ ହେବା ପରେ ମଧ୍ୟ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ୍‌କୁ ନେଇଛି। ଅଷ୍ଟ୍ରେଲିଆ ଅପରିବର୍ତିତ ଦଳ ନେଇ ପର୍ଥକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମିଚେଲ ମାର୍ସ ପୁଣି ଥରେ ବାହାରେ ବସିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଆଘାତ ପ୍ରାପ୍ତ ହୋଇଥିବାରୁ ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ ପର୍ଥ ଟେଷ୍ଟରୁ ବାଦ ପଡ଼ିବା ଭାରତ ପାଇଁ ଯୁଗଳ ଝଟ୍‌କା ହୋଇଛି। ଆଡିଲେଡରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ରୋହିତଙ୍କ ତଳ ପିଠିରେ ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ତଳିପେଟରେ ଯନ୍ତ୍ରଣା ପାଇଁ ଅଶ୍ବିନ ପର୍ଥ ଟେଷ୍ଟରେ ବେଞ୍ଚରେ ବସିବାକୁ ଯାଉଛନ୍ତି। ହନୁମା ବିହାରୀ ଓ ରବୀନ୍ଦ୍ର ଜାଦେଜା କିମ୍ବା ଭୁବନେଶ୍ବର କୁମାର ଏହି ଦୁଇ ଜଣଙ୍କ ସ୍ଥାନ ନେଇପାରନ୍ତି।

ଅଷ୍ଟ୍ରେଲିଆ: ଟିମ୍ ପାଇନ୍ (ଅଧିନାୟକ), ଆରୋନ ଫିଞ୍ଚ୍‌, ମାର୍କସ ହାରିସ୍, ଉସ୍‌ମାନ ଖୱାଜା, ସନ୍ ମାର୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଟ୍ରାଭିସ୍ ହେଡ୍, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ନାଥନ ଲିୟନ, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା/ଭୁବନେଶ୍ବର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଯଶ୍‌ପ୍ରୀତ ବୁମରା।

ଘାସୁଆ ପିଚ୍: ନୂଆ ପର୍ଥ ଷ୍ଟାଡିୟମର ଉଭୟ ପିଚ୍ ଏବଂ ଆଉଟ୍ ଫିଲ୍ଡରେ ସବୁଜ ଘାସ ରହିଛି। ଅବଶ୍ୟ ଗ୍ରାଉଣ୍ଡ୍ସ ମ୍ୟାନ୍ ଅଧିକ ବଢ଼ିଥିବା ଘାସକୁ କାଟି ଦେଇଛନ୍ତି। ତେବେ ପିଚ୍ କେମିତି ବ୍ୟବହାର କରିବ ତାହା କେବଳ ସମୟ ହିଁ କହିବ। ଏହି ପଡ଼ିଆରେ ମାତ୍ର ଗ‌ୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳାଯାଇଛି। ସେଥିପାଇଁ ପ୍ରଥମ ଦିନର ଖେଳ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି। ପର୍ଥର ତାପମାତ୍ରା ୩୬ ଡିଗ୍ରି ଛୁଇଁବାର ପୂର୍ବାନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଟସ୍ ଜିତି ଅଧିନାୟକମାନେ ପ୍ରଥମ ବ୍ୟାଟିଂ କରିବାର ସମ୍ଭାବନା ଅଧିକ ରହିଛି। କାରଣ ଏମିତି ହେଲେ ବୋଲରଙ୍କୁ ଗୋଟିଏ ଦିନର ଅତିରିକ୍ତ ବିଶ୍ରାମ ମିଳିଯିବ।

୨୦୦୦ ରନ୍‌ରୁ ୧୦୬ ଦୂରରେ ରାହୁଲ
ପର୍ଥରେ ୧୦୬ ରନ୍ କରି ପାରିଲେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋ‌କେଶ ରାହୁଲ ଟେଷ୍ଟ୍‌ କ୍ରିକେଟରେ ୨,୦୦୦ ରନ୍‌ ପୂରଣ କରିବେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୦ ୱିକେଟ୍‌ଠାରୁ ୧୭ ଦୂରରେ ଅଛନ୍ତି। ପର୍ଥ ଷ୍ଟାଡିୟମ ଆଷ୍ଟ୍ରେଲିଆର ଦର୍ଶକ ଷ୍ଟାଡିୟମ୍ ଭାବେ ଟେଷ୍ଟ କ୍ରିକେଟ୍ ଆୟୋଜନ କରିବ।

ପର୍ଥ ଇତିହାସ: ୪୪ ଟେଷ୍ଟ୍‌ରୁ ଫଇସଲା ହୋଇଛି ୩୬
ପର୍ଥ: ପର୍ଥର ଇତିହାସ ଘରୋଇ ଦଳ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି। ୧୯୭୦ ମସିହାରୁ ୨୦୧୭ ମସିହା ମଧ୍ୟରେ ଏହି ପଡ଼ିଆରେ ଖେଳାଯାଇଛି ମୋଟ ୪୪ ଟେଷ୍ଟ୍‌। ସେଥିରୁ ୩୬ ଟେଷ୍ଟ୍‌ରୁ ଫଳାଫଳ ମିଳିଥିଲା ବେଳେ ମାତ୍ର ୮ ଅମୀମାଂସିତ ରହିଛି। ଘରୋଇ ଅଷ୍ଟ୍ରେଲିଆ ଏକା ୨୫ ଟେଷ୍ଟ୍‌ ଜିତିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ୫, ଦକ୍ଷିଣ ଆଫ୍ରିକା ୩ ଏବଂ ଇଂଲଣ୍ଡ୍‌, ନ୍ୟୁଜିଲାଣ୍ଡ୍‌ ଓ ଭାରତ ଗୋଟିଏ ଲେଖାଏଁ ଜିତିଛନ୍ତି। ଏକ ସମୟରେ ୧୯୯୩ ନଭେମ୍ବର ୧୨ରୁ ୨୦୦୬ ଡିସେମ୍ବର ୧୪ ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ ଦଳ ଏଠାରେ ଅପରାଜେୟ ରହିଥିଲା। ଏହି ୧୩ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ମୋଟ ୧୦ ଟେଷ୍ଟ୍‌ ଖେଳି ୮ ବିଜୟ ପାଇଥିଲା ବେଳେ ୨ଟି ଅମୀମାଂସିତ ରଖିଥିଲା। ଏଠା‌ରେ ୨୦୧୭ ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳିଥିବା ଶେଷ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଏକ ପାଳି ଓ ୪୧ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।

ଜୀବନ୍ତ ପିଚ୍ ଆଉ ଆମକୁ ଭୟଭିତ କରୁନି, ବରଂ ଏହାକୁ ଦେଖି ଆମେ ଅଧିକ ଉତ୍ସାହିତ ହେଉଛୁ। ଆମେ ଜାଣିଛୁ ଯେ ଆମ ପାଖରେ ଏକ ଦକ୍ଷ ବୋଲିଂ ବାହିନୀ ଅଛି। ସେମାନେ ନିଜ ଆକ୍ରମଣକୁ ନେଇ ଯେତିକି ଆଶ୍ବସ୍ତ ଆମେ ବି ସେତିକି ନିଶ୍ଚିତ।
ବିରାଟ କୋହଲି, ଭାରତୀୟ ଅଧିନାୟକ

ପର୍ଥ ଷ୍ଟାଡିୟମରେ ମାତ୍ର କିଛି ସଂଖ୍ୟକ ମ୍ୟାଚ୍ ଖେଳା ଯାଇଛି। ସେଥିପାଇଁ ଏଠାକାର ପିଚ୍ ଆମ ପାଇଁ ପୂରା ଅଜଣା। ପିଚ୍ ଟିକିଏ ଘାସୁଆ ରହିଛି। ତଥାପି ପ୍ରଥମ ଦୁଇ ଦିନ ଭଲ ବ୍ୟାଟିଂ କରିହେବ ବୋଲି ଭାବୁଛି। ଅବଶ୍ୟ ମୁଁ କୌଣସି ବିଶେଷଜ୍ଞ ନୁହେଁ, ସଂପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇପାରେ।
ଟିମ୍ ପାଇନ୍, ଅଷ୍ଟ୍ରେଲିଆ ଅଧିନାୟକ

ବଦଳି ଯାଇଛି ୱାକା
ପର୍ଥର ୱାକା ପଡ଼ିଆର ନାଁ ଶୁଣିଲାମାତ୍ରେ ୱାକାର ଦ୍ରୁତ ଏବଂ ଉଚ୍ଛାଳ ଭରା ପିଚ୍ ଆପଣାଛାଏଁ ମନକୁ ଆସିଯାଏ। ଏହା ଏମିତି ଏକ ପଡ଼ିଆ ଯେଉଁଠି ବ୍ୟାଟିଂ କରିବା ଆଦୌ ସହଜ ହୋଇ ନଥାଏ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ପଡ଼ିଆରେ ଶତକ ଅର୍ଜନ କରିବା ପରେ ହିଁ ବିଶ୍ବବାସୀଙ୍କ ନଜର ତାଙ୍କ ଉପରକୁ ଯାଇଥିଲା। ଭାରତୀୟ ମଧ୍ୟ ଦ୍ରୁତ ପିଚ୍‌ରେ ଖେଳିବାର ଦକ୍ଷତା ରଖନ୍ତି‌ ବୋଲି ସେତେବେଳେ ସଚିନ ପ୍ରମାଣ କରିଦେଇଥିଲେ। ଏଥର ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ମ୍ୟାଚ୍ କିନ୍ତୁ ସ୍ବାନ୍ ନଦୀ କୂଳରେ ନିର୍ମାଣ କରାଯାଇଥିବା‌ ପର୍ଥ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ହେଉଛି ୬୦,୦୦୦। ଗତବର୍ଷ ଏହାର ନିର୍ମାଣ ଶେଷ ହୋଇଛି। ପଶ୍ଚିମ ଅଷ୍ଟ୍ରେଲିଆର ବର୍ସଉଡ୍ ଅଞ୍ଚଳରେ ନିର୍ମାଣ କରାଯାଇଥିବା ପର୍ଥ ଷ୍ଟାଡିୟମ୍ ମେଲବର୍ନ ପରେ ଅଷ୍ଟ୍ରେଲିଆରେ ଦ୍ବିତୀୟ ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ମାନ୍ୟତା ପାଇଛି। ଷ୍ଟାଡିୟମରେ କିନ୍ତୁ ଅନ୍ୟ ଖେଳ ଖେଳାଯିବାର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଜାନୁଆରି ମାସରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏଠାରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳା ଯାଇଥିଲା। ସେହିଭଳି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ଆୟୋଜିତ ହୋଇଥିଲା। ଦିନିକିଆକୁ ଅଷ୍ଟ୍ରେଲିଆ ଜିତିଥିଲା। ହେଲେ ଟ୍ବେଣ୍ଟି-୨୦ରେ ପରାଜିତ ହୋଇଥିଲା। ଏହି ଦୃଷ୍ଟିରୁ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍‌ ଏହି ପଡ଼ିଆରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହେବ। ପର୍ଥ ଷ୍ଟାଡିୟମରେ ଶୁକ୍ରବାର ଟେଷ୍ଟ କ୍ରିକେଟ୍ ପଦାର୍ପଣ କରିବ। ଏହି ଷ୍ଟାଡିୟମ୍ ନିର୍ମା‌ଣରେ ଏକ ବିଲିୟନ୍ ଡଲାର ବ୍ୟୟ କରାଯାଇଛି।

ସମ୍ବନ୍ଧିତ ଖବର