ବିଦେଶ ଗସ୍ତ ଅଧାରୁ ଖେଳାଳି ଫେରି ଆସିବା ୮୨ ବର୍ଷରେ ଦ୍ବିତୀୟ ଥର

ନୂଆଦିଲ୍ଲୀ: ବିବାଦୀୟ ପରିସ୍ଥିତିରେ କୌଣସି ବିଦେଶ ଗସ୍ତ ଅଧାରୁ ଖେଳାଳି ଫେରି ଆସିବାର ଦ୍ବିତୀୟ ଉଦାହରଣ ପାଲଟିଛନ୍ତି ପାଣ୍ଡ୍ୟା-ରାହୁଲ। ଶେଷ ଥର ପାଇଁ ୧୯୩୬ ମସିହାରେ ଇଂଲଣ୍ଡ ଗସ୍ତରୁ କିମ୍ବଦନ୍ତୀ ଲାଲା ଅମରନାଥଙ୍କୁ ବିସିସିଆଇ ଫେରାଇ ଆଣିଥିଲା। ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଅଧିନାୟକ ମହାରାଜା ବିଜୟନଗରମ (ଭିଜି)ଙ୍କ କଥା ନ ମାନିବାରୁ ଲାଲା ଅମରନାଥଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଖେଳ ଅପେକ୍ଷା ରାଜକୀୟ ରାଜନୀତି ପାଇଁ ଦଳକୁ ଆସିଥିବା ଭିଜିଙ୍କ କଥା ଲାଲାଜୀ ମାନିନଥିଲେ। ଲର୍ଡସରେ ତାଙ୍କୁ ପ୍ୟାଡ୍ ପିନ୍ଧିବାକୁ କୁହାଯାଇଥିଲେ ମଧ୍ୟ ତାଙ୍କ ଆଗରୁ ଜଣଙ୍କୁ ବ୍ୟାଟିଂ ପାଇଁ ପଠାଯାଇଥିଲା। ଡ୍ରେସିଂ ରୁମ୍‌କୁ ଫେରିବା ପରେ ସେ କିଟ୍ ଫିଙ୍ଗିବା ସହିତ ପଞ୍ଜାବୀ ଭାଷାରେ ଗାଳିଗୁଲଜ କରିଥିଲେ। ପରବର୍ତୀ ସମୟରେ ତାଙ୍କ ସାନ ପୁଅ ରାଜିନ୍ଦର ଅମରନାଥଙ୍କ ଲିଖିତ ପୁସ୍ତକ ‘ଲାଲା ଅମରନାଥ: ଲାଇଫ୍ ଆଣ୍ଡ୍ ଟାଇମ୍ସ’ରେ ତାଙ୍କ ପିତା ଭିତ୍ତିହୀନ ଅଭିଯୋଗର ଶିକାର ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ। ଭାରତୀୟ କ୍ରିକେଟ୍ ସହ ଅନ୍ୟ ଏକ ଘଟଣା ୧୯୯୬ ମସିହାରେ ଘଟିଥିଲା। କିନ୍ତୁ ଏହା ଭିନ୍ନ ଥିଲା। ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ଗରମାଗରମ ବାକ୍ୟ ବିନିମୟ କାରଣରୁ ନବଜୋତ ସିଂହ ସିନ୍ଧୁ କାହାରିକୁ ନ ଜଣାଇ ଭାରତ ଫେରି ଆସିଥିଲେ। ଏହି ସମୟରେ ତାଙ୍କ ରୁମ୍ ମେଟ୍ ଥିବା ସୌରଭ ଗାଙ୍ଗୁଲିଙ୍କୁ ଟେଷ୍ଟ୍ ପଦାର୍ପଣ ସୁଯୋଗ ମିଳିଥିଲା। ଗାଙ୍ଗୁଲି ପଦାର୍ପଣରେ ଶତକ ମାରି ଦଳରେ ସ୍ଥାନ ଜମାଇ ନେଇଥିବା ବେଳେ ସିଦ୍ଧୁ ପ୍ରତ୍ୟାବର୍ତନ କରି ଭାରତ ପାଇଁ ଆଉ ୨ ବର୍ଷ ଖେଳିଥିଲେ।

ସମ୍ବନ୍ଧିତ ଖବର