ଦ୍ୱିତୀୟ ଯୁବ ଟେଷ୍ଟ୍‌ରେ ବର୍ଷା ବାଧକ: ଦକ୍ଷିଣ ଆଫ୍ରିକା ୨୯୪/୭

ବେଙ୍ଗାଲୁରୁ: ଭାରତ ଗସ୍ତରେ ପ୍ରଥମ ଯୁବ ଟେଷ୍ଟ୍‍କୁ ପାଳି ଓ ୩୦ ରନ୍‌ରେ ହାରିଯାଇଥିବା ଥିବା ଦକ୍ଷିଣ ଆଫ୍ରିକା-ଏ କ୍ରିକେଟ୍‌ ଦଳକୁ ଦ୍ୱିତୀୟ ଟେଷ୍ଟରେ ବର୍ଷା ସହାୟକ ହୋଇଛି। ବର୍ଷା ଓ ଆଲୋକ ଅଭାବ ଯୋଗୁଁ ଏହି ଟେଷ୍ଟର ଦ୍ୱିତୀୟ ଓ ତୃତୀୟ ଦିବସକୁ ମିଶାଇ ପ୍ରାୟ ୭୫ ଓଭର ଖେଳ ନଷ୍ଟ ହୋଇଯାଇଛି। ଘରୋଇ ଦଳ ତା’ର ପ୍ରଥମ ପାଳିରେ ୧୦୧ ଓଭର ଖେଳି ୩୪୫ ରନ୍‌ କରିବା ପରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିବସରେ ଭ୍ରମଣକାରୀ ଦଳ ୩ ଓ୍ଵିକେଟ୍‌ ହରାଇ କରିଥିଲା ୨୧୯ ରନ୍‌। ଶନିବାର ଦ୍ୱିତୀୟ ଦିବସରେ ୭୧ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ରବିବାର ତୃତୀୟ ଦିବସରେ ମାତ୍ର ୩୩ ଓଭର ଖେଳ ହୋଇପାରିଥିଲା। ବର୍ଷା ଯୋଗୁଁ ପ୍ରାୟ ୫୭ ଓଭର ଖେଳ ନଷ୍ଟ ହୋଇଯାଇଛି। ତେବେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ପାଳିରେ ୭ ଓ୍ଵିକେଟ୍‌ ହରାଇ କରିଛି ୨୯୪ ରନ୍‌। ରବିବାର ୩୩ ଓଭର ମଧ୍ୟରେ ୭୫ ରନ୍‌ ଯୋଡ଼ି ୪ ଓ୍ଵିକେଟ୍‌ ହରାଇଛି ଏହି ଦଳ। ମହମ୍ମଦ ସିରାଜ୍‌ (୨/୫୮), ଅଙ୍କିତ ରାଜ୍‌ପୁତ (୨/୪୨), ୟୁଜ୍‌ବେନ୍ଦର ଚହଲ୍‌ (୨/୮୪) ଓ ଜୟନ୍ତ ଯାଦବ (୧/୬୫) ଓ୍ଵିକେଟ୍‌ ବାଣ୍ଟି ନେଇଛନ୍ତି। ଅଧିନାୟକ ରୁଦି ସେକେଣ୍ଡ୍‌ (୪୭), ଭାନ୍‌ଡେର୍‌ ଦୁସେନ୍‌ (୨୨), ପ୍ରିଟୋରିଅସ୍‌ (୧୦) ଓ ଅଧିନାୟକ ପିଦ୍‌ (୨୨) ରବିବାର ଆଉଟ୍‌ ହୋଇଥିଲା ବେଳେ ଏସ୍‌ ମୁଥୁସ୍ୱାମୀ (୨୩) ଅପରାଜିତ ରହିଛନ୍ତି। ତଥାପି ହାତରେ ୩ ଓ୍ଵିକେଟ୍‌ ଥାଇ ଦକ୍ଷିଣ ଆଫ୍ରିକା ଏବେ ବି ଭାରତ ପ୍ରଥମ ପାଳି ସ୍କୋରଠୁ ୫୧ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର