ଦ୍ୱିତୀୟ ରାମେଶ୍ୱର କପ୍‌ ୧୩ରୁ

ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ୍‌ ପ୍ରତିଯୋଗିତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ କ୍ଲବ୍‌ ରାମେଶ୍ୱର ସ୍ପୋର୍ଟିଂ ପ୍ରଥମ ଥର ଲାଗି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ କରିବ। ବିଶେଷକରି ଯୁବ ତଥା କନିଷ୍ଠ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିଥିବା ରାମେଶ୍ୱର ସ୍ପୋର୍ଟିଂ ଦ୍ୱିତୀୟ ଥର ପାଇଁ ରାମେଶ୍ୱର କପ୍‌ ପ୍ରତିଯୋଗିତା ଆୟୋଜନ କରିଛି। ଏହି ପ୍ରତିଯୋଗିତା ଚଳିତ ମାସ ୧୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୁଣା ଭୁବନେଶ୍ୱରର ବିଏମ୍‌ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ଗତ ୨୦୧୫-୧୬ରେ ପ୍ରଥମ ଥର ଲାଗି ୧୭ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ କରିଥିବା ରାମେଶ୍ୱର ପଡ଼ିଆ ନବୀକରଣ ଯୋଗୁଁ ଗତବର୍ଷ ଆୟୋଜନ କରିପାରିନଥିଲା। ତେବେ ଚଳିତ ବର୍ଷ ରାମେଶ୍ୱର କପ୍‌ ନାମରେ ନାମିତ ସେହି ପ୍ରତିଯୋଗିତାକୁ ୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ ନେଇ କରିବାକୁ ଯାଉଛି। ଯାହାକି ପୂର୍ବରୁ ଏହି ବର୍ଗରେ କୌଣସି ପ୍ରତିଯୋଗିତା ପ୍ରାୟତଃ ବର୍ତମାନ ଭୁବନେଶ୍ୱରରେ କେହି ଆୟୋଜନ କରୁନାହାନ୍ତି। ଚଳିତ ବର୍ଷର ପ୍ରତିଯୋଗିତାରେ ମୋଟ ୧୪ ଦଳ ଭାଗ ନେବେ। ସେଥିମଧ୍ୟରୁ ପ୍ରଥମ ବର୍ଷ ପ୍ରତିଯୋଗିତାର ବିଜେତା (କ୍ରାଉନ୍‌ ସ୍ପୋର୍ଟିଂ) ଓ ଉପବିଜେତା (ଆୟୋଜକ ରାମେଶ୍ୱର ସ୍ପୋର୍ଟିଂ-ଏ) ଦଳ ଏଥର ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରୁ ଅଭିଯାନ ଆରମ୍ଭ କରିବାର ସୁଯୋଗ ପାଇଛନ୍ତି। ଅବଶିଷ୍ଟ ୧୨ ଦଳ (ଏମ୍‌ସିସି, ବିବିସିଏ, କିଶୋର, ଓସ୍କାର, ସ୍କାନ୍‌, ଶେଖର, ପ୍ରଗତି, ସହିଦ୍‌, ଗ୍ରିନ୍‌, ରାମେଶ୍ୱର-ବି, ପାରାମାଉଣ୍ଟ୍‌ ଓ ଜାଗୃତି) ଗ୍ରୁପ୍‌ ପର୍ଯ୍ୟାୟରେ ଖେଳି ଆଭିଯାନ ଆରମ୍ଭ କରିବେ। ୭ ଲେଖାଏଁ ଦଳକୁ ନେଇ ଦୁଇଟି ଗ୍ରୁପ୍‌ କରାଯାଇଛି। ୧୩ ତାରିଖ ଉଦ୍‌ଘାଟନୀ ମ୍ୟାଚ୍‌ରେ ଗ୍ରୁପ୍‌-ଏରୁ ଏମ୍‌ସିସି ଓ ବିବିସିଏ ମୁହାଁମୁହିଁ ହେବାକୁ ଥିଲା ବେଳେ ୧୪ ତାରିଖରେ କିଶୋର-ଓସ୍କାର୍‌, ୧୫ ତାରିଖରେ ସ୍କାନ୍‌-ଶେଖର ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍‌-ବିରେ ପ୍ରଥମ ମ୍ୟାଚ୍‌ ୧୯ ତାରିଖ ଦିନ ପ୍ରଗତି ଓ ସହିଦ୍‌ ସ୍ପୋର୍ଟିଂ, ୨୦ ତାରିଖରେ ଗ୍ରିନ୍‌ ଓ ରାମେଶ୍ୱର-ବି ଏବଂ ୨୧ ତାରିଖରେ ପାରାମାଉଣ୍ଟ୍‌ ଓ ଜାଗୃତି ମୁହାଁମୁହିଁ ହେବେ। ୧୬ ଓ ୧୭ରେ ପ୍ରଥମ ଓ ଦ୍ୱିତୀୟ ଏବଂ ୨୨ ଓ ୨୩ ତାରିଖରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ। ସେହିପରି ପ୍ରଥମ ସେମିଫାଇନାଲ୍‌ ୧୮ରେ ଓ ଦ୍ୱିତୀୟ ସେମିଫାଇନାଲ୍‌ ୨୪ ତାରିଖରେ ଖେଳାଯିବା ପରେ ୨୭ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ସହିତ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ପ୍ରତି ମ୍ୟାଚ୍‌ ୩୦ ଓଭର ବିଶିଷ୍ଟ ରହିବ। ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳିମାନେ ୧୯୯୯ ଏପ୍ରିଲ ୧ ତାରିଖ କିମ୍ବା ତା’ପରେ ଜନ୍ମ ଗ୍ରହଣ କରିଥିବା ବାଧ୍ୟତାମୂଳକ ବୋଲି ଶୁକ୍ରବାର କ୍ଲବ୍‌ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ତଥା ରଣଜୀ ତାରକା ଦୀପକ ମଙ୍ଗରାଜ କହିଥିଲେ। ଏମ୍‌ସିଏଲ୍‌ ପ୍ରତିଯୋଗିତାର ପ୍ରାୟୋଜକ ଥିଲା ବେଳେ ଦଳଗୁଡ଼ିକ ପାଇଁ କୌଣସି ପ୍ରବେଶିକା ଦେୟ ରଖାଯାଇନାହିଁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ସହସଂପାଦକ ତଥା ଅନ୍ୟତମ ରଣଜୀ ତାରକା ପ୍ରିୟବ୍ରତ ପ୍ରଧାନ, କୋଷାଧ୍ୟକ୍ଷ ତଥା ପୂର୍ବତନ ଅଲ୍‌ରାଉଣ୍ଡର ରାଜେଶ ମହାପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଚନ୍ଦନ ନାୟକ, ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ନିୟମାବଳୀ ସଂପର୍କରେ ବିବରଣୀ ଦେଇଥିଲେ।

ସମ୍ବନ୍ଧିତ ଖବର