ସଚିବାଳୟ କପ୍‌ରେ ସୁନୀଲଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀ ଦୌଡ଼କୁଦ ସଂଘ ପକ୍ଷରୁ ଚାଲିଥିବା ସଚିବାଳୟ କପ୍‌ ୫ ଜଣିଆ ଦିବାରାତ୍ର ଅନ୍ତଃବିଭାଗୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସୋମବାର ଘରୋଇ ବିଭାଗ ୨-୦ ଗୋଲରେ ଆଇଟିକୁ, ଜଳସମ୍ପଦ ୪-୧ରେ ଏଚ୍‌ଟି ଆଣ୍ଡ୍‌ ଏଚ୍‌କୁ, ସଂସଦୀୟ ବ୍ୟାପାର ୧-୦ ଗୋଲରେ ଜିଏ ଆଣ୍ଡ୍‌ ପିଜିକୁ ପରାସ୍ତ କରିଥିଲା। ଏସ୍‌ଏମଇ ବନାମ ଏଲ୍‌ଇଏସ୍‌ଆଇ ମ୍ୟାଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ମ୍ୟାଚ୍‌ ଗୁଡ଼ିକରେ ସୁନୀଲ ସେଠୀ ୩ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ କରିଥିବାବେଳେ ନକୁଳ ମାଝୀ, ସୁନା ଚାନ୍ଦ, ଅକୃର ବରିହା, ସୁରେନ୍ଦ୍ର ନାୟକ, ଅନ୍ତୁ ମୁର୍ମୁ, ଜଗନ୍ନାଥ ନାୟକ, ମନୋଜ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପ୍ରଥମ ଦିବସରେ ଆୟୋଜକ ରାଜ୍ୟ ସଚିବାଳୟ କ୍ରୀଡ଼ା ସଂଘ ସୁତିତ ଦଳାଇଙ୍କ ଗୋଲ୍‌ ବଳରେ ଯୋଜନା ଓ ସମନ୍ଵୟ ବିଭାଗକୁ ପରାସ୍ତ ପରିଥିବାବେଳେ ଖଣି ଓ ଇଷ୍ପାତ ବିଭାଗ ବନାମ କୃଷକ ଶସକ୍ତିକରଣ ବିଭାଗ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନ ଆସିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଓ୍ଵାକ୍‌ ଓଭର ପାଇଥିଲା। ପଞ୍ଚାୟଜିିରାଜ ବିଭାଗ ୪-୧ ଗୋଲ୍‌ରେ ଜଙ୍ଗଲ ଓ ପରିବେଶ ବିଭାଗକୁ ପରାସ୍ତ କରିଥିଲା। ଶଙ୍କର୍ଷଣ ଜେନା, ସରୋଜ ମହାରଣା, ମହେଶ୍ୱର ସିଂହ, ତାପସ କୁମାର ଜେନା ମ୍ୟାଚ୍‌ ଗୁଡ଼ିକ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ୟୁକୋ ବ୍ୟାଙ୍କ୍‌ ମହାପ୍ରବଂଧକ ଚନ୍ଦ୍ରମଣି ପୃଷ୍ଟି, ଗିରିଜା ଦାସ, ଅସିତ ମହାନ୍ତି, ଦେବୀଦତ୍ତ ମିଶ୍ର, ତ୍ରିନାଥ ପଲ୍ଲାଇ, ହରପ୍ରସାଦ ବିଶ୍ୱାଳ, ଜ୍ୟୋତିରଂଜନ ମିଶ୍ର, ପ୍ରଭାତ ପାତ୍ର, ସୁରେଶ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ପୁରୁଖା ଫୁଟ୍‌ବଲ୍‌ ଖେଳାଳି ନୀପେନ୍ଦ୍ର ଦାସ ଏବଂ ରଂଜିତା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସଂଜୀବ ମିଶ୍ର ଘୋଷକ ଥିଲେ।

ସମ୍ବନ୍ଧିତ ଖବର