କନିଷ୍ଠ ଆଇଟିଟିଏଫ୍‌ ମାନ୍ୟତା ଶୀର୍ଷରେ ମାନବ

ଅଷ୍ଟନ୍‌: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ (ଆଇଟିଟିଏଫ୍‌)ର କନିଷ୍ଠ ମାନ୍ୟତାରେ ମାନବ ଠକ୍କର (୩୪୫୫ ପଏଣ୍ଟ୍‌) ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ମାନବ ୨୦୧୭ ସର୍ବିଆନ୍‌ କନିଷ୍ଠ ଏବଂ କ୍ୟାଡେଟ୍‌ ଓପନ୍‌ରେ ଉପବିଜେତା ହେବା ପରେ ଏହି ସ୍ଥାନକୁ ଉନ୍ନୀତ ହୋଇଥିଲେ। ତାଙ୍କ ପଛକୁ ଆମେରିକାର କନକ ଝା (୨୯୫୦ ପଏଣ୍ଟ୍‌) ଦ୍ୱିତୀୟ, ଆର୍ଜେଣ୍ଟିନାର ଫ୍ରାନ୍‌ସିସ୍‌କୋ ସାଞ୍ଚି (୨୮୯୫ ପଏଣ୍ଟ୍‌) ତୃତୀୟ, ଫ୍ରାନ୍ସର ବାସ୍ତିଆନ୍‌ ରିମ୍ବର୍ତ (୨୮୮୦ ପଏଣ୍ଟ୍‌) ଚତୁର୍ଥ ଏବଂ ଚାଇନିଜ୍‌ ତାଇପେର ଫେଙ୍ଗ୍‌ ୟି-ସିନ୍‌ (୨୭୦୬ ପଏଣ୍ଟ୍‌) ପଞ୍ଚମ ସ୍ଥାନରେ ରହିଛନ୍ତି। ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନ ପାଇବା ପରେ ସୁରାଟରେ ଜନ୍ମିତ ଏହି କନିଷ୍ଠ ଟିଟି ତାରକା ଆସନ୍ତା ବର୍ଷ ଫେବ୍ରୁଆରିରେ ଲକ୍ସମବର୍ଗରେ ହେବାକୁ ଥିବା ବିଶ୍ୱ ପ୍ରତିଯୋଗିତା ଲାଗି ନିଜ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ସମ୍ବନ୍ଧିତ ଖବର