ସର୍ଭିସେସ୍‌କୁ ଷଷ୍ଠ ଥର ସନ୍ତୋଷ ଟ୍ରଫି, ଫାଇନାଲ୍‌ରେ ପଞ୍ଜାବ ୦-୧ରେ ହାରିଲା

ଭୁବନେଶ୍ବର: ପଞ୍ଜାବକୁ ୧-୦ ଗୋଲ୍‌ରେ ପରାସ୍ତ କରି ସର୍ଭିସେସ୍‌ ଷଷ୍ଠ ଥର ଲାଗି ସନ୍ତୋଷ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ପଞ୍ଜାବର ଲୁଧିଆନାସ୍ଥିତ ଗୁରୁ ନାନକ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦେଶର ଏହି ସର୍ବପୁରାତନ ଘରୋଇ ଫୁଟ୍‌ବଲ୍ ପ୍ରତିଯୋଗିତାର ଫାଇନାଲ୍‌ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଯାହାଫଳରେ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଦ୍ବିତୀୟାର୍ଧରେ ବିକାଶ ଥାପ୍ପା (୬୧ ମିନିଟ୍‌) ଗୋଲ୍‌‌ ଦେଇ ସର୍ଭିସେସ୍‌କୁ ଆଗୁଆ କରିଥିଲେ। ଏହି ଗୋଲ୍‌ ହିଁ ସର୍ଭିସେସ୍‌କୁ ଷଷ୍ଠ ଥର ଲାଗି ବିଜେତା ହେବାରେ ଯଥେଷ୍ଟ ହୋଇଥିଲା। ଶେଷ ଥର ଲାଗି ୨୦୧୫ରେ ସର୍ଭିସେସ୍‌ ଏହି ପଡ଼ିଆରେ ସମାନ ପ୍ରତିଦ୍ବନ୍ଦ୍ବୀ (ପଞ୍ଜାବ) ସହ ଫାଇନାଲ୍‌ ଖେଳିଥିଲା। ଏହି ଫାଇନାଲ୍‌ରେ ସର୍ଭିସେସ୍‌ ୫-୪ (୦-୦) ‌ପେନାଲ୍ଟି ଗୋଲ୍‌ରେ ବିଜୟୀ ହୋଇ ଟ୍ରଫି କରାୟତ କରିଥିଲା। ଫଳରେ ଦୁଇଥର ଯାକ ପଞ୍ଜାବ ଘରୋଇ ପଡ଼ିଆରେ ହାର୍‌ ମାନି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏହା ପୂର୍ବରୁ ୧୯୬୦, ୨୦୧୧, ୨୦୧୨, ୨୦୧୪ରେ ମଧ୍ୟ ସର୍ଭିସେସ୍‌ ଟ୍ରଫି ଜିତିଥିଲା।

ସମ୍ବନ୍ଧିତ ଖବର