୭ ବଲ୍‌ ଓଭରକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: କ୍ରିକେଟ୍‌ ମ୍ୟାଚ୍‌ରେ ଅନେକ ପ୍ରକାର ବୈଷୟିକ ବ୍ୟବସ୍ଥା ଓ ସଂରଜାମ ସଂଯୁକ୍ତ ହେବା ସତ୍ତ୍ୱେ ମଣିଷ ଭୁଲ୍‌ କରିବା ଛାଡ଼ିନାହିଁ। ସୋମବାର ରାଜସ୍ଥାନ ରୟାଲ୍‌ସ ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁକାବିଲାରେ ଏଭଳି ଏକ ଭୁଲ୍‌ ନଜରକୁ ଆସିଥିଲା ଯାହା ଗାଉଁଲି କ୍ରିକେଟ୍‌ରେ କ୍ୱଚିତ୍‌ ଦେଖିବାକୁ ମିଳେ। ଏହି ମ୍ୟାଚ୍‌ର ଦ୍ୱାଦଶ ଓଭରରେ ରାଜସ୍ଥାନ ରୟାଲ୍‌ସର ଅଷ୍ଟ୍ରେଲୀୟ ବୋଲର ବେନ୍‌ ଲାଫଲିନ୍‌ ୭ ବଲ୍‌ ପକାଇଥିଲେ। ଏସ୍‌ଆର୍‌ଏଚ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନଙ୍କୁ ୩ ବଲ୍‌ ଏବଂ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ଵନଙ୍କୁ ୪ ବଲ୍‌ ବୋଲିଂ କରିଥିଲେ। ବିଭିନ୍ନ େଓ୍ଵବ୍‌ସାଇଟ୍‌ରେ ସେତେବେଳେ ୧୧.୭ ଓଭର ଉଲ୍ଲେଖ ରହିଥିଲା। ମଙ୍ଗଳବାର ମଧ୍ୟ ଏହି ମ୍ୟାଚ୍‌ର ସ୍କୋରର୍‌ ଏହି ତ୍ରୁଟିକୁ ସ୍ପଷ୍ଟ କରିଥିଲେ। ଏହା ଏକତରଫା ମ୍ୟାଚ୍‌ ଥିବାରୁ ବିଶେଷ କିଛି ଫରକ ପକାଇନାହିଁ। କିନ୍ତୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଥିଲେ ଭିନ୍ନ କଥା ହୋଇଥାନ୍ତା। ଗଣତି ମେସିନ୍‌ ଚାଳନାରେ ମୁଖ୍ୟ ଅମ୍ପାୟାର୍‌ ଏହି ଭୁଲ କରିଥିବା କୁହାଯାଉଛି। କିନ୍ତୁ ଲେଗ୍‌ ଅମ୍ପାୟାର୍‌ ହସ୍ତକ୍ଷେପ କରିବା ସହିତ ସଂଶୋଧନ ବ୍ୟବସ୍ଥା ରହିଥିଲେ ମଧ୍ୟ ଭିନିତ୍‌ କୁଲକର୍ଣି ଏହା କରିପାରିନଥିଲେ। ଏପରିକି ଟିଭି ଅମ୍ପାୟାର୍‌ ନନ୍ଦନଙ୍କ ନଜରରୁ ମଧ୍ୟ ଏହା ଖସିଯାଇଥିଲା। ଏହା ଏକ ବିରଳ ତ୍ରୁଟି। କିନ୍ତୁ ଥରେ ବଲ୍‌ ବୋଲିଂ ହୋଇଯିବା ପରେ ଆଉ କିଛି କରାଯାଇ ପାରିବ ନାହିଁ। କାରଣ ଏହାକୁ ଗୋଟିଏ ଓଭର ହିଁ ଗଣାଯିବ ବୋଲି କହିଥିଲେ ବିସିସିଆଇ ସ୍କୋର୍‌ ତଥା ପରିସଂଖ୍ୟାନବିତ୍‌ ପି ଚନ୍ଦ୍ରଶେଖର। ରନ୍‌ ସଂଗ୍ରହ ହୋଇଥିଲେ କି ଓ୍ଵିକେଟ୍‌ ପତନ ଘଟିଥିଲେ ଏହା ରେକର୍ଡରେ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ। କିଛି ବର୍ଷ ତଳେ ବୁଚି ବାବୁ ଆମନ୍ତ୍ରଣୀୟ କ୍ରିକେଟ୍‌ରେ ମଧ୍ୟ ୧ ବଲ୍‌ ଓଭର ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର