ବର୍ଷର ସପ୍ତମ ପରାଜୟ

ପର୍ଥ: ଭାରତର ପର୍ଥ ଟେଷ୍ଟ୍‌ ପରାଜୟ ଚଳିତ ୨୦୧୮ ମସିହାରେ ସପ୍ତମ। ଯାହାକି ସର୍ବାଧିକ ପରାଜୟରେ ଯୁଗ୍ମ ଶୀର୍ଷରେ ପହଞ୍ଚିଛି। ୧୯୫୯ ଏବଂ ୧୯୮୩ ମସିହାରେ ମଧ୍ୟ ଭାରତ ୭ ଲେଖାଏଁ ଟେଷ୍ଟ୍ ମ୍ୟାଚ୍ ହାରିଥିଲା। ୨୦୦୩ରେ ଭାରତ ଶେଷ ଥର ପାଇଁ ଦେଶ ବାହାରେ ସର୍ବାଧିକ ୧୮୦ ଏବଂ ତଦୁର୍ଧ୍ବ ରନ୍‌କୁ ପିଛା କରି ଜିତିଥିଲା। ଭାରତ ସେହି ବର୍ଷ ଆଡିଲେଡ୍‌ରେ ୨୩୩/୬ କରି ଜିତିବା ପରଠାରୁ ୧୬ ପରାଜୟ ଏବଂ ୭ ଅମୀମାଂସିତ ପାଇଛି। ୨୦୧୮ ମସିହାରେ ମଧ୍ୟ ଚତୁର୍ଥ ପାଳିରେ ପଶ୍ଚାତଧାବନ କରି ଗୋଟିଏ ବି ଟେଷ୍ଟ୍ ଜିତି ପାରିନାହିଁ। ବରଂ ଏହି ବର୍ଷ ୬ ହାରିଛି। ଘରୋଇ ମାଟିରେ ଭାରତ ବିପକ୍ଷରେ ନାଥନ୍ ଲାୟନ୍‌ ୪୬ ୱିକେଟ୍ ନେଇ ଶୀର୍ଷରେ ପହଞ୍ଚିଛନ୍ତି।

ପୂର୍ବ କୀର୍ତିମାନ ବ୍ରେଟ ଲିଙ୍କ ନାମରେ ଥିଲା, ସେ ଭାରତ ବିପକ୍ଷରେ ଘରୋଇ ମାଟିରେ ସର୍ବାଧିକ ୪୫ ୱିକେଟ୍ ନେଇଥିଲେ। ଭାରତର ନିମ୍ନକ୍ରମ ବ୍ୟାଟସମ୍ୟାନ (୮ରୁ ୧୧) ଉଭୟ ପାଳିରେ ମିଳିତ ଭାବେ ମାତ୍ର ୧୧ ରନ୍ ଯୋଡ଼ିଛନ୍ତି। ପ୍ରଥମ ପାଳ‌ିରେ ୯ ଏବଂ ଦ୍ବିତୀୟ ପାଳିରେ ୨ ରନ୍‌ ଯୋଡ଼ିଥିଲେ। ଏହା ପୂର୍ବରୁ ଥରେ ମାତ୍ର ଭାରତ କମ୍ ‌ରନ୍ ଯୋଡ଼ିଛି। ୨୦୦୩-୦୪ ମେଲବର୍ନ ଟେଷ୍ଟ୍‌ରେ ଭାରତୀୟ ନିମ୍ନକ୍ରମ ଉଭୟ ପାଳିରେ ମାତ୍ର ୫ ରନ୍ ଯୋଡ଼ିଥିଲେ। ଭାରତ କିନ୍ତୁ ପ୍ରଥମେ ବ୍ୟାଟିଂ କରି ଜିତିବାର କୀର୍ତିମାନ ରଖିଛି। ଆଡିଲେଡ୍ ବିଜୟକୁ ମିଶାଇ ଭାରତ ଲଗାତାର ୧୩ ଥର ପ୍ରଥମେ ବ୍ୟାଟିଂ କରି ଜିତିଛି। ପ୍ରଥମେ ବୋଲିଂ କରି ଶେଷ ଥର ପାଇଁ ଭାରତ ଚଳିତ ବର୍ଷ ଅକ୍ଟୋବରରେ ହାଇଦ୍ରାବା‌ଦରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଥିଲା।

ସମ୍ବନ୍ଧିତ ଖବର