ଭାରତ ସାଫ୍‌ କପ୍‌ ଉପବିଜେତା

ଢାକା: ସାଫ୍‌ କପ୍‌ (୨୩ ବର୍ଷରୁ କମ୍‌)ରେ ୯ ବର୍ଷ ପରେ ଭାରତଠୁ ମଧୁର ପ୍ରତିଶୋଧ ନେଲା ମାଳଦୀପ। ଶେଷ ଥର ପାଇଁ ୨୦୦୯ରେ  ବାଂଲାଦେଶରେ  ବଙ୍ଗବନ୍ଧୁ ଷ୍ଟାଡିୟମ୍‌ରେ ଉଭୟ ଭାରତ ଓ ମାଳଦୀପ ଟ୍ରଫି ପାଇଁ ଲଢ଼ିଥିଲେ। ସଂଘର୍ଷପୂର୍ଣ୍ଣ ସେହି ଫାଇନାଲ୍‌ ମ୍ୟାଚ୍‌ରେ ମାଳଦୀପକୁ ସୁଟ୍‌ ଆଉଟ୍‌ରେ ପରାସ୍ତ କରି ଭାରତ ବିଜେତା ହୋଇଥିଲା। କେବଳ ସେତିକି ନୁହେଁ ଏହି ଦକ୍ଷିଣ ଏସୀୟ ପ୍ରତିଯୋଗିତାର ପୂର୍ବ ୧୨ ସଂସ୍କରଣ ମଧ୍ୟରେ ଭାରତ ସର୍ବାଧିକ ୭ ଥର ବିଜେତା ହୋଇ ଆଧିପତ୍ୟ ଜାହିର କରିଥିଲା। ଗତ ଦୁଇ ବର୍ଷ ଧରି ଭାରତ ବିଜେତା ହୋଇଥିଲା। ହେଲେ ଚଳିତ ବର୍ଷ ଅପରାଜେୟ ସହ ଫାଇନାଲ୍‌ ପ୍ରବେଶ କରିଥିବା ଭାରତ ମାଳଦୀପ ନିକଟରେ ପୂରା ମଳିନ ପଡ଼ି ଯାଇଥିଲା। ଗତ ୩ ସଂସ୍କରଣ ଧରି ସେମିଫାଇନାଲ୍‌ରେ ମଧ୍ୟ ଭାରତଠୁ ହାରିଥିବା ମାଳଦୀପ ପୂରାମାତ୍ରରେ ପ୍ରତିଶୋଧ ନେଇଗଲା। ଶନିବାର ଫାଇନାଲ୍‌ରେ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ ଲଦି ଦେଇ ମାଳଦୀପ ୨-୧ରେ ବିଜେତା ଆଖ୍ୟା ହାସଲ କରିବା ସାଙ୍ଗକୁ ଭାରତର କ୍ରମାଗତ ତୃତୀୟ ତଥା ମୋଟ ଉପରେ ଅଷ୍ଟମ ଥର ଟ୍ରଫି ହାସଲ ଆଶାକୁ ଧୂଳିସାତ୍‌ କରିଦେଇଥିଲା। ମାଳଦୀପ ପକ୍ଷରୁ  ଇବ୍ରାହିମ୍‌ ମାହୁଧେ ୧୯ ମିନିଟ୍‌ରେ ପ୍ରଥମ ଗୋଲ୍‌ କରିଥିଲା ବେଳେ ଅଲ୍ଲୀ ଫଜିର୍‌ ୬୬ ମିନିଟ୍‌ରେ ଗୋଲ୍‌ କରି ଦଳକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ତେବେ ଇଞ୍ଜୁରି ସମୟ (୯୦+୨) ମିନିଟ୍‌ରେ ଭାରତ ପକ୍ଷରୁ ସୁମିତ୍‌ ପାସି ଗୋଟିଏ ଗୋଲ୍‌ କରି ବ୍ୟବଧାନ କମାଇଥିଲେ ମଧ୍ୟ ଦଳକୁ ପରାଜୟ ରକ୍ଷା କରିବାରେ ଯଥେଷ୍ଟ ହୋଇନଥିଲା। ଫଳଳେ ଏଥରକୁ ମିଶାଇ ମୋଟ ୧୨ ଥର ଫାଇନାଲ୍‌ ଖେଳିଥିବା ଭାରତ ପଞ୍ଚମ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଲା।

ସମ୍ବନ୍ଧିତ ଖବର