ଅଷ୍ଟ୍ରେଲିଆରେ କୁଲଦୀପ ୬୪ ବର୍ଷ ପୁରୁଣା ରେକର୍ଡର ହେଲେ ସମକକ୍ଷ, ଧନ୍ୟବାଦ କହିଲେ ସେନ୍‌ ଓ୍ଵାର୍ଣ୍ଣ

ସିଡନୀ: ଟିମ୍‌ ଇଣ୍ଡିଆର ଷ୍ଟାର ଚାଇନାମ୍ୟାନ୍‌ କୁଲଦୀପ ଯାଦବ ସିଡନୀ ଟେଷ୍ଟର ୪ର୍ଥ ଦିନରେ ଆୟୋଜକ କଙ୍ଗାରୁ ଟିମ୍‌ର ଖେଳାଳିଙ୍କ ହୋସ୍‌ ଉଡ଼ାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ମାଟିରେ ନିଜର ପ୍ରଥମ ଟେଷ୍ଟରେ କୁଲଦୀପ ଇନିଂସରେ ୯୯ ରନ ଦେଇ ୫ ଓ୍ଵିକେଟ ନେଇଛନ୍ତି, ଯାହା ଦ୍ୱାରା କି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୦୦ ରନ୍‌ରେ ଆଉଟ୍‌ ହୋଇଛି। ଅଷ୍ଟ୍ରେଲିଆ ଟିମ୍‌ ନିଜ ମାଟିରେ ୩୧ ବର୍ଷ ପରେ ଭାରତ ବିପକ୍ଷରେ ଫଲୋଅନ୍‌ ଖେଳିବାକୁ ବାଧ୍ୟ ହୋଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ଏଚ୍‌ଜି)ରେ କୁଲଦୀପ ଯାଦବ ଏହି ସ୍ମରଣୀୟ ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌ ସ୍ପିନର ସେନ୍‌ ଓ୍ଵାର୍ଣ୍ଣ ଧନ୍ୟବାଦ ଜଣାଇଛନ୍ତି।

ସିଡନୀର ପ୍ରଦର୍ଶନ ନେଇ କୁଲଦୀପ ଯାଦବ କହିଛନ୍ତି, ନିଜର ଆଦର୍ଶଙ୍କ ସମ୍ମୁଖରେ ୫ ଓ୍ଵିକେଟ ନେବା ମୋ ପାଇଁ ଗର୍ବର ବିଷୟ। ଏହା ପରେ ଓ୍ଵାର୍ଣ୍ଣ ଟୁଇଟ କରି ଲେଖିଛନ୍ତି, ତୁମେ (କୁଲଦପୀ) ଭଲ ବୋଲିଂ କରିଛ ଏବଂ ୫ ଓ୍ଵିକେଟ ନେଇଥିବାରୁ ଧନ୍ୟବାଦ ଜଣାଉଛି। ତୁମର ଏଭଳି ସ୍ନେହଭରା ଶବ୍ଦ ପାଇଁ ପୁଣି ଥରେ ଧନ୍ୟବାଦ ଜଣାଉଛି। ତୁମ ସହିତ କାମ କରିବା ଓ ତୁମେ ବୋଲିଂ କରୁଥିବା ଦେଖି ବହୁତ ଭଲ ଲାଗିଛି। ଏହା ମୋ ପାଇଁ ଖୁସିର ବିଷୟ।

ସିଡନୀରେ ଗୋଟିଏ ପାଳିରେ ୫ ଓ୍ଵିକେଟ ନେବା ସହିତ କୁଲଦୀପ ଅନେକ ରେକର୍ଡ ନିଜ ନାଁରେ ସାମିଲ କରିଛନ୍ତି। କୁଲଦୀପଙ୍କ ପୂର୍ବରୁ ଶେଷ ଥର ପାଇଁ ଅଷ୍ଟ୍ରେଲିଆରେ ୫ ଓ୍ଵିକେଟ ନେଇଥିବା ଅନ୍ୟତମ ଭାରତୀୟ ହେଉଛନ୍ତି ଅନିଲ କୁମ୍ବଲେ, ଯିଏ କି ୨୦୦୭ରେ ଖେଳାଯାଇଥିବା ମେଲବର୍ଣ୍ଣ ଟେଷ୍ଟରେ ଏହି କାମ କରିଥିଲେ। ଅଷ୍ଟ୍ରେଲିଆରେ ୫ ଓ୍ଵିକେଟ ନେଇଥିବା କୁଲଦୀପ ୨ୟ ଲେଫ୍ଟ ଆର୍ମ ରିଷ୍ଟ ସ୍ପିନର। ଏହା ପୂର୍ବରୁ ୧୯୯୫ରେ ଇଂଲଣ୍ଡର ଜନି ଓ୍ଵାଲର୍ଡ ସିଡନୀରେ ଖେଳାଯାଇଥିବା ଟେଷ୍ଟରେ ପାଳିରେ ୭୯ ରନ ଦେଇ ୫ ଓ୍ଵିକେଟ ନେଇଥିଲେ। ଏହି ଆଧାରରେ କୁଲଦୀପ ଜନି ଓ୍ଵାଲର୍ଡଙ୍କ ୬୪ ବର୍ଷର ରେକର୍ଡ ସମକକ୍ଷ ହୋଇଛନ୍ତି।

ସମ୍ବନ୍ଧିତ ଖବର