ଶାସ୍ତ୍ରୀ ଦେଖାଇଲେ ଅସ୍ତ୍ର

ଆମ ପାଖରେ ପର୍ଯ୍ୟାପ୍ତ ଗୋଳା ବାରୁଦ ଅଛି ପରିବେଶ ଉପରେ ନିର୍ଭର କରିବ ବ୍ୟାଟିଂକ୍ରମ ୪ ନମ୍ବରକୁ ନେଇ ଆଦୌ ଚିନ୍ତା ନାହିଁ

ନୂଆଦିଲ୍ଲୀ,: ବିଶ୍ବକପ୍ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତୀୟ ଦଳକୁ ନେଇ ଅନେକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ଦଳରେ ଯଥେଷ୍ଟ ନମନୀୟତା ଥିବା ଶାସ୍ତ୍ରୀ ପ୍ରକାଶ କରିବା ସହ ବିଶ୍ବକପ୍ ପାଇଁ ଦଳରେ ଏକାଧିକ ଅମୋଘ ଅସ୍ତ୍ର ଥିବା ସୂଚନା ଦେଇଛନ୍ତି। ସେହିଭଳି ଏକ ନିର୍ଦିଷ୍ଟ ମ୍ୟାଚ୍ ପାଇଁ ଦଳ ଗଠନ ସେହି ଦିନର ପାଗ ଓ ପରିବେଶ ଉପରେ ନିର୍ଭର କରିବ। କୌଣସି ଖେଳାଳିଙ୍କ ଖେଳିବା ସ୍ଥାନ ପୂର୍ବରୁ ସ୍ଥିର କରାଯିବ ନାହିଁ। ପରିସ୍ଥିତି ମୁତାବକ ସେମାନେ ସବୁ ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହି‌ବେ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ଆମ ଦଳ ବେଶ୍ ନମନୀୟ। ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଆମେ ବିଶ୍ବାସ କରୁ। ଆମ ପାଖରେ ପର୍ଯ୍ୟାପ୍ତ ଗୋଳା ବାରୁଦ ଅଛି। ୪ ନମ୍ବରରେ ଖେଳିବା ଲାଗି ଆମ ପାଖରେ ଅନେକ ଖେଳାଳି ଅଛନ୍ତି। ମୁଁ ଏଥିନେଇ ଆଦୌ ଚିନ୍ତିତ ନୁହେଁ। ଆମେ ସବୁ ଦିଗରୁ ପ୍ରସ୍ତୁତ ଅଛୁ। ୧୫ ଜଣିଆ ଦଳରେ ଥିବା ଖେଳାଳି ଯେ କୌଣସି ସମୟ ଏବଂ ଯେ କୌଣସି ସ୍ଥାନରେ ଖେଳି ପାରିବେ। କୌଣସି ଦ୍ରୁତ ବୋଲର ଯଦି ଆହତ ହୁଅନ୍ତି, ଆମେ ତୁରନ୍ତ ତାଙ୍କ ବଦଳ ଖେଳାଳି ବାଛିବୁ।
।୨୨ରେ ଯିବ ଭାରତୀୟ ଦଳ
ବିଶ୍ବକପ୍ ମେ’ ୩୦ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ୍ ଦଳ ଏଥିଲାଗି ଆସନ୍ତା ୨୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍ ଜୁନ୍ ୫ ତାରିଖରେ ସାଉଥମ୍ପଟନର ରୋଜ୍ ବାୱେଲଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଦ୍ବିତୀୟ ମୁକାବିଲାରେ ୯ ତାରିଖ ଦିନ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଏହା ପରେ ୧୩ରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ। ତେବେ ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଜୁନ୍ ୧୬ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ। ଜୁନ୍ ୨୨ରେ ଆଫଗାନିସ୍ତାନ, ୨୭ରେ ୱେଷ୍ଟଇଣ୍ଡିଜ୍, ୩୦ରେ ଆୟୋଜକ ଇଂଲଣ୍ଡ, ଜୁଲାଇ ୨ରେ ବାଂଲାଦେଶ ଏବଂ ଜୁଲାଇ ୬ରେ ଶେଷ ମ୍ୟାଚ୍ ଶ୍ରୀଲଙ୍କା ସହ ଖେଳିବ। ଏଥର ବିଶ୍ବକପ୍‌ର ଫର୍ମାଟ ବଦଳିଥିଲା ବେଳେ ଗୋଟିଏ ଗ୍ରୁପରେ ୧୦ଟି ଯାକ ଦଳ ରହିଛନ୍ତି। ପ୍ରତ୍ୟେକ ଦଳ ପ୍ରତ୍ୟେକକୁ ଭେଟିବା ପରେ ଶୀର୍ଷ ୪ ସ୍ଥାନ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯ ମ୍ୟାଚ୍ ଖେଳିବେ।
। କେଦାରଙ୍କ ପାଇଁ ସମୟ ଅଛି
ଆଇପିଏଲ-୧୨ ଅବସରରେ ଅଲରାଉଣ୍ଡର କେଦାର ଯାଦବ ଆହତ ହୋଇଥିଲେ ମଧ୍ୟ ଏଥିନେଇ ଶାସ୍ତ୍ରୀ ବିଶେଷ ଚିନ୍ତିତ ନାହାନ୍ତି। ମୁଁ ଏଥିନେଇ ଆଦୌ ଚିନ୍ତାରେ ନାହିଁ। ସତ କଥା ହେଲା ମୁଁ ଏହାକୁ ଏବେ ମୁଣ୍ଡରେ ପୂରାଇ ନାହିଁ। ମେ ୨୨ରେ ଯେତେବେଳେ ବିମାନ ଉଡ଼ିବ, ସେତେବେଳେ ଆମେ ଦେଖିବୁ ୧୫ ଜଣିଆ ଦଳରେ କିଏ କିଏ ଅଛନ୍ତି। ସୌଭାଗ୍ୟ ବଶତଃ କେଦାରଙ୍କ ମାମଲାରେ କୌଣସି ବଡ଼ ଧରଣର ଆଘାତ ନାହିଁ। ଆମେ ଅପେକ୍ଷା କରିଛୁ। ଆହୁରି ସମୟ ଅଛି, ସବୁ କିଛି ଠିକ୍ ହୋଇଯିବ ବୋଲି ମୁଁ ଭାବୁଛି।
। ଆଗୁଆ ଯୋଜନା ସମ୍ଭବ ନୁହେଁ
ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଲାଗି ଆପଣ ଆଗରୁ କୌଣସି ଯୋଜନା ପ୍ରସ୍ତୁତ କରି ପାରିବେ ନାହିଁ। ଆପଣ ଏଥିଲାଗି ୪ ବର୍ଷ ଧରି ପ୍ରସ୍ତୁତି କରି ଥାଆନ୍ତି। ପରିସ୍ଥିତି ମୁତାବକ ଯୋଜନା କରନ୍ତି। ଆପଣଙ୍କୁ ତ୍ବରିତ ନିଷ୍ପତ୍ତି ନେବାକୁ ‌ହୋଇଥାଏ। ଭିନ୍ନ ପରିସ୍ଥିତି ଲାଗି ଭିନ୍ନ ଯୋଜନା ତିଆରି କରିବାକୁ ହୁଏ। ଦୁଇଟି ବିଶ୍ବକପ୍ ଭିତରେ ମିଳିଥିବା ୪ ବର୍ଷ ହିଁ ସବୁଠାରୁ ମହତ୍ବପୂର୍ଣ୍ଣ। ପ୍ରକ୍ରିୟା ଠିକ୍ ଥିଲେ ଫଳାଫଳ ଅପେ ମିଳିଯାଏ ବୋଲି ଶାସ୍ତ୍ରୀ କହିଥିଲେ।
। ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ବିପଜ୍ଜନକ
ଲଣ୍ଡନ ବିଶ୍ବକପ୍ ଖେଳୁଥିବା ଦଳଗୁଡ଼ିକ ପାଇଁ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ଆକ୍ରମଣକୁ ପ୍ରତିହତ କରିବା ସବୁଠାରୁ ବଡ଼ ଆହ୍ବାନ ହେବ। ଭାରତରେ ଥିଲା ବେଳେ ଆମେ ସେମାନଙ୍କୁ ହରାଇ ଦେବୁ ବୋଲି ମୁଁ କହିଥିଲି। ହେଲେ ସେମାନେ ଆମକୁ କଡ଼ା ଟକ୍କର ଦେଇଥିଲେ। ଚମତ୍କାର କ୍ରିକେଟ୍ ଖେଳିଥିଲେ। ସେହି ଦଳରେ ଗେଲ୍ ଓ ରସେଲଙ୍କ ଭଳି ଖେଳାଳି ନଥିଲେ। ସେମାନଙ୍କ ବିସ୍ଫୋରକ ବ୍ୟାଟିଂ ସବୁଦଳ ପାଇଁ ବଡ଼ ବିପଦ। ଅଷ୍ଟ୍ରେଲିଆ ଅନ୍ୟଦଳଗୁଡ଼ିକ ଅପେକ୍ଷା ଅଧିକ ଥର ବିଶ୍ବକପ୍ ଜିତିଛି। ଗତ ୨୫ ବର୍ଷ ହେବ ସେମାନେ ଭଲ କ୍ରିକେଟ୍ ଖେଳି ଆସୁଛନ୍ତି। କଡ଼ା ପ୍ରତିଦ୍ବନ୍ଦ୍ବିତା କରିବା କଙ୍ଗାରୁଙ୍କ ରକ୍ତରେ ଅଛି। ଅଷ୍ଟ୍ରେଲିଆରେ ଅନେକ ଶ୍ରେଷ୍ଠ ଖେଳାଳି ଅଛନ୍ତି। ଅବଶ୍ୟ ବିଶ୍ବକପ୍‌ରେ ଏକ ନିର୍ଦିଷ୍ଟ ଦିନରେ ଯେଉଁ ଦଳ ଭଲ ଖେଳେ, ସେ ହିଁ ବିଜୟୀ ହୁଏ ବୋଲି ଶାସ୍ତ୍ରୀ ଆଇପିଏଲ୍ ପରେ ଦେଇଥିବା ପ୍ରଥମ ସାକ୍ଷାତକାର ଅବସରରେ କହିଛନ୍ତି।

ସମ୍ବନ୍ଧିତ ଖବର