ଅଧୁରା ରହିଲା ଶିବଙ୍କ ସ୍ୱପ୍ନ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଶୀତକାଳୀନ ଅଲିମ୍ପିକ୍ସରେ ୬ ଥର ଅଂଶଗ୍ରହଣ କରିଥିବା ଶିବ କେଶବନ୍‌ଙ୍କ ପଦକ ସ୍ୱପ୍ନ ଅଧୁରା ରହିଛି। ମାତ୍ର ୧୬ ବର୍ଷ ବୟସରେ ଅଲିମ୍ପିକ୍ସ ପ୍ରଦାର୍ପଣ କରିଥିବା ଶିବ ପିଙ୍ଗ୍‌ଚାଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍ସରେ ୩୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପିଙ୍ଗ୍‌ଚାଙ୍ଗ୍‌ ଅଲିମ୍ପିକ୍ସ ଶେଷ ଅଲିମ୍ପିକ୍ସ ହେବ ବୋଲି ପୂର୍ବରୁ ଘୋଷଣା କରିଥିବା ପ୍ରଥମ ଭାରତୀୟ ଶୀତକାଳୀନ କ୍ରୀଡ଼ା ପଦକ ବିଜେତା ଶିବ ରବିବାର ଦୁଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରୀଡ଼ା ସଂଗ୍ରାମରୁ ଅବ୍ୟହିତ ନେଇଥିଲେ।
ସୌନ୍ଦର୍ଯ୍ୟ ଭରା ଏବଂ ଥଣ୍ଡା ପରିବେଶ (ହିମାଚଳ ପ୍ରଦେଶର ମନାଲିର ଭାଶିସ୍ତ ଗ୍ରାମ)ରେ ବଢ଼ିଥିବା ଶିବ ଶୀତକାଳୀନ କ୍ରୀଡ଼ାରେ ଦେଶ ପାଇଁ ବହୁ କୀର୍ତିମାନ ଆଣିଥିଲେ। ମାତ୍ର ୧୪ ବର୍ଷ ବୟସରେ ଶିବ କନିଷ୍ଠ ଜାତୀୟ ସ୍କି ବିଜେତା ହୋଇଥିଲେ। ଏହାର ଗୋଟିଏ ବର୍ଷ ପରେ ଶିବ ପଢ଼ୁଥିବା ବିଦ୍ୟାଳୟରେ ବିଶ୍ୱ ପ୍ରତିଯୋଗିତା ଲାଗି ଏକ ଶିବିର ଆୟୋଜିତ ହୋଇଥିଲା। ଗୁଣ ଚିହ୍ନେ ଗୁଣିଆ ଭଳି ଅନ୍ତର୍ଜାତୀୟ ଲୁଗ୍‌ ମହାସଂଘର ମୁଖ୍ୟ ପ୍ରଶିକ୍ଷକ ଗୁନ୍ଥର ଲିମରର ଏହିଠାରେ ତାଙ୍କ ପ୍ରତିଭାକୁ ଚିହ୍ନି ନେଇଥିଲେ। ଶିବଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଖେଳେଇବା ଲାଗି ସୁଯୋଗ ଦେଇଥିଲେ। ଉଦୀୟମାନ ତାରକା ଭାବେ ତାଙ୍କ ନାମ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିଲା। ମାତ୍ର ୧୬ ବର୍ଷ ବୟସରେ ୧୯୯୮ ନାଗାନୋ ଅଲିମ୍ପିକ୍ସରେ ପଦାର୍ପଣ କରିବାର ସେ ସୁଯୋଗ ପାଇଗଲେ ଏବଂ ୬ ଅଲିମ୍ପିକ୍ସ ଅଂଶଗ୍ରହଣ କରିବାର ଶ୍ରେୟ ପାଇଲେ। ଏତେ ଥର ଅଲିମ୍ପିକ୍ସରେ ଖେଳିଥିଲେ ମଧ୍ୟ ତାଙ୍କର ପଦକ ଜିତିବା ସ୍ୱପ୍ନ ଅଧୁରା ରହିଗଲା ଇଟାଲିର ତୁରିନରେ ଆୟୋଜିତ ୨୦୦୬ ସଂସ୍କରଣରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏହି ସଂସ୍କରଣରେ ୨୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ଏବଂ ଚଳିତ ଥର ୩୪ତମ ସ୍ଥାନରେ ରହିଥିଲେ। ଏସୀୟ ପ୍ରତିଯୋଗିତାରେ ଦ୍ରୁତତମ ଲୁଗ୍‌ ଖେଳାଳି କୀର୍ତିମାନର ଅଧିକାରୀ ଶିବ ୨୦୧୧, ୨୦୧୨, ୨୦୧୬ ଏବଂ ୨୦୧୭ ଏସୀୟ ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର