ବନ୍ଧୁକଚାଳନା କନିଷ୍ଠ ବିଶ୍ୱକପ୍‌: ଭିଭାନଙ୍କୁ ଯୁଗଳ କାଂସ୍ୟ

ନୂଆଦିଲ୍ଲୀ: ଭାରତୀୟ ବନ୍ଧୁକ ଚାଳକ ଭିଭାନ କାପୁର ଅଷ୍ଟ୍ରେଲିଆର ସିଡ୍‌ନିରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ୱକପ୍‌ରେ ଦୁଇଟି ପଦକ ନିଜ ନାମରେ କରିଛନ୍ତି। ୧୬ ବର୍ଷୀୟ ଭିଭାନ୍‌ ଶୁକ୍ରବାର ଉଭୟ ପୁରୁଷ ଏକକ ଏବଂ ଦଳଗତ ଟ୍ରାପ୍‌ରେ କାଂସ୍ୟ ପଦକ ଜିତିଥିଲେ। ଏକକରେ ଚାଇନିଜ୍‌ ତାଇପେର କୁନ୍‌-ପି ୟାଙ୍ଗ୍‌ ସ୍ୱର୍ଣ୍ଣ ଏବଂ ଚୀନ୍‌ର ୟିଲିଉ ଓୟୁୟାଙ୍ଗ୍‌ ରୌପ୍ୟ ପଦକ ପାଇଥିଲା ବେଳେ ଭିଭାନ୍‌ କାଂସ୍ୟ ଜିତି ବିଶ୍ୱକପ୍‌ରେ ପ୍ରଥମ ପଦକ ନିଜ ନାମରେ କରିଥିଲେ। ଏହାପରେ ସେ ଲକ୍ଷ୍ୟ ସୋରେନ୍‌ ଏବଂ ଅଲି ଅମନ୍‌ ଇଲାହିଙ୍କ ସହ ମିଶି ଭାରତ (୩୨୮)କୁ ଦ୍ୱିତୀୟ କାଂସ୍ୟ ପଦକ ଭେଟି ଦେଇଥିଲେ। ଚୀନ୍‌ (୩୩୫) ସ୍ୱର୍ଣ୍ଣ ଓ ଅଷ୍ଟ୍ରେଲିଆ (୩୩୧) ରୌପ୍ୟ ପଦକ ହାସଲ କରିଥିଲେ। ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରି ପୋଜିସନ୍‌ର ଫାଇନାଲ୍‌ରେ ଭାରତର ଜର୍ଜ ସାଜନ କ୍ରିଷ୍ଟୋଫର୍‌ ପହଞ୍ଚିଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଭାରତ ଶୁକ୍ରବାର ସୁଦ୍ଧା ୨ ସ୍ୱର୍ଣ୍ଣ ଓ ୩ କାଂସ୍ୟ ସହ ମୋଟ ୫ ପଦକ ପାଇ ତାଲିକାରେ ଚୀନ୍‌ (୫ ସ୍ୱର୍ଣ୍ଣ, ୧ ରୌପ୍ୟ, ୩ କାଂସ୍ୟ) ପଛକୁ ଦ୍ୱିତୀୟରେ ରହିଛି।

ସମ୍ବନ୍ଧିତ ଖବର