ବନ୍ଧୁକ ଚାଳନା ବିଶ୍ୱକପ୍‌ : ପଦାର୍ପଣରେ ମାନୁଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ୨୦୧୮ ଅକ୍ଟୋବରରେ ହେବାକୁଥିବା ଯୁବ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ବନ୍ଧୁକଚାଳିକା ମାନୁ ଭାକର ନିଜ ପଦାର୍ପଣ ବନ୍ଧୁକଚାଳନା ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ଜିତିଛନ୍ତି। ମେକ୍ସିକୋର ଗୁଆଡାଲଜାରାଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ମହିଳା ୧୦ ମିଟର ଏୟାର ପିସ୍ତଲର ମଙ୍ଗଳବାର ଫାଇନାଲ୍‌ରେ ୧୬ ବର୍ଷୀୟା ମାନୁ ଦୁଇଥର ବିଶ୍ୱକପ୍‌ ବିଜୟିନୀ ସ୍ଥାନୀୟ ଖେଳାଳି ଅଲ୍‌ଜେନ୍ଦ୍ରା ଜାଭାଲାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲେ। ମାନୁ ୨୩୭.୫ ପଏଣ୍ଟ୍‌ ପାଇଥିଲା ବେଳେ ଜାବାଲା ୨୩୭.୧ ପାଇ ରୌପ୍ୟ ଏବଂ ଫ୍ରାନ୍ସର ସେଲିନା ଗୋବରଭିଲେ (୨୧୭) କାଂସ୍ୟ ପଦକ ଜିତିଥିଲେ। ଭାରତୀୟ ତାରକା ଯଶସ୍ୱନୀ ସିଂହ ଦେଶଓ୍ଵାଲ୍‌ ୧୯୬.୧ ପଏଣ୍ଟ୍‌ ପାଇ ଚତୁର୍ଥରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଏହି ସ୍ୱର୍ଣ୍ଣ ସହ ଭାରତ ୨ ସ୍ୱର୍ଣ୍ଣ ଓ ୩ କାଂସ୍ୟ ସହ ପଦକ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ ଛଡ଼ା ଅନ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ସଂଖ୍ୟା ୨ରେ ପହଞ୍ଚାଇ ନାହାନ୍ତି। ପୂର୍ବରୁ ସାହଜର୍‌ ରିଜ୍‌ଭି ସ୍ୱର୍ଣ୍ଣ ପଦକ କରାୟତ କରିଥିଲା ବେଳେ ରବି କୁମାର, ଜିତୁ ରାଇ ଓ ମେହୁଲି ଘୋଷ କାଂସ୍ୟ ପଦକ ଜିତିଥିଲେ। ମୁଁ ସ୍ୱର୍ଣ୍ଣ ଜିତିଥିବାରୁ ବହୁତ ଖୁସି। ବିଶେଷ କରି ମୋର ପ୍ରଥମ ବିଶ୍ୱକପ୍‌ରେ ଏଭଳି ସଫଳତା ଖୁସିକୁ ଦ୍ୱିଗୁଣିତ କରିଦେଇଛି। ଆଗାମୀ ପ୍ରତିଯୋଗିତାରେ ଏଭଳି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଠା କରିିବି ବୋଲି ମାନୁ କହିଛନ୍ତି।

ସମ୍ବନ୍ଧିତ ଖବର