ଭିଭିଏସ୍‌ ଲକ୍ଷ୍ମଣ:ଶ୍ରେୟସ୍‌ ବହୁତ କିଛି କରିପାରିବେ

ଧର୍ମଶାଳାରେ ଲଜ୍ଜାଜନକ ପ୍ରଦର୍ଶନ କରିବା ପରେ ଭାରତ ସଫଳ ପ୍ରତ୍ୟାବର୍ତନ କଲା। ପରବର୍ତୀ ଦୁଇ ମ୍ୟାଚ୍‌କୁ ଜିତି ଲଗାତାର ୮ ଦିନିକିଆ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିଲା। ପ୍ରଥମ ମ୍ୟାଚ୍‌ର ବିଫଳତା ପରେ ଶେଷ ଦୁଇରେ ବରିଷ୍ଠ ଖେଳାଳିମାନେ ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଇଲେ। ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ ଦୁଇଟି ଯାକ ମୁକାବିଲାରେ ଭଲ କରି ଭାରତକୁ ଆଉ ଏକ ଶୃଙ୍ଖଳା ବିଜୟ ଉପହାର ଦେଲେ। ମୋହାଲିରେ ଥିସାରା ପେରେରା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଘରୋଇ ପ୍ରାରମ୍ଭିକ ଯୋଡ଼ିକୁ ପରୀକ୍ଷାରେ ପକାଇଥିଲା। ପୂର୍ବାହ୍ନ ୧୧ଟା ୩୦ରେ ମ୍ୟାଚ୍‌ ଆରମ୍ଭ ହେବା ମଧ୍ୟ ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ କାମକୁ ଆହୁରି କଷ୍ଟକର କରି ଦେଇଥିଲା। ଫଳରେ ପ୍ରଥମ ୧୦ ଓଭରରେ ଉଭୟ ମାତ୍ର ୩୩ ରନ୍‌ କରିଥିଲେ। ତା’ ପରେ ଶିଖର ଆକ୍ସିଲିଟରରେ ପାଦ ଥୋଇ ରନ୍‌ ହାର ବଢ଼ାଇ ଦେଇଥିଲେ। ହେଲେ ଶତକ ପୂର୍ବରୁ ଏକାଗ୍ରତା ହରାଇ ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ରୋହିତ କିନ୍ତୁ ଶତକ ପୂରଣ କରିବା ପରେ ମାତ୍ର ୩୬ ବଲ୍‌ରେ ଆଉ ୧୦୦ ରନ୍‌ କରି ଦିନିକିଆରେ ନିଜ ତୃତୀୟ ଦ୍ୱି-ଶତକ ପୂରଣ କରିନେଲେ। ଶ୍ରୀଲଙ୍କା ବ୍ୟାଟିଂ ପାଇଁ ଆସିଲା ବେଳେ କେବେବି ବିଜୟ ପାଇଁ ଖେଳିବା ଭଳି ଲାଗି ନଥିଲା। ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ଏହି ଦଳ ପାଇଁ ଏକମାତ୍ର ସାନ୍ତ୍ୱନା ହୋଇଥିଲା।

ବିଶାଖାପାଟଣା ଶୃଙ୍ଖଳା ନିର୍ଣ୍ଣାୟକ ପୂରା ଏକତରଫା ବ୍ୟାପାର ହୋଇଥିଲା। ଉପୁଲ ତରଙ୍ଗା ୨୮ତମ ଓଭରରେ ଆଉଟ୍‌ ହେବା ପରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ସିଂହଳୀ ଦଳକୁ ମାତ୍ର ୨୧୫ ରନ୍‌ରେ ସୀମିତ କରିଦେଲେ। ଶିଖର ଶତକୀୟ ପାଳି ଖେଳି ଭାରତକୁ ମ୍ୟାଚ୍‌ ଏବଂ ଶୃଙ୍ଖଳା ବିଜୟ ଉପହାର ଦେଲେ। ଉଭୟ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ରେ ମୁମ୍ବାଇ ତାରକା ଶ୍ରେୟସ୍‌ ଆୟରଙ୍କ ବ୍ୟାଟିଂ ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଧର୍ମଶାଳାରେ ଖରାପ କଲା ପରେ ବି ସେ ଆଦୌ ବିଚଳିତ ନହୋଇ ପରବର୍ତୀ ଦୁଇ ଦିନିକିଆରେ ନିଜ ପ୍ରତିଭାର ଜବରଦସ୍ତ ପ୍ରଦର୍ଶନ କଲେ। ବିନା ଚାପରେ ସ୍ୱାଭାବିକ ଖେଳ ଖେଳି ଲଗାତାର ଦୁଇଟି ଅର୍ଧଶତକ ଅର୍ଜନ କରିନେଲେ।

ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ମୁଁ ଭାବୁଛି। ଆଗକୁ ସେ ସଫଳତାର ନୂଆ ସ୍ତର ଛୁଇଁବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ସେପଟେ ଶ୍ରୀଲଙ୍କାକୁ ଜଣେ ଦକ୍ଷ ଅଧିନାୟକର ଦରକାର ରହିଛି। ସିଂହଳୀ ନୂଆ ପିଢ଼ି ଭାରତଠାରୁ ଅନେକ କିଛି ଶିଖିବାର ଅଛି। ଭାରତୀୟ ଦଳ ସବୁବେଳେ ଦକ୍ଷ ଅଧିନାୟକଙ୍କ ନେତୃତ୍ୱରେ ରହି ଆସିଛି। ସୌରଭ ଗାଙ୍ଗୁଲି , ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ମାଧ୍ୟମରେ ଭାରତ ଗୋଟିଏ ପିଢ଼ିରୁ ସଫଳତାର ସହ ଅନ୍ୟ ପିଢ଼ିକୁ ଯାଇ ପାରିଛି। ଶ୍ରୀଲଙ୍କା ଏକଥା ନବୁଝିଲେ ସେମାନଙ୍କ ପାଇଁ ସଫଳତା ଧାରାକୁ ଫେରିବା ଜମା ସହଜ ହେବନି ବୋଲି ଭାବୁଛି। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର