ଶୁଭମ୍‌ଙ୍କୁ ୫ ଓ୍ଵିକେଟ୍‌: ମଧ୍ୟପ୍ରଦେଶ ୩୯୯

ସି.କେ. ନାୟୁଡୁ ଟ୍ରଫି

କଟକ: ଭାରତୀୟ କନିଷ୍ଠ ଦଳର ପୂର୍ବତନ ସଦସ୍ୟ ଶୁଭମ୍‌ ନାୟକ ସିକେ ନାୟୁଡୁ ଟ୍ରଫିରେ ସୋମବାର ୫ ଓ୍ଵିକେଟ ଦଖଲ କରିଛନ୍ତି। ମଧ୍ୟପ୍ରଦେଶ ବିପକ୍ଷରେ ଖେଳାଯାଉଥିବା ମ୍ୟାଚର ଦ୍ୱିତୀୟ ଦିନରେ ଘରୋଇ ଦଳ ପାଳି ଅଗ୍ରଣୀ ନେଇ ୩୯୯ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଓଡ଼ିଶା ପକ୍ଷରୁ ଶୁଭମ୍‌ ୨୭.୪ ଓଭର ବୋଲିଂ କରି ୩ ମେଡେନ୍‌ ଓ ୧୧୪ ରନ୍‌ ସହ ୫ ଓ୍ଵିକେଟ ଅକ୍ତିଆର କରିଥିଲେ। ଆଶୁତୋଷ ଦାସ ୩, ଦେବାଶିଷ ସାମନ୍ତରାୟ ଗୋଟିଏ ଓ୍ଵିକେଟ ନେଇଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୩ ଓଭରରେ ବିନା କୌଣସି କ୍ଷତିରେ ୭ ରନ୍‌ ସଂଗ୍ରହ କରିଛି। ରାଜେଶ ଧୂପର (୦*) ଏବଂ ସନ୍ଦୀପ ପଟ୍ଟନାୟକ (୬*) ଖେଳୁଥିଲେ।

ଏଥି ପୂର୍ବରୁ ପ୍ରଥମ ଦିନର ଅସମାପ୍ତ ସ୍କୋର ୬୨/୧ରୁ ମଧ୍ୟପ୍ରଦେଶ ଦିନର ଖେଳ ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟ୍ସମ୍ୟାନ ଚନ୍ଦନ ସିଂହ ୨୫ ରନ୍‌ କରି ଶୁଭମଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲାବେଳେ ଆର୍ଯ୍ୟମାନ ବିର୍ଲା ଶତକ ଅର୍ଜନ କରିଥିଲେ। ସେ ୨୨୦ ବଲ୍‌ର ସମ୍ମୁଖୀନ ହୋଇ ୨୨ ଚୌକା ଓ ୨ ଛକା ସହାୟତାରେ ୧୫୩ ରନ୍‌ କରିବା ସହ ଦଳକୁ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଆର୍ଯ୍ୟମାନ ମଧ୍ୟ ଶୁଭମଙ୍କ ଶିକାର ହୋଇଥିଲେ। ଆର୍ଯ୍ୟମାନଙ୍କ ବ୍ୟତୀତ ଅଜୟ ରୋହରା ୮୨, ମହମ୍ମଦ ଆର୍ସଦ ଖାନ୍‌ ୭୧ରନ୍‌ର ଯୋଗଦାନ କରିଥିଲେ। ଭେଙ୍କଟେଶ, ଅର୍ସଦ, ବିବେକ ସିଂହ (୦) ଓ ନମନ ଭଟ୍ଟ (୪) ଶୁଭମଙ୍କ ବଲ୍‌ରେ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର