ସୁଶାନ୍ତଙ୍କ ଶେର୍ପା କାହାଣୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ ବନ୍ୟପ୍ରାଣୀବିତ୍‌ ତଥା ଦୁଃସାହସିକ କ୍ରୀଡ଼ା ‌ପୃ‌ଷ୍ଠପୋଷକ ସୁଶାନ୍ତ କୁମାର ଦାସଙ୍କ ଦ୍ବାରା ଲିଖିତ ତଥା ପ୍ରକାଶିତ ‘ଦି ଲଙ୍ଗ୍‌ ୱାକ୍‌ ଫ୍ରମ୍‌ ଡାର୍କନେସ୍‌ ଟୁ ଲାଇଟ୍‌’ ପୁସ୍ତକ ଗତ ୧୨ ତାରିଖରେ ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ସଂସ୍ଥା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟି କିମ୍ବଦନ୍ତୀ ପର୍ବତାରୋହୀ ‘କୁସାଙ୍ଗ ଦୋର୍ଜି ଶେର୍ପା’ଙ୍କ ଆତ୍ମଜୀବନୀକୁ ନେଇ ରଚିତ। ଉନ୍ମୋଚନ ଉତ୍ସବରେ ଦାର୍ଜିଲିଂ ପୁଲିସ ମହାନିରୀକ୍ଷକ ମନୋଜ କୁମାର ବର୍ମା, ଗ୍ରୁପ କ୍ୟା‌ପ୍‌ଟେନ୍‌ ଜୟକିଷାନ, ହିମାଳୟ ପର୍ବତାରୋହଣ ସଂସ୍ଥାର ଉପାଧ୍ୟକ୍ଷ ଉଇଙ୍ଗ୍‌ କମାଣ୍ଡର ଦେବୀଦତ୍ତ ପଣ୍ଡା ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦାର୍ଜିଲିଂ ପୁଲସ ଅଧିକ୍ଷକ ଅଖିଳେଶ ଚର୍ତୁବେଦୀ, କୁସାଙ୍ଗ ଶେର୍ପା ଏବଂ ଲେଖକ ସୁଶାନ୍ତ ଦାସ ଉପସ୍ଥିତ ଥିଲେ। କୁସାଙ୍ଗ ଶେର୍ପା ନିଜର ନିଷ୍ଠା, ଇଛାଶକ୍ତି ଓ ଦକ୍ଷତା ପାଇଁ ଅପାଠୁଆ ଥିଲେ ମଧ୍ୟ ପ୍ରଥମ ଭାରତୀୟ ଏବଂ ବିଶ୍ବର ପଞ୍ଚମ ପର୍ବତାରୋହୀ ଭାବେ ଏଭରେଷ୍ଟ୍‌ ଶୃଙ୍ଘର ପୂର୍ବପଟ ତଥା ବିପଦ ଶଙ୍କୁଳ କାଙ୍ଗଶୁଙ୍ଗ ପାର୍ଶ୍ବଦେଇ ଆରୋହଣ କରି କୀର୍ତିମାନ କରିଥିଲେ। ୧୯୯୯ ମସିହାରୁ ଏ ପର୍ଯ୍ୟନ୍ତ ତାଙ୍କର ଏହି କୀର୍ତିମାନ ଅତୁଟ ରହିଛି। ସେ ଦାଦନ ଶ୍ରମିକରୁ ଜୀବନ ଆରମ୍ଭ କରି ଶେଷରେ ହିମାଳୟ ପର୍ବତାରୋଣ ସଂସ୍ଥାର ମୁଖ୍ୟ ପ୍ରଶିକ୍ଷକ ଭାବେ ଅବସର ନେବା ସହ କିମ୍ବଦନ୍ତୀ ପର୍ବତାରୋହୀ ଭାବେ ପରିଚିତ ହୋଇପାରିଛନ୍ତି। ସୁଶାନ୍ତଙ୍କ ଦ୍ବାରା ନିଖୁଣ ଭାବେ ଲିଖିତ କୁସାଙ୍ଗଙ୍କ ଆତ୍ମଜୀବନୀ ନିଶ୍ଚିତ ଭାବେ ଆକାଂକ୍ଷିତ ପର୍ବତାରୋହୀ ତଥା ବର୍ତମାନ ପିଢ଼ିର ଯୁବ ସମାଜକୁ ଉତ୍ସାହିତ କରିବ ବୋଲି ‌ଲେଖକ ଆଶାବାଦୀ ରହିଛନ୍ତି।

ସମ୍ବନ୍ଧିତ ଖବର