ଶିବସୁନ୍ଦର ମଣିପୁର ମୁଖ୍ୟ ପ୍ରଶିକ୍ଷକ

କଟକ: ଆନ୍ତର୍ଜାତିକ କ୍ରିକେଟର୍‌ ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ଶିବସୁନ୍ଦର ଦାସ ଚଳିତ ଋତୁରେ ମଣିପୁର ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ପାଇଛନ୍ତି। ପ୍ରଥମ ଥର ପାଇଁ ଉତ୍ତର-ପୂର୍ବାଞ୍ଚଳ ଦଳଗୁଡ଼ିକ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ସାମିଲ ହୋଇଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷକ, ଟ୍ରେନର, ଫିଜିଓ ଇତ୍ୟାଦିକୁ ବିସିସିଆଇ ଯୋଗାଇ ଦେଉଛି। ସେହି କ୍ରମରେ ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମିରେ ବ୍ୟାଟିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଶିବସୁନ୍ଦରଙ୍କୁ ମଣିପୁର ମୁଖ୍ୟ ପ୍ରଶିକ୍ଷକ ଭାବେ ନୂଆ ନିଯୁକ୍ତି ମିଳିଛି। ଗତ ମାସରେ ସେ ବିସିସିଆଇର ମ୍ୟାଚ୍‌ ରେଫରି ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲା ବେଳେ ଏବେ ପୁଣି ମଣିପୁରର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ପାଇଛନ୍ତି। ୨୦୧୩ରେ ବିସିସିଆଇ ଲେବୁଲ-୧ ପ୍ରଶିକ୍ଷକ ପରୀକ୍ଷାରେ ପାସ୍‌ କରିଥିବା ଶିବସୁନ୍ଦର ଖେଳଜୀବନରୁ ଅବସର ନେବା ପରେ ଜେଡ୍‌ସିଏ, ଏନ୍‌ସିଏ, ଭାରତୀୟ କନିଷ୍ଠ ଦଳ, ୨୦୧୫ରେ ସିଊ ସିଲଂରେ ହୋଇଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରଶିକ୍ଷଣ ଶିବିର ଇତ୍ୟାଦିରେ ପ୍ରଶିକ୍ଷଣ ଦେଇସାରିଛନ୍ତି। ଗତ ଋତୁରେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରିଥିଲେ। ରଣଜୀ ଟ୍ରଫିରେ ମଣିପୁର ପ୍ଲେଟ୍‌ ଗ୍ରୁପ୍‌ରେ ସ୍ଥାନ ପାଇଥିଲା ବେଳେ ନଭେମ୍ବର ୧ ତାରିଖରେ ସିକିମ୍‌, ୧୨ରେ ଉତ୍ତରାଖଣ୍ଡ, ୨୦ରେ ମିଜୋରାମ, ୨୮ରେ ମେଘାଳୟ, ଡିସେମ୍ବର ୬ରେ ନାଗାଲାଣ୍ଡ, ୨୨ରେ ଅରୁଣାଚଳ ପ୍ରଦେଶ, ୩୦ରେ ପୁଡୁଚେରୀ, ଜାନୁଆରି ୭ରେ ବିହାର ବିପକ୍ଷରେ ମ୍ୟାଚ୍‌ ଖେଳିବ।

ନୂଆ ଦଳକୁ ପ୍ରସ୍ତୁତ କରାଇବା ବଡ଼ ଦାୟିତ୍ୱ: ଶିବ
କଟକ: ମଣିପୁର ଦାୟିତ୍ୱ ନେବା ପରେ ଶିବସୁନ୍ଦର କହିଛନ୍ତି ଯେ ନୂଆ ଦଳର ପ୍ରଶିକ୍ଷକ ହେବା ବହୁତ ବଡ଼ ସୁଯୋଗ। ଏଥିପାଇଁ ସେ ଉତ୍ସାହିତ ଅଛନ୍ତି। ନୂଆ ଦଳକୁ ପ୍ରସ୍ତୁତ କରିବା ମଧ୍ୟ ଏକ ବଡ଼ ଦାୟିତ୍ୱ। ସେହିି ରାଜ୍ୟରେ କ୍ରିକେଟର ଉନ୍ନତି ରଣଜୀ ପ୍ରଦର୍ଶନ ଉପରେ ନିର୍ଭର କରୁଛି। ଏବେ ତ ରଣଜୀ ପାଇଁ ଦଳକୁ ପ୍ରସ୍ତୁତ କରାଇବାକୁ ହାତରେ ସମୟ ବହୁତ କମ୍‌ ଅଛି। ତଥାପି ଅଳ୍ପ ସମୟ ମଧ୍ୟରେ ନୂଆ ଦଳକୁ ପ୍ରସ୍ତୁତ କରାଇବା ଆହ୍ଵାନଭରା ରହିବ ବୋଲି ଶିବସୁନ୍ଦର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତା ୯ ତାରିଖରୁ ମଣିପୁରର ଅଭ୍ୟାସ ଶିବିର ଆସାମର ଗୌହାଟୀରେ ହେବ। ଶିବସୁନ୍ଦର ଓଡ଼ିଶା ପାଇଁ ୧୯୯୩-୯୪ ଋତୁରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏଥି ସହିତ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳିଛନ୍ତି। ଓଡ଼ିଶା ପାଇଁ ୨୦୦୬ ଡିସେମ୍ବର ୨୫ ତାରିଖରେ ଜମ୍ମୁ କାଶ୍ମୀର ବିପକ୍ଷରେ ବ୍ୟକ୍ତିଗତ ଓ ଓଡ଼ିଶାର ପ୍ରଥମ ତ୍ରିଶତକ ହାସଲ କରିଥିଲେ। ଏଥିପାଇଁ ୫୦୦ ବଲ୍‌ର ସମ୍ମୁଖୀନ ହୋଇଥିଲା ବେଳେ ୪୦ ଚୌକା ତାଙ୍କ ପାଳିରେ ସାମିଲ ଥିଲା। ୨୦୧୧ରେ ଓଡ଼ିଶା ରଣଜୀ ଦଳରୁ ବାଦ୍‌ ପଡ଼ିବା ପରେ ବିଦର୍ଭ ପଟୁ ଅବସର ନେବା ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ। ୨୦୧୩ରେ ଶେଷ ଥର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ପରେ ବିସିସିଆଇ ଲେବୁଲ-୧ ପ୍ରଶିକ୍ଷକ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୦ ମସିହା ନଭେମ୍ବର ୧୦ ତାରିଖରେ ବାଂଲାଦେଶ ବିପକ୍ଷରେ ଶିବସୁନ୍ଦର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସଂଜୟ ରାଉଳ ଓ ଦେବାଶିଷ ମହାନ୍ତିଙ୍କ ପରେ ଓଡ଼ିଶା ପାଇଁ ତୃତୀୟ ଆନ୍ତର୍ଜାତିକ ଖେଳାଳି ଭାବେ ପରିଚୟ ପାଇଥିଲେ। ମୋଟ ୨୩ ଟେଷ୍ଟରୁ ୩୪.୮୯ ହାରରେ ୧୩୨୬ ରନ୍‌ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୨ ଶତକ ଓ ୯ ଅର୍ଧଶତକ ଅନ୍ତର୍ଭୁକ୍ତ। ସଫଳ ଟେଷ୍ଟ୍‌ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେବା ପରେ ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ମାତ୍ର ୪ ଦିନିକିଆରୁ ୩୯ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ଶ୍ରେଣୀ ଜୀବନରେ ସେ ୧୮୦ ମ୍ୟାଚ୍‌ ଖେଳିଥିବା ବେଳେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ୧୦,୦୦୦ ରନ୍‌ ଅତିକ୍ରମ କରିଥିଲେ। ସେହିପରି ୮୧ ଲିଷ୍ଟ ଏ’ରୁ ୪ ଶତକ ଓ ୧୩ ଅର୍ଧଶତକ ସହ ୨୪୨୧ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର