ସିଲି ପଏଣ୍ଟ୍‌:ବଳାତ୍କାର ଅଭିଯୋଗକାରିଣୀଙ୍କୁ ବିବାହ ପରେ ସୌମ୍ୟଜିତ୍‌ଙ୍କ ସଂଘର୍ଷ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିଆନ୍‌ ଟେବୁଲ୍‌ ଟେନିସ୍‌ ଖେଳାଳି ସୌମ୍ୟଜିତ୍‌ ଘୋଷଙ୍କ ପାଇଁ ୪ ମାସ ଭିତରେ ଦୁନିଆ ବଦଳିଯାଇଛି। ତା’ପୁଣି ବିଶ୍ୱ ମାନ୍ୟତାରେ ନିଜ ଖେଳ ଜୀବନର ଶ୍ରେଷ୍ଠ ୫୮ତମ ସ୍ଥାନକୁ ଉଠିବା ସମୟରେ। ମାର୍ଚ ମାସରେ ବେଙ୍ଗଲର ଜଣେ ଝିଅ ସୌମ୍ୟଜିତ୍‌ଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ତାଙ୍କୁ ସେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଆଇନଗତ ମାମଲା ଲାଗି ରହିଥିବାରୁ ସୌମ୍ୟଜିତ୍‌ ଖେଳଠାରୁ ଦୂରେଇ ଯାଇଛନ୍ତି। ଫଳରେ ତାଙ୍କ ଓଜନ ୧୦ କିଲୋଗ୍ରାମ ବଢ଼ିଯାଇଛି। ‘ବିଗତ ୪ ମାସ ଭିତରେ ଯାହାକିଛି ଘଟିଗଲା ମୁଁ କିଭଳି ମୁକାବିଲା କରିବି ଜାଣିପାରି ନାହିଁ। ଅଦାଲତ ମାମଲା ତୁଟିଯିବା ପରେ ମୁଁ ଅଭ୍ୟାସ ଆରମ୍ଭ କରିବି ବୋଲି କହିଛନ୍ତି ୨୫ ବର୍ଷୀୟ ସୌମ୍ୟଜିତ୍‌। ମୁଁ ମୋ ଖେଳ ଜୀବନର ଶ୍ରେଷ୍ଠତ୍ୱରେ ଥିବାବେଳେ ଏଭଳି ଘଟଣା ଘଟିଛି। ଜର୍ମାନିରେ ଏକ ଭଲ କ୍ଲବ୍‌ରେ ଖେଳୁଥିିଲି। ଏଭଳି ସଂଘର୍ଷରତ ସମୟରେ କେଉଁମାନେ ତୁମ ବାସ୍ତବ ଶୁଭେଚ୍ଛୁ ତାହା ମୁଁ ଜାଣିପାରିଛି। ପିତାମାତାଙ୍କ ଛଡ଼ା ଅନ୍ୟ କେହି ନୁହେଁ ବୋଲି କହିଛନ୍ତି ସୌମ୍ୟଜିତ୍‌। ଏହି ବିବାଦୀୟ ପରିସ୍ଥିତି ପାଇଁ ସୌମ୍ୟଜିତ୍‌ ଗତ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବଞ୍ଚିତ ହୋଇଥିଲେ ଯେଉଁଠି ଭାରତୀୟ ଏକାଧିକ ଐତିହାସିକ ସଫଳତା ଅର୍ଜନ କରିଥିଲା। ଏବେ ଏସୀୟ କ୍ରୀଡ଼ା ଦଳରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର