ଜକାର୍ତା: ଏସୀୟ କ୍ରୀଡ଼ାର ଦୌଡ଼କୁଦରେ ସୋମବାର ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣିମ ଇତିହାସ ସହିତ ଆଉ ୩ଟି ରୁପା ବିଜୟ ବି ଭାରତର ଖୁସିକୁ ବଢ଼ାଇଦେଇଥିଲା। ୩୦୦୦ ମିଟର୍ ମହିଳା ଷ୍ଟିପଲ୍ଚେଜ୍ରେ ସୁଧା ସିଂହ, ୪୦୦ ମିଟର୍ ପୁରୁଷ ବାଧାଦୌଡ଼ରେ ଧାରୁନ୍ ଆୟାସ୍ୱାମୀ ଏବଂ ମହିଳା ଲମ୍ବ ଡିଆଁରେ ନୀନା ଭରାକିଲ୍ ଭାରତକୁ ୩ଟି ରୌପ୍ୟ ପଦକ ଦେଇଥିଲେ।
ପୁରୁଷ ୪୦୦ ମିଟର୍ ବାଧାଦୌଡ଼ରେ ଧାରୁନ ଆୟାସ୍ୱାମୀ ୪୮.୯୬ ସେକେଣ୍ଡ୍ ସମୟ ନେଇ ଜାତୀୟ କୀର୍ତିମାନ ପ୍ରତିଷ୍ଠା କରିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ। କାତାରର ଆମେରହମାନ୍ ସାମ୍ବା ୪୭.୬୬ ସେକେଣ୍ଡ୍ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ପୂର୍ବରୁ ମଧ୍ୟ ଜାତୀୟ କୀର୍ତିମାନ ଧାରୁନ୍ଙ୍କ ନାମରେ ଥିଲା। ଗତ ମାର୍ଚ ମାସରେ ସେ ଫେଡେରେସନ୍ କପ୍ରେ ୪୯.୪୫ ସେକେଣ୍ଡ୍ ସମୟ ନେଇଥିଲେ। ୨୧ ବର୍ଷୀୟ ଏହି ତାମିଲନାଡୁ ତାରକା ୩୦୦ ମିଟର୍ ପର୍ଯ୍ୟନ୍ତ ଚତୁର୍ଥ ସ୍ଥାନରେ ଥିଲେ ମଧ୍ୟ ଶେଷ ୧୦୦ ମିଟରରେ ଦମ୍ ଲଗାଇ ୨ ଜଣଙ୍କୁ ପଛରେ ପକାଇ ଦେଇଥିଳେ। ଏହି ଇଭେଣ୍ଟ୍ରେ ଭାରତକୁ ୮ ବର୍ଷ ପରେ ପଦକ ମିଳିଛି। ୨୦୧୦ ମସିହାରେ ଯୋସେଫ୍ ଆବ୍ରାହମ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହା ପରେ ଅଭିଜ୍ଞ ଧାବିକା ସୁଧା ସିଂହ ମଧ୍ୟ ୩,୦୦୦ ମିଟର୍ ଷ୍ଟିପେଲଚେଜ୍ରେ ରୁପେଲି ସଫଳତା ଅର୍ଜନ କରିଥିଲେ। ୯ ମିିନିଟ୍ ୪୦.୦୩ ସେକେଣ୍ଡ୍ ସମୟ ନେଇ ସୁଧା ନିଜ ଦ୍ୱିତୀୟ ଏସିଆଡ୍ ପଦକ ମଧ୍ୟ ହାସଲ କରିଥିଲେ। ବାହାରିନ୍ର ଓ୍ଵିନଫ୍ରେଡ୍ ୟାଭି (୯:୩୬.୫୨) ଏବଂ ଭିଏତନାମର ଓଆନ୍ ନ୍ୟୁଗେଁ (୯:୪୩.୮୩) ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରି ନେଇଥିଲେ। ୩୨ ବର୍ଷୀୟା ସୁଧା ୨୦୧୦ ମସିହା ଗୁଆଁଜୁ ଏସିଆଡ୍ରେ ଷ୍ଟିପଲଚେଜ୍ ପଦାର୍ପଣ ବେଳେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଦୌଡ଼କୁଦରେ ଭାରତକୁ ସୋମବାର ତୃତୀୟ ରୌପ୍ୟ ପଦକ ଦେଇଥିଲେ ନୀନା ଭରାକିଲ୍। ମହିଳା ଲମ୍ବ ଡିଆଁରେ ନୀନା ନିଜ ଶ୍ରେଷ୍ଠ ପ୍ରଦର୍ଶନ ୬.୫୧ ମିଟର୍ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ନିଜର ଚତୁର୍ଥ ପ୍ରୟାସରେ ସେ ଏହି ଲମ୍ବ ଡେଇଁଥିଲେ। ଭିଏତନାମର ଥି ଥୁ ଥାଓ ବୁଇ ଚଳିତ ଋତୁର ଶ୍ରେଷ୍ଠ ଲମ୍ଫ ୬.୫୫ ମିଟର୍ ସହିତର ଶୀର୍ଷରେ ରହିଥିଲେ। ସେ ଏହାକୁ ନିଜର ପ୍ରଥମ ଲମ୍ଫରେ ହାସଲ କରିଥିଲେ। ଚୀନର ଜିଆଓଲିଙ୍ଗ୍ ଜୁ (୬.୫୦) କାଂସ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟ୍ରେ ଥିବା ଅନ୍ୟତମ ଭାରତୀୟା ନୟନା ଜେମ୍ସ ଆଶାଠୁ କମ୍ ପ୍ରଦର୍ଶନ କରି (୬.୧୪ ମିଟର୍) ମାତ୍ର ଦୁଇଟି ଲମ୍ଫ ମାରିବା ପରେ ଶୀର୍ଷ ୬ ବାହାରକୁ ଚାଲିଯାଇଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର