ସିଲି ପଏଣ୍ଟ୍‌:ସ୍ମିଥ୍‌, ଓ୍ଵାର୍ନର ଓ ବନ୍‌କ୍ରଫ୍ଟଙ୍କ ପାଇଁ ନିତି ଦୁଃଖ ପାଉଛନ୍ତି ଲିମ୍ୟାନ୍‌

ମେଲ୍‌ବର୍ନ: ଅଷ୍ଟ୍ରେଲିଆ ଦଳର ପୂର୍ବତନ ପ୍ରଶିକ୍ଷକ ଡାରେନ୍‌ ଲିମ୍ୟାନ୍‌ ତିନି ନିଲମ୍ବିତ ଖେଳାଳି ଷ୍ଟିଭେନ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ଵାର୍ନର ଏବଂ କାମେରୁନ୍‌ ବନ୍‌କ୍ରଫ୍ଟଙ୍କ ପାଇଁ ପ୍ରତ୍ୟେକ ଦିନ ଦୁଃଖ ପାଉଛନ୍ତି। ପ୍ରତିଦିନ ସେମାନଙ୍କ କଥା ଚିନ୍ତା କରି କରି ଖୁବ୍‌ ଦୁଃଖ ପାଉଛି ଏବଂ ଦେଶ ପାଇଁ ଖେଳିବାକୁ ସେମାନଙ୍କ ପ୍ରତ୍ୟାବର୍ତନ ଆଶା ରଖିଛି ବୋଲି କହିଛନ୍ତି ଲିମ୍ୟାନ୍‌। ତିନିଜଣଯାକ ଅତି ଉତ୍ତମ ବ୍ୟକ୍ତିତ୍ୱ। ଏହି ତିନି ଜଣଙ୍କ ପାଇଁ ମୋର ସ୍ୱତନ୍ତ୍ର ଅନୁଭୁତି ରହିଛି। ସେମାନେ ପୂରା ଭଦ୍ର। ସାମାନ୍ୟ ଭୂଲ୍‌ ପାଇଁ ଏତେବଡ଼ ଦଣ୍ଡ ପାଉଛନ୍ତି। ତଥାପି ସେମାନେ ସେଥିପାଇଁ ମୂଲ୍ୟ ଦେଇସାରିଲେଣି। ତେଣୁ ଦଳକୁ ଫେରି ଅଷ୍ଟ୍ରେଲିଆ ପାଇଁ ଖେଳିବାର ଆଶା ମୋର ରହିଛି। ଅଷ୍ଟ୍ରେଲିଆ ଦଳର ପ୍ରତ୍ୟେକ ଖେଳାଳି ଦେଶ ପାଇଁ ଅଙ୍ଗୀକାରବଦ୍ଧ। ସେମାନେ କ୍ରିକେଟ୍‌କୁ ଭଲ ଭାବେ ବୁଝିଥାନ୍ତି ଏବଂ ପରସ୍ପରକୁ ସମ୍ମାନ ଦେଇଥାନ୍ତି। ତେଣୁ ସମସ୍ତେ ତାଙ୍କୁ ନିଶ୍ଚିତ କ୍ଷମା କରିଦେବେ। ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଭଲ ପାଏ। ଆଉ ସେମାନଙ୍କୁ ସର୍ବଦା ସମର୍ଥନ କରିଥାଏ। ପ୍ରତ୍ୟେକ ଖେଳାଳି ମଧ୍ୟ ପ୍ରତ୍ୟାବର୍ତନର ସୁଯୋଗ ରଖିଥାନ୍ତି। ଯେଉଁଥିପାଇଁ ସ୍ମିଥ୍‌, ଓ୍ଵାର୍ନର ଓ ବନ୍‌କ୍ରଫ୍ଟ ଜାତୀୟ ଦଳକୁ ଫେରି ପୁଣି ଥରେ ଖେଳିବାର ଆଶା ରଖିଛି ବୋଲି ଲିମ୍ୟାନ୍‌ କହିଛନ୍ତି। ମୁଁ ମଧ୍ୟ ସେମାନଙ୍କ ଦୁଃଖ ସମୟରେ ପ୍ରତ୍ୟେକଙ୍କ ସହ ଯୋଗାଯୋଗରେ ରହିଛି। ସେମାନେ ଠିକ୍‌ଠାକ୍‌ ଅଛନ୍ତି। ବର୍ତମାନର ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର ମଧ୍ୟ ସେମାନଙ୍କ ଉପରେ ବିଶ୍ୱାସ ରଖିଥିବେ। ସେ ମଧ୍ୟ ଦକ୍ଷ ଖେଳାଳିଙ୍କୁ ଚିହ୍ନିବାରେ ତ୍ରୁଟି କରନ୍ତିନି। ଆମେ ସମସ୍ତେ ମଧ୍ୟ ତାଙ୍କ ସମର୍ଥନରେ ରହିଛୁ। ତାଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ ଦଳ ଆହୁରି ଆଗକୁ ବଢ଼ିଚାଲୁ ବୋଲି ଲିମ୍ୟାନ୍‌ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର