ସିଲି ପଏଣ୍ଟ୍‌:ଫ୍ରାନ୍‌ସ ଡେଭିସ୍‌ କପ୍‌ ଅଧିନାୟକ:ମୌରେସ୍ମୋ ପ୍ରଥମ ମହିଳା

ପ୍ୟାରିସ୍‌: ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଅମେଲି ମୌରେସ୍ମୋ ପ୍ରଥମ ମହିଳା ଭାବେ ଫ୍ରାନ୍‌ସ ଡେଭିସ୍‌ କପ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୟାନିକ୍‌ ନୋଆଙ୍କ ବଦଳରେ ଆସନ୍ତାବର୍ଷଠାରୁ ମୌରେସ୍ମୋ ଦାୟିତ୍ୱ ନେବେ ବୋଲି ଫ୍ରେଞ୍ଚ୍‌ ଟେନିସ୍‌ ସଂଘ (ଏଫ୍‌ଏଫଟି) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପୁରୁଷଙ୍କ ସମକକ୍ଷ ପ୍ରତିଯୋଗିତା ଫେଡ୍‌ କପ୍‌ ଲାଗି ଫ୍ରେଞ୍ଚ ମହିଳା ଦଳର ଦାୟିତ୍ୱ ସଦ୍ୟ ଅବସରପ୍ରାପ୍ତ ପୁରୁଷ ଖେଳାଳି ଜୁଲିଏନ୍‌ ବେନେଟିୟୁଙ୍କୁ ଦିଆଯାଇଛି। ଜୁଲାଇ ୨ରେ ୩୯ ବର୍ଷରେ ପାଦ ଥାପୁଥିବା ମୌରେସ୍ମୋ ୨୦୧୫ ଏବଂ ୨୦୧୬ରେ ଫେଡ୍‌ କପ୍‌ ଦଳର ଅଧିନାୟକ ଥିଲେ। ଶନିବାର ଏହି ଘୋଷଣା ବେଳେ ଦୁଇ ନୂଆ ଅଧିନାୟକଙ୍କ ସହିତ ଏଫ୍‌ଏଫ୍‌ଟି ସଭାପତି ବର୍ନାଡ ଜିଉଡିସେଲି ଉପସ୍ଥିତ ଥିଲେ। ୨୦୦୪ରୁ ୨୦୦୬ ମଧ୍ୟରେ ୩୯ ସପ୍ତାହ ପାଇଁ ଏକ ନମ୍ବର ଖେଳାଳି ପାଲଟିଥିବା ମୌରେସ୍ମୋ ଫ୍ରାନ୍‌ସ ଖେଳାଳିଙ୍କ ମଧ୍ୟରେ ଅନନ୍ୟା ବୋଲି ବର୍ନାଡ ପ୍ରକାଶ କରିଥିଲେ। ୨୦୦୬ରେ ସେ ଅଷ୍ଟ୍ରେଲିଆନ୍‌ ଓ ଓ୍ଵିମ୍ବଲଡନ୍‌ ଏକକ ଟ୍ରଫି ଜିତିବା ସହିତ ୨୦୦୩ରେ ଫେଡ୍‌ କପ୍‌ରେ ଫ୍ରାନସକୁ ବିଜେତା କରାଇଥିଲେ। ଏହି ଦାୟିତ୍ୱ ପୂର୍ବରୁ ମୌରେସ୍ମୋ ଆଣ୍ଡି ମରେଙ୍କୁ ୨ ବର୍ଷ ପ୍ରଶିକ୍ଷଣ ଦେଇଥିଲେ ଏବଂ ମାରିଅନ୍‌ ବର୍ତୋଲିଙ୍କ ୨୦୧୩ ଓ୍ଵିମ୍ବଲଡନ୍‌ ବିଜୟର ଶ୍ରେୟ ତାଙ୍କ ନାମକୁ ଯାଇଥିଲା।

ସମ୍ବନ୍ଧିତ ଖବର