ବିଶ୍ବ ବ୍ୟାଡ୍‌ମିଣ୍ଟନ ଫାଇନାଲ୍‌ରେ ସିନ୍ଧୁ, ପ୍ରଣୀତ କାଂସ୍ୟରେ ସନ୍ତୁଷ୍ଟ

ବାସେଲ: ଭାରତୀୟ ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌‌ ମହିଳା ଏକକ ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ତା‌ଇ ଜୁ ୟିଙ୍ଗ୍‌ଙ୍କୁ ପରାସ୍ତ କରିଥିବା ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ଶନିବାର ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ତଥା ଅଲ୍‌ ଇଂଲଣ୍ଡ ବିଜୟିନୀ ଚେନ୍‌ ୟୁ ଫେଇଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଦେଇଛନ୍ତି। ୪୦ ମିନିଟ୍‌ର ଏହି ମୁକାବିଲାରେ ସିନ୍ଧୁ ୨୧-୭ ଓ ୨୧-୧୪ରେ ଚୀନ୍‌ ଲଳନା ୟୁଫେଇଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ପୁଣି ୟୁ ଫେଇଙ୍କ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୬-୩ରେ ପହଞ୍ଚାଇ ଦେଇଛନ୍ତି। ଏଥି ସହିତ ସିନ୍ଧୁ ମଧ୍ୟ କ୍ରମାଗତ ତୃତୀୟ ବର୍ଷ ପାଇଁ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଫଳରେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ନିଜର କ୍ରମାଗତ ତୃତୀୟ ତଥା ମୋଟ ପଞ୍ଚମ ପଦକ ହାସଲଠୁ ସିନ୍ଧୁ ଗୋଟିଏ ମ୍ୟାଚ୍‌ ଦୂରରେ ରହିଛନ୍ତି। ଏହା ପୂର୍ବରୁ ସିନ୍ଧୁ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୨୦୧୩ ଓ ୨୦୧୪ରେ କାଂସ୍ୟ ଏବଂ ୨୦୧୭ ଓ ୨୦୧୮ରେ ରୌପ୍ୟ ପଦକ କରାୟତ କରିଥିଲେ। ତେବେ ଏଥର ସ୍ବର୍ଣ୍ଣ ପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି। ରବିବାର ଫାଇନାଲ୍‌ରେ ତାଙ୍କର ମୁକାବିଲା ୨୦୧୩ ବିଶ୍ବ ବିଜୟିନୀ ଥାଇଲାଣ୍ତର ରାଚାନକ୍‌ ଇଣ୍ଟାନନ୍‌ କିମ୍ବା ୨୦୧୭ ବିଜୟୀନୀ ଜାପାନର ନାଜୋମୀ ଓକୁହାରାଙ୍କ ସହ ହେବ। ସିନ୍ଧୁ ୨୦୧୭ରେ ଓକୁହାରାଙ୍କଠୁ ହାରିଥିଲେ।

ଅନ୍ୟପକ୍ଷରେ ୩୬ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ପ୍ରଥମ ଭାରତୀୟ ପୁରୁଷ ଭାବେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ପଦକ ହାସଲ କରିବାର ଇତିହାସ ରଚିଥିବା ବି ସାଇ ପ୍ରଣୀତ ଆଉ ଆଗକୁ ବଢ଼ିପାରିନାହାନ୍ତି। ୧୯୮୩ରେ ପ୍ରକାଶ ପାଦୁକୋନେ କାଂସ୍ୟ ପଦକ ଜିତିବା ପରଠୁ ଆଉ କୌଣସି ଭାରତୀୟ ପୁରୁଷ ଏହି ପ୍ରତିଯୋଗିତାରେ ପଦକ ହାସଲ କରିପାରିନଥିଲେ। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ପରେ ବିଶ୍ବ ମାନ୍ୟତାର ୧୯ ପ୍ରଣୀତ ପ୍ରଣୀତ ପଦକ ନିଶ୍ଚିତ କରିଥିଲେ। ‌ଏଥି ସହିତ ସେ ପାଦୁକୋନେଙ୍କ ସମକକ୍ଷ ମଧ୍ୟ ହୋଇଥିଲେ। ତେବେ ଆଗକୁ ବଢ଼ି ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ଥିଲେ। କିନ୍ତୁ ଶନିବାର ସେମିଫାଇନାଲ୍‌ରେ ବିଶ୍ବର ଶୀର୍ଷ ମାନ୍ୟତା ଜାପାନା ତାରକା କେଣ୍ଟୋ ମୋମୋଟାଙ୍କ ନିକଟରୁ ହାରିଗଲେ। ସେ ୧୩-୨୧ ଓ ୮-୨୧ରେ ହାରି କେବଳ କାଂସ୍ୟ ପଦକରେ ହିଁ ସନ୍ତୁଷ୍ଟ ରହିଲେ।

ସମ୍ବନ୍ଧିତ ଖବର