ଥାଇଲାଣ୍ଡ୍‌ ଓପନ୍‌ କ୍ୱାର୍ଟର୍‌ରେ ସିନ୍ଧୁ

ଲାହୋର: ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଭାରତୀୟ ଲଳନା ପିଭି ସିନ୍ଧୁ ଥାଇଲାଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ମହିଳା ଏକକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ସିନ୍ଧୁ ୨୧-୧୬, ୨୧-୧୪ରେ ହଂକଂର ୟିପ୍‌ ପୁଇ ଇନ୍‌ଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ସେ ମାଲେସିଆର ସୋନିଆ ଚି’ଙ୍କୁ ଭେଟିବେ। ତେବେ ପୁରୁଷ ଏକକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ଚତୁର୍ଥ ମାନ୍ୟତା ଏଚ୍‌ଏସ୍‌ ପ୍ରଣୟ, ପରୁପଲ୍ଲୀ କାଶ୍ୟପ, ପୁରୁଷ ଯୁଗଳରୁ ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ଏବଂ ମିଶ୍ରିତ ଯୁଗଳରୁ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ପରାଜୟ ସହ ବିଦାୟ ନେଇଛନ୍ତି। ପ୍ରଣୟ ୧୮-୨୧, ୧୪-୨୧ରେ ଇଣ୍ଡୋନେସିଆର ସୋନି ଦ୍ୱି କୁନ୍‌କୋରଙ୍କଠୁ ଏବଂ କାଶ୍ୟପ ୧୮-୨୧, ୨୧-୧୮, ୧୯-୨୧ରେ କାନ୍ତା ସୁନେୟାମାଙ୍କଠୁ ପରାସ୍ତ ହୋଇଥିଲେ। ଜାପାନ୍‌ର ୟୁକି କାନାକା ଓ ମାୟୁ ମାସୁମୋତୋ ୨୧-୧୧, ୨୧-୧୬ରେ ସାତ୍ୱିକ ଓ ଅଶ୍ୱିନୀଙ୍କୁ ଏବଂ ହିରୋୟୁକି ଇଣ୍ଡୋ ଓ ୟୁତା ଓ୍ଵାତାନାବେ ୨୨-୨୪, ୨୧-୧୩, ୨୧-୧୯ରେ ମନୁ ଓ ସୁମିତ୍‌ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।

ସମ୍ବନ୍ଧିତ ଖବର