ଜନ୍ମ ଦିନରେ ଜିତିଲେ ସିନ୍ଧୁ

ଇଣ୍ଡୋନେସିଆ ଓପନ୍‌

ଜାକର୍ତା: ଗୁରୁବାର ୨୩ ବର୍ଷରେ ପଦାର୍ପଣ କରିଥିବା ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରି ନିଜ ଜନ୍ମ ଦିନକୁ ସ୍ମରଣୀୟ କରିଛନ୍ତି। ତୃତୀୟ ମାନ୍ୟତା ଏହି ଭାରତୀୟ ଲଳନା ଗୁରୁବାର ମହିଳା ଏକକ ମୁକାବିଲାରେ ୨୧-୧୭, ୨୧-୧୪ରେ ସପ୍ତଦଶ ମାନ୍ୟତା ଜାପାନ୍‌ର ଆୟା ହୋରିଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର୍‌ ଫାଇନାଲ୍‌ରେ ସେ ଅଷ୍ଟମ ମାନ୍ୟତା ଚୀନ୍‌ର ହି ବିଙ୍ଗ୍‌ଜିଆଓଙ୍କୁ ଭେଟିବେ। ସେହିଭଳି ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ୨୧-୨୩, ୨୧-୧୫, ୨୧-୧୩ରେ ଚୀନ୍‌ର ଓ୍ଵାଙ୍ଗ୍‌ ତିଜୁ େଓ୍ଵଇଙ୍କୁ ହରାଇ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। କ୍ୱାର୍ଟର୍‌ରେ ଅଷ୍ଟମ ମାନ୍ୟତା ପ୍ରଣୟଙ୍କ ଭେଟ ତୃତୀୟ ମାନ୍ୟତା ଚୀନ୍‌ର ସି ୟୁକିଙ୍କ ସହ ହେବ। ହେଲେ ପୂର୍ବତନ ଶୀର୍ଷ ତାରକା ସାଇନା ନେହଓ୍ଵାଲ୍‌ ଏବଂ ସମୀର ବର୍ମା ନିଜ ନିଜ ମ୍ୟାଚ୍‌ ହାରି ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଥିଲେ। ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ୧୮-୨୧, ୧୫-୨୧ରେ ପଞ୍ଚମ ମାନ୍ୟତା ଚୀନ୍‌ର ଚେନ୍‌ ୟୁଫେଇଙ୍କଠୁ ହାରି ଯାଇଥିଲେ। ସମୀରଙ୍କୁ ୧୫-୨୧, ୧୪-୨୧ରେ ଶୀର୍ଷ ମାନ୍ୟତା ଡେନ୍‌ମାର୍କର ଭିକ୍ଟର ଆକ୍ସେଲ୍‌ସେନ୍‌ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର