ବିଜୟ ଅମୃତରାଜଙ୍କୁ ଏସ୍‌ଜେଏଫ୍‌ଆଇ ସମ୍ମାନ

ଭୁବନେଶ୍ୱର: ଟେନିସ୍‌ କିମ୍ବଦନ୍ତୀ ବିଜୟ ଅମୃତରାଜଙ୍କୁ ମିଳିବ ପ୍ରଥମ ଏସ୍‌ଜେଏଫ୍‌ଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ) ପଦକ। ଚଳିତ ବର୍ଷ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋର୍‌ଠାରେ ହେବାକୁ ଥିବା ଏସ୍‌ଜେଏଫ୍‌ଆଇରର ୪୧ତମ ବାର୍ଷିକ ସମ୍ମିଳନୀରେ ୬୪ ବର୍ଷୀୟ ଏହି କିମ୍ବଦନ୍ତୀ ପଦ୍ମଶ୍ରୀ ବିଜେତାଙ୍କୁ ସମ୍ମାନିତ କରାଯିବ। ଶନିବାର ଗୌହାଟୀରେ ଅନୁଷ୍ଠିତ ଏସ୍‌ଜେଏଫ୍‌ଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଗୋଲ୍‌ଡକୋଷ୍ଟ୍‍ ସ୍ୱର୍ଣ୍ଣ ବିଜେତା ଯୁବ ଜାଭଲିନ୍‌ ତାରକା ନୀରଜ ଚୋପ୍ରାଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ଇତିହାସ ସୃଷ୍ଟି କରିଥିବା ଭାରତୀୟ ପୁରୁଷ ଓ ମହିଳା ଟେବୁଲ୍‌ ଟେନିସ୍‌ ଦଳକୁ ଟିମ୍‌ ଅଫ ଦି ଇୟର୍‌ ସମ୍ମାନ ପ୍ରଦାନ କରାଯିବ। ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସର୍ବକନିଷ୍ଠ ବଂଧୁକଚାଳକ ମନୁ ଭାକର ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ସମ୍ମାନ ପାଇବେ।

ସେହିଭଳି ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ଅଞ୍ଜଳି ଭଗବତ, ପିକେ ବାନାର୍ଜୀ, ଡବ୍‌ଲ୍ୟୁଭି ରମଣଙ୍କୁ ଏସ୍‌ଜେଏଫ୍‌ଆଇର ସମ୍ମାନସୂଚକ ସଦସ୍ୟତା ପ୍ରଦାନ କରାଯିବ ବୋଲି ଏଜିଏମ୍‌ରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ୨୦୧୮-୨୦ ଦୁଇ ଋତୁ ପାଇଁ ଏସ୍‌ଜେଏଫ୍‌ଆଇ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁବୋଧ ମଲ୍ଲ ବରୁଆ (ଆସାମ), ଏ ବିନୋଦ (କେରଳ), ପ୍ରଶାନ୍ତ କେନି (ମୁମ୍ବାଇ) ଯଥାକ୍ରମେ ସଭାପତି, ସମ୍ପାଦକ ଏବଂ କୋଷାଷ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଜ୍ୟାକ୍‌ ଗ୍ଲାଡସନ୍‌ (ତେଲେଙ୍ଗାନା), ତୁଷାର ତ୍ରିବେଦୀ (ଗୁଜରାଟ), ଆର୍‌ ନାରାୟଣନ୍‌ (ତାମିଲନାଡୁ), ସରଜୁ ଚକ୍ରବର୍ତୀ (ତ୍ରିପୁରା) ଉପ ସଭାପତି, ମନୁଜା ବୀରାପ୍ପା (ବାଙ୍ଗାଲୋର୍‌) ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ସମ୍ବିତ ମହାପାତ୍ର (ନିର୍ଭୟ) ଲଗାତାର ତୃତୀୟ ଥର ପାଇଁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। କାର୍ଯ୍ୟକାରୀ ସମିତିକୁ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ସେନଗୁପ୍ତା (କୋଲ୍‌କାତା), ଅମିତାଭ ଦାସ ଶର୍ମା (କୋଲ୍‌କାତା), ବିଦ୍ୟୁତ କାଲିତା (ଆସାମ), ବିକାଶ ପାଣ୍ଡେ (ଇନ୍ଦୋର), ଦେବେନ୍ଦ୍ର ପାଣ୍ଡେ (ମୁମ୍ବାଇ), ସନ୍ଦୀପ ଦାଭେକର (ନାଗପୁର), ଆର୍‌ କୌଶିକ୍‌ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର