୪ ଦିନ ଧରି କାନ୍ଦିଥିଲେ ସ୍ମିଥ୍‌

ମେଲ୍‌ବର୍ନ: ଗତ ମାର୍ଚ ମାସରେ ଦକ୍ଷିିଣ ଆଫ୍ରିକା ଗସ୍ତ ବେଳେ ବଲ୍‌କୁ ବିକୃତ କରିବା ଅପରାଧରେ ଦୁଇ ସାଥୀ ତଥା ଉପଅଧିନାୟକ ଡେଭିଡ୍‌ ଓ୍ଵର୍ନର ଓ କାମେରନ୍‌ ବ୍ୟାନ୍‌କ୍ରଫ୍ଟଙ୍କ ସହିତ ଧରାପଡ଼ିଥିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌। ଏହା ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଏକ କଳଙ୍କିତ ଅଧ୍ୟାୟ ହୋଇଥିଲା ତିନି ଜଣଯାକ ମଧ୍ୟ ବଲ୍‌ ବିକୃତ ଯୋଜନା କରିଥିବା ସ୍ୱୀକାର କରିନେଇଥିଲେ। ଫଳରେ ଉଭୟ ସ୍ମିଥ୍‌ ଓ ଓ୍ଵର୍ନରଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ୧୨ ମାସ ପାଇଁ ବାସନ୍ଦ କରିଥିଲା ବେଳେ ବ୍ୟାନ୍‌କ୍ରଫ୍ଟଙ୍କୁ ୯ ମାସ ବାସନ୍ଦ କରିଥିଲା। ଦୁହେଁ ନେତୃତ୍ୱ ଭାର ହରାଇଥିଲା ବେଳେ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶ ଫେରି ଆସିଥିଲେ। ହେଲେ ଏଭଳି କୁତ୍ସିତ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଦେଇଥିଲା। ସମସ୍ତେ ଏହି ମାମଲରେ ଧରାପଡ଼ିଯିବା ପରେ ମାନସିକ ଭାବେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ସିଡ୍‌ନି ବିମାନ ବନ୍ଦରରେ ଏକ ଭାବବିହ୍ଵଳ ସାମ୍ବାଦିକ ସମ୍ମିନଳୀରେ ସ୍ମିଥ୍‌ ନିଜର କୋହ ସମ୍ବରଣ କରିପାରିନଥିଲେ। ତେବେ ଏହି ମାମଲାରେ ସେ ଏତେମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ ୪ ଦିନ ଧରି କେବଳ କାନ୍ଦିଥିଲେ ବୋଲି ସ୍ମିଥ୍‌ କହିଥିଲେ। ୪ ଦିନ ଧରି କାନ୍ଦିବା ପରେ ସେ ସ୍ୱାଭାବିକ ସ୍ଥିତିକୁ ଫେରିଥିଲେ ବୋଲି ଏକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍ମିଥ୍‌ କହିଛନ୍ତି। ସେହି ୪ ଦିନ ଧରି ମୁଁ ମାନସିକ ଭାବେ ଗଭୀର ଆଘାତ ପାଇଥିଲି। ଏପରିକି ଜୀବନକୁ ତୁଛ ମନେ କରିଥିଲି। ହେଲେ ସୌଭାଗ୍ୟବଶତଃ ସେହି ସମୟରେ ମୋର କେତେକ ବନ୍ଧୁ ଓ ପରିବାର ସଦସ୍ୟ ପାଖେପାଖେ ରହି ଉଚିତ ପରାମର୍ଶ ଦେବା ସାଙ୍ଗକୁ ସ୍ୱାଭାବିକ ସ୍ଥିତିକୁ ଫେରିବାରେ ସହଯୋଗ କରିଥିଲେ। ସେଭଳି ଦୁଃଖଦ ସମୟରେ ମୋତେ ପୂରା ସମର୍ଥନ ଦେଇଥିବା ଲୋକମାନଙ୍କ ଯୋଗୁଁ ହିଁ ଏବେ ମୋର ମାନସିକ ସ୍ଥିତିରେ ସୁଧାର ଆସିଛି ବୋଲି ସ୍ମିଥ୍‌ କହିଛନ୍ତି। ଏବେ ଚଳିତ ମାସ ୨୮ ତାରିଖରୁ କାନାଡାରେ ଆୟୋଜିତ ଟେ୍ଵଣ୍ଟି-୨୦ ଲିଗ୍‌ରେ ଖେଳିବାକୁ ଥିବାରୁ ଆଶ୍ୱସ୍ତ ଲାଗୁଛି ବୋଲି ସ୍ମିଥ୍‌ କହିଛନ୍ତି।

ସମ୍ବନ୍ଧିତ ଖବର