ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ ଶେଷ ପର୍ଯ୍ୟାୟରୁ ବଞ୍ଚିତ ହେବେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିବା ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ନର ଚଳିତ ଆଇପିଏଲ୍‌ରେ ନିଜ ନିଜ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଶେଷ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ। ସ୍ମିଥ୍‌ ରାଜସ୍ଥାନ ରୟାଲ୍ସ ଏବଂ ୱର୍ନର ସନ୍‌ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌ରେ ପ୍ରତିନିଧିତ୍ବ କରୁଛନ୍ତି। ତେବେ ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳର ପ୍ରସ୍ତୁତି ଶିବିର ମେ’ ୨ ତାରିଖରୁ ବ୍ରିସ୍‌ବନ୍‌ରେ ଆରମ୍ଭ ହେବାକୁ ଯାଉଥିବାରୁ ଏହି ଦୁଇ ଖେଳାଳି ସମ୍ଭବତଃ ଚଳିତ ଏପ୍ରିଲ ଶେଷରେ ସ୍ବଦେଶ ଫେରିଯାଇପାରନ୍ତି। ତେଣୁ ମେ’ରେ ଖେଳାଯିବାକୁ ଥିବା ଶେଷ ପର୍ଯ୍ୟାୟ ଲିଗ୍‌ ମ୍ୟାଚ୍‌ରୁ ଫାଇନାଲ୍‌ ପର୍ଯ୍ୟନ୍ତ ଉଭୟେ ଖେଳିବାରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ୱର୍ନର ଚଳିତ ଆଇପିଏଲ୍‌ରେ ପୂରା ଫର୍ମରେ ରହିଥିଲା ବେଳେ କମଳା ଟୋପିର ହକ୍‌ଦାର ଅଛନ୍ତି। ସେ ଏବେ ବି ୭ ମ୍ୟାଚ୍‌ ଖେଳି ୪୦୦ ରନ୍‌ କରିବା ସହିତ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହରେ ସର୍ବାଗ୍ରେ ରହି କମଳା ଟୋପି ନିଜ ପାଖରେ ରଖିଛନ୍ତି। ଅନ୍ୟପକ୍ଷରେ ସ୍ମିଥ୍‌ ୭ ମ୍ୟାଚ୍‌ରୁ ୧୮୬ ରନ୍‌ କରିସାରିଛନ୍ତି। ନକ୍‌ଆଉଟ୍‌ ପର୍ଯ୍ୟାୟକୁ ବାଦ୍‌ ଦେଲେ ଉଭୟ ସ୍ମିଥ୍‌ ଓ ୱର୍ନର ଲିଗ୍‌ ପର୍ଯ୍ୟାୟର ଶେଷ ୨ ଲେଖାଏଁ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ। ରାଜସ୍ଥାନ ଏପ୍ରିଲ ୩୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମେ’ ୪ରେ ଦିଲ୍ଲୀ କ୍ୟାପିଟାଲ୍‌ସ ସହ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ସନ୍‌ ରାଇଜର୍ସ ହାଇଦ୍ରାବାଦ ମେ’ ୨ରେ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ମେ’ ୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା‌ଲୋର ବିପକ୍ଷରେ ମ୍ୟାଚ୍‌ ଖେଳିବ। ସ୍ମିଥ୍‌ ଓ ୱର୍ନରଙ୍କ ଭଳି ଅଷ୍ଟ୍ରେଲିଆ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ଦ୍ରୁତ ବୋଲର ଜାସନ୍‌ ବେରେନ୍‌ଡର୍ଫ ଓ ଅଲ୍‌ରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ ମଧ୍ୟ ଆଇପିଏଲ୍‌ ଶେଷ ଭାଗରେ ଖେଳିପାରିବେ ନାହିଁ। ବେରେନ୍‌ଡର୍ଫ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଷ୍ଟୋଇନିସ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ପ୍ରତିନିଧିତ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର