ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା ଆରମ୍ଭ, ଭାଗନେଲେ ସର୍ବାଧିକ ୧୦୬ ପ୍ରତିଯୋଗୀ

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଅଷ୍ଟମ ଏମ୍‌ଆଇଇଟି ଓପନ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା ବୁଧବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ଆୟୋଜିତ ୭ଟିଯାକ ସଂସ୍କରଣ ନିଖିଳ ଓଡ଼ିଶା ପ୍ରତିଯୋଗିତା ଭାବେ ଖେଳାଯାଇଥିଲା ବେଳେ ପ୍ରଥମ ଥର ଲାଗି ଅଷ୍ଟମ ସଂସ୍କରଣ ପୂର୍ବାଞ୍ଚଳ ଓପନ୍‌ ଭାବେ ଖେଳାଯାଉଛି। ପ୍ରତିଯୋଗିତାର ପ୍ରଥମ ଦିବସରେ ଜଗଦୀଶ ମହାନ୍ତି ୨-୦ରେ ସାନ୍ତନୁ କହଁରଙ୍କୁ, ଜ୍ଞାନ ଦାସ ୨-୧ରେ ପଦ୍ମାସନ ନାୟକଙ୍କୁ, ସ୍ନେହାଂଶୁ ଶାହା ୨-୧ରେ ଭି ନିତେଶ ପା‌ତ୍ରୋଙ୍କୁ, ଅର୍ମନ୍‌ ଉଲ୍‌ ହକ୍‌ ୨-୧ରେ ହର୍ଷ ଲାମ୍ବାଙ୍କୁ, ରାହୁଲ୍‌ ହାଲି ୨-୧ରେ ପ୍ରକାଶ ସାହୁଙ୍କୁ, ରାକେଶ ମହାନ୍ତି ୨-୦ରେ ସେକ୍‌ ନାସିମୁଦ୍ଦିନ୍‌ଙ୍କୁ, ସୌଭାଗ୍ୟ ବେହେରା ୨-୦ରେ ଗୌରୀଶଙ୍କର ବିଶ୍ବାଳଙ୍କୁ ପରାସ୍ତ କରିଥିଲା ବେଳେ ରିଷଭ ଗୋଲେଚା, ଆଦର୍ଶ ପଟ୍ଟନାୟକ ଓ ବିଶ୍ବଜିତ୍‌ ସାହୁ ୱାକ୍‌ଓଭର ପାଇଛନ୍ତି।

ଏଥର ଓଡ଼ିଶା ବ୍ୟତୀତ ପଡ଼ୋଶୀ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରୁ ମୋଟ ୧୦୬ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଏହି ସଂଖ୍ୟା ମଧ୍ୟ ରାଜ୍ୟରେ ଆୟୋଜିତ କୌଣସି ପ୍ରତିଯୋଗିତାରେ ସର୍ବାଧିକ। ରାଜ୍ୟର ପ୍ରାୟ ଅଧିକାଂଶ ସିଡେଡ୍‌ ଖେଳାଳି ଏଥିରେ ସାମିଲ ଅଛନ୍ତି। ଏହାଦ୍ବାରା ଓଡ଼ିଶା ଖେଳାଳିମାନେ ସେମାନଙ୍କଠୁ ଉଚ୍ଚ ସ୍ତରର ଖେଳାଳିମାନଙ୍କ ସହ ଖେଳିବାର ସୁଯୋଗ ପାଇବେ ବୋଲି ଆୟୋଜକ ଆଶା ବାନ୍ଧିଛନ୍ତି। ଚଳିତ ସଂସ୍କରଣରେ ବିଜେତାଙ୍କୁ ୩୦,୦୦୦ ଟଙ୍କା ଓ ଟ୍ରଫି ଏବଂ ଉପବିଜେତାଙ୍କୁ ୧୬,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ସେମିଫାଇନାଲ୍‌ ପହଞ୍ଚିଥିବା ପ୍ରତିଯୋଗୀଙ୍କୁ ୮୦୦୦, କ୍ବାର୍ଟର ଫାଇନାଲ୍‌ ପାଇଁ ୪୦୦୦, ପ୍ରିକ୍ବାର୍ଟର ଫାଇନାଲ୍‌ ପାଇଁ ୨୦୦୦ ଏବଂ ଶ୍ରେଷ୍ଠ ୩୨ ମଧ୍ୟରେ ରହିଥିବା ଖେଳାଳିଙ୍କୁ ୧୦୦୦ ଟଙ୍କା ଲେଖାଏଁ ପୁରସ୍କାର ମିଳିବ। ପ୍ରତିଯୋଗିତାରେ ସର୍ବାଧିକ ବ୍ରେକ୍‌ ପାଇଁ ୫୦୦୦, ୧୦୦ ବ୍ରେକ୍‌ ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଛି। ଫଳରେ ପ୍ରତିଯୋଗିତାରେ ମୋଟ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ରହିଥିବା ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ‌ସୂଚନା ଦେଇଥିଲେ। ଓଡ଼ିଶା ବିଲିୟାର୍ଡ‌୍ସ ଓ ସ୍ନୁକର ସଂଘର ଅବୈତନିକ ସଂପାଦକ ଶ୍ରୀମୟ କର ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ପ୍ରତିଯୋଗିତା ସଂ‌ଯୋଜକ ଗୋବିନ୍ଦ ଶର୍ମା, ଏମ୍‌ଆଇଇଟି ଗ୍ରୁପ୍‌ର ନିର୍ଦେଶକ ତଥା ଭିଣ୍ଟେଜ୍‌ କ୍ଲବ୍‌ ମାଲିକ ଅମୀୟ ରଞ୍ଜନ ନାୟକ ଉପସ୍ଥିତ ଥିଲେ। ଏଠାରେ ସୂଚନା‌ଯୋଗ୍ୟ ଓଡ଼ିଶା କ୍ୟୁ କିଙ୍ଗ୍‌ ଭାବେ ପରିଗଣିତ ସୁବ୍ରତ ଦାସ ଗତ ସପ୍ତମ ସଂସ୍କରଣ‌ରେ ବିଜେତା ହୋଇଥିଲା ବେଳେ ସିଦ୍ଧାର୍ଥ ସେନ୍‌ ଉପବିଜେତା ‌ହୋଇଥିଲେ।

ସମ୍ବନ୍ଧିତ ଖବର