ସୋନପୁର, ଯାଜପୁର, ‌ଢେଙ୍କାନାଳ,ନୟାଗଡ଼, ବାଲେଶ୍ବର, ନବରଂଗପୁର ବିଜୟୀ

ରାଜ୍ୟ ବିଦ୍ୟାଳୟ କ୍ରିକେଟ୍‌

ଅନୁଗୁଳ: ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଅନୁଗୁଳ‌ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୭ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ୬ଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ସୋନପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼, ବାଲେଶ୍ବର ଓ ନବରଙ୍ଗପୁର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ସୋନପୁର ୫୮ ରନ୍‌ରେ ଗଜପତିକୁ ପରାସ୍ତ କରିଥିଲା। ସୋନପୁର ନିର୍ଧାରିତ ୧୫ ଓଭରରେ ୯ ୱିକେଟ ହରାଇ ୧୪୭ ରନ୍ କରିଥିଲା। ଜବାବରେ ଗଜପତି ଦଳ ୧୧.୫ ଓଭରରେ ସବୁ ୱିକେଟ ହରାଇ ୮୯ ରନ୍ କରିଥିଲା। ଅନ୍ୟ ଏକ ମ୍ୟାଚ୍‌ରେ ବୌଦ୍ଧ ଦଳ ଯାଜପୁରଠାରୁ ୧୦୫ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ଯାଜପୁର ଦଳ ୪ ୱିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା। ବୌଦ୍ଧ ୯ ୱିକେଟ୍ ହରାଇ ମାତ୍ର ୪୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଢେଙ୍କାନାଳ ଦଳ ଖୋର୍ଧାକୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା। ‌ଖୋର୍ଧା ଦଳ ୧୩.୩ ଓଭରରେ ସବୁ ୱିକେଟ ହରାଇ ୯୨ ରନ୍ କରିଥିଲା ବେଳେ ଢେଙ୍କାନାଳ ମାତ୍ର ଗୋଟିଏ ୱ‌ିକେଟ ହରାଇ ୧୧.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନୟାଗଡ଼ ଦଳ ସମ୍ବଲପୁରକୁ ୭ ରନ୍‌ରେ ପରାସ୍ତ କରିଛି। ନୟାଗଡ଼ ୩ ୱିକେଟ୍ ହରାଇ ୧୪୦ ରନ୍ କରିଥିବା ବେଳେ ସମ୍ବଲପୁର ୧୫ ଓଭରରେ ସବୁ ୱିକେଟ ହରାଇ ୧୩୩ ରନ୍ କରିଥିଲା। ସେହିପରି ବାଲେଶ୍ବର ଦଳ ୭୭ ରନ୍‌ରେ କଳାହାଣ୍ଡିକୁ ହରାଇଥିଲା। ବାଲେଶ୍ବର ୮ ୱିକେଟ୍ ହରାଇ ୧୫୨ ରନ୍ କରିଥିବା ବେଳେ କଳାହାଣ୍ଡି ଦଳ ୧୨.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୭୫ ରନ୍ କରିଥିଲା। ଦିବସର ଶେଷ ମ୍ୟାଚ୍‌ରେ ନବରଂଗପୁର ଦଳ ପୁରୀ ଦଳକୁ ୨୨ ରନ୍‌ରେ ପରାସ୍ତ କରିଥିଲା। ନବରଂଗପୁର ୭ ୱିକେଟ୍ ହରାଇ ୧୨୦ ରନ୍ କରିଥିବା ବେଳେ ପୁରୀ ଦଳ ୮ ୱିକେଟ ବିନିମୟରେ ମାତ୍ର ୯୮ ରନ୍ କରିପାରିଥିଲା।

ସମ୍ବନ୍ଧିତ ଖବର