ଲଦାଖ ମାରାଥନରେ ଅଂଶଗ୍ରହଣ କଲେ ସୌଭାଗ୍ୟ

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ କଷ୍ଟକର ମାରାଥନ ପ୍ରତିଯୋଗିତା ଲଦାଖ ମାରାଥନକୁ ସଫଳତାର ସହ ଶେଷ କରିଛନ୍ତି ଓଡ଼ିଶାର ସୌଭାଗ୍ୟ କୁମାର ରଥ। ସମୁଦ୍ର ପତନଠାରୁ ୧୧,୫୦୦ ଫୁଟ ଉଚ୍ଚରେ ଲଦାଖ ଘାଟିରେ ଆୟୋଜିତ ହୋଇଥିବା ଏହି ମାରାଥନକୁ ଶେଷ କରିବାକୁ ସୌଭାଗ୍ୟ ନିର୍ଧାରିତ ସମୟ (୬ ଘଣ୍ଟା ୩୦ ମିନିଟ୍‌) ଠାରୁ ଢେର କମ୍‌ ଅର୍ଥାତ୍‌ ୫ ଘଣ୍ଟା ୫୮ ମିନିଟ୍‌ ୩୯ ସେକେଣ୍ଡ ସମୟ ନେଇଥିଲେ। ଉଠାଣୀ, ଗଡାଣୀ ସହ ପଥୁରିଆ ରାସ୍ତା ଏବଂ ଅମ୍ଳଜାନର ଅଭାବ ସତ୍ତ୍ୱେ ମାରାଥନ ଶେଷ କରିଥିବା ହାତଗଣତି ପ୍ରତିଯୋଗୀଙ୍କ ମଧ୍ୟରେ ରହି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୬,୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବର ସଦସ୍ୟ ସୌଭାଗ୍ୟ ଏହା ପୂର୍ବରୁ ମୁମ୍ବାଇ, କୋଲକାତା ଓ ସାତାରା ମାରାଥନରେ ଅଂଶଗ୍ରହଣ କରି ସାରିଛନ୍ତି। ସୌଭାଗ୍ୟଙ୍କ ପତ୍ନୀ ସାଗରିକା ମିଶ୍ର ମଧ୍ୟ ଏହି ଅବସରରେ ଆୟୋଜିତ ୭ କିଲୋମିଟର ଦୂରତା ବିଶିଷ୍ଟ ରନ୍‌ ଫର୍‌ ଫନ୍‌ ବର୍ଗରେ ଅଂଶ ଗ୍ରହଣ କରି ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର