ହିଜାବକୁ ପିନ୍ଧିବାକୁ ନା: ଏସୀୟ ଚେସ୍‌ରୁ ଓହରିଲେ ସୌମ୍ୟା

ନୂଆଦିଲ୍ଲୀ: ଇରାନ୍‌ରେ ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସୀୟ ଦଳଗତ ଚେସ୍‌ ପ୍ରତିଯୋଗିତାରୁ ଭାରତୀୟ ମହିଳା ତାରକା ସୌମ୍ୟା ସ୍ୱାମୀନାଥନ୍‌ ଓହରି ଯାଇଛନ୍ତି। ଏହି ପ୍ରତିଯୋଗିତାରେ ହିଜାବ ବା ବୁର୍ଖା (ହେଡ୍‌ସ୍କାର୍ଫ) ପିନ୍ଧିବା ଇରାନ୍‌ ବାଧ୍ୟତାମୂଳକ ନିୟମ କରିଥିବାରୁ ଏହାକୁ ବିରୋଧ କରି ସୌମ୍ୟା ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିୟମ ତାଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସୌମ୍ୟା ତାଙ୍କ ଫେସ୍‌ବୁକ୍‌ ପୃଷ୍ଠାରେ କହିଛନ୍ତି। ଇରାନ୍‌ର ଏଭଳି ନିୟମ ମୌଳିକ ମାନବିକ ଅଧିକାରକୁ ଉଲଂଘନ କରିବା ସହିତ ମୋର ଭାବନା ପ୍ରକାଶ କରିବାର ସ୍ୱାଧୀନ ଅଧିକାର ଏବଂ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ସୌମ୍ୟା କହିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ମୋର ଅଧିକାରକୁ ସୁରକ୍ଷିତ ରଖିବା ଏକମାତ୍ର ବିକଳ୍ପ ବୋଲି ବିବେଚନା କରି ସେ ଇରାନ୍‌ ନଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ଆହୁରି ପୁଣି କହିଛନ୍ତି, ଧାର୍ମିକ ପୋଷାକ ନୀତି କୌଣସି ଖେଳାଳିଙ୍କ ଉପରେ ଲଦି ଦିଆଯିବା ଉଚିତ ନୁହେଁ। କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ବେଳେ ଆୟୋଜକମାନେ ଆମର ଜାତୀୟ ଦଳ ପୋଷାକ ପରିଧାନ କରିବା ଆଶା କରିବା କଥା। ମାତ୍ର କ୍ରୀଡ଼ାରେ କୌଣସି ଧାର୍ମିକ ପୋଷାକ ନୀତିକୁ ବାଧ୍ୟବାଧକତା କରିବା ଯଥାର୍ଥ ନୁହେଁ ବୋଲି ସୌମ୍ୟା ରୋକ୍‌ଠୋକ୍‌ କହିଛନ୍ତି। ତେଣୁ ସେ କୌଣସି ମତେ ହିଜାବ ପିନ୍ଧିବେ ନାହିଁ ବୋଲି କହି ସୌମ୍ୟା ଏସୀୟ ପ୍ରତିଯୋଗିତାରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ସର୍ବାଭାରତୀୟ ଚେସ୍‌ ସଂଘର ସଂପାଦକ ଭରତ ସିଂହ ଚୌହାନ୍‌ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁନାହାନ୍ତି। ତେବେ ସମାନ ପ୍ରସଙ୍ଗକୁ ନେଇ ଖେଳାଳି କୌଣସି ପ୍ରତିଯୋଗିତାରୁ ଓହରିଯିବା ଏହା ପ୍ରଥମ ନୁହେଁ। ୨୦୧୬ରେ ପ୍ରମୁଖ ଭାରତୀୟ ବନ୍ଧୁକଚାଳିକା ହୀନା ସିଦ୍ଧୁ ସେହି ଇରାନ୍‌ରେ ଆୟୋଜିତ ଏସୀୟ ଏୟାରଗନ୍‌ ପ୍ରତିଯୋଗିତାରୁ ମଧ୍ୟ ଓହରି ଯାଇଥିଲେ। ସେହିପରି ଅନ୍ୟ ଦୁଇ ଚେସ୍‌ ଖେଳାଳି ତଥା ୟୁକ୍ରେନ୍‌ର ମୁଝିଚୁକ୍‌ ଭଉଣୀ ଆନ୍ନା ଓ ମାରିୟା ମଧ୍ୟ ଏହିଭଳି ନୀତିକୁ ବିରୋଧ କରି ସାଉଦି ଆରବ ପ୍ରିମିୟର ପ୍ରତିଯୋଗିତାରୁ ଏବଂ ଆମେରିକୀୟ ଚେସ୍‌ ଖେଳାଳି ନାଜି ପାଇକିଜ୍‌ ଗତବର୍ଷ ଇରାନ୍‌ରେ ଆୟୋଜିତ ନକ୍‌ଆଉଟ୍‌ ବିଶ୍ୱ ପ୍ରତିଯୋଗିତାରୁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର