ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ମୁକାବିଲା ‘ଟେଷ୍ଟ କ୍ରିକେଟ୍’ର ବଳିଷ୍ଠ ନିଦର୍ଶନ ଥିଲା। ଏଥିରେ ବ୍ୟାଟ୍ ଉପରେ ବଲ୍ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। କେପଟାଉନ୍ ପିଚ୍ ବି ମୋତେ ବେଶ୍ ପ୍ରଭାବିତ କରିଥିଲା। କାରଣ ଚତୁର୍ଥ ଦିନରେ ମଧ୍ୟ ବୋଲରମାନେ ଏଥିରେ ବୋଲିଂ କରିବାକୁ ମନଭରି ଉପଯୋଗ କରୁଥିଲେ। ମୁଁ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଖେଳିଛି ଏବଂ ମ୍ୟାଚ୍ରେ ଏମିତି ବି ସମୟ ଆସିଛି ଯେତେବେଳେ ଏଠାରେ ବ୍ୟାଟିଂ କରିବା ସହଜ ହୋଇ ଯାଇଛି। ଏଥର କିନ୍ତୁ ଏମିତି କିଛି ହୋଇ ନଥିଲା। ଏଥର ନ୍ୟୁଲାଣ୍ଡ୍ସ ପିଚ୍ ହେଡିଙ୍ଗ୍ଲେ ଏବଂ ଓ୍ଵାଣ୍ଡରର୍ସ ଷ୍ଟାଡିୟମ୍ ପିଚ୍ ଭଳି ବ୍ୟବହାର କରିଥିଲା। ସତ କହିବାକୁ ଗଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏଠାରେ ବ୍ୟାଟିଂ କରିବା ଏକବାର କଷ୍ଟକର ଥିଲା। ଶୃଙ୍ଖଳାର ଏହା ପ୍ରଥମ ଟେଷ୍ଟ ଥିଲା ଏବଂ ଭାରତୀୟ ଖେଳାଳି ଦକ୍ଷିଣ ଆଫ୍ରିକା ପରିବେଶରେ ନିଜକୁ ଖାପ ଖୁଆଇବା ଲାଗି ଚେଷ୍ଟା କରୁଥିଲେ। ଏଭଳି ସ୍ଥିତିରେ ବାଉନ୍ସି ପିଚ୍ ସେମାନଙ୍କ ପାଇଁ କଟା ଘାରେ ଚୂନ ଲଗାଇବା ଭଳି ହୋଇଥିଲା।
ଦଳୀୟ ସନ୍ତୁଳନ ନେଇ ଅନେକ ଚର୍ଚା ହେଉଛି। ହେଲେ ମୁଁ କହିବି ଭାରତର ପାଞ୍ଚ ଜଣ ବୋଲରଙ୍କୁ ଖେଳାଇବା ନିଷ୍ପତ୍ତି ପୂରା ଠିକ୍ ଥିଲା। କାରଣ ଟେଷ୍ଟ କ୍ରିକେଟ୍ରେ ରନ୍ କରିବା ଯେତିକି ମହତ୍ୱପୂର୍ଣ୍ଣ ଓ୍ଵିକେଟ୍ ନେବା ସେତିକି ଗୁରୁତ୍ୱପୂର୍ଣ୍ଣ। ବୋଲରମାନେ ୨୦ ଓ୍ଵିକେଟ୍ ନେଇଥିବାରୁ ଆମେ ଏକଦା ଭାରତ ବିଜୟ କଥା ଭାବିପାରିଥିଲେ। ପରବର୍ତୀ ଦୁଇ ଟେଷ୍ଟ୍ରେ ମଧ୍ୟ ବୋଲର ନିର୍ଣ୍ଣାୟକ ଭୂମିକା ନେବେ। ହାର୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କଲେ ମଧ୍ୟ ଭାରତ ତାଙ୍କ ସହ ଆଗକୁ ବଢ଼ିବା ଉଚିତ। ସାମୁହିକ ବ୍ୟାଟିଂ ପ୍ରଦର୍ଶନରେ ହିଁ ଅସୁବିଧା ଅଛି। ଏବଂ ଏହି ଅସୁବିଧା ଯଥାଶୀଘ୍ର ଦୂର ହେବା ଦରକାର। ଚୂଡ଼ାନ୍ତ ଦଳରେ ନଥିବା ଖେଳାଳିଙ୍କୁ ନେଇ ଅନେକ ଆଲୋଚନା ହେବ। ହାରିବା ବେଳେ ଏହା ସବୁବେଳେ ହୋଇଥାଏ। କୋହଲି ଏଥିନେଇ ଚିନ୍ତିତ ହେବା କଥା ନୁହେଁ। ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ବିଦେଶରେ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ପ୍ରତି ମ୍ୟାଚରେ ଭାରତ ଦଳରେ ଅଦଳ ବଦଳ କରି ପାରିବ ନାହିଁ। ସେମାନେ ଏବେକାର ବ୍ୟାଟିଂ ଉପରେ ଆସ୍ଥା ପ୍ରକଟ କରିଥିଲେ ଏବଂ ତାହା ପରବର୍ତୀ ଟେଷ୍ଟରେ ବି ଅପରିବର୍ତିତ ରହୁ। ଚଳିତ ବର୍ଷ ଭାରତ ବିଦେଶରେ ବହୁ ଟେଷ୍ଟ ଖେଳିବାର ଅଛି। ଏଣୁ ଦଳରେ ଉପରେ ଆସ୍ଥା ରଖିବାର ମହତ୍ୱ ବଢ଼ି ଯାଇଛି। ଦକ୍ଷିଣ ଆଫ୍ରିକାରେ ସେମାନେ ଆଉ ଦୁଇଟି ଟେଷ୍ଟ ଖେଳିବାର ଅଛି। ଦୁଇଟି ଯାକର ଫଳାଫଳ ମିଳିବ ବୋଲି ମୁଁ ଭାବୁଛି। ସେମାନେ ପଡ଼ିଆ ଭିତରେ ସାହସ ଦେଖାଇ ଅଫ୍ ଷ୍ଟମ୍ପରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ। (ଗେମପ୍ଲାନ୍)
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର