ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିଲା, ଡୁ ପ୍ଲେସିସ୍‌ ଓ ମିଲରଙ୍କ ଶତକ

ହୋବାର୍ଟ: ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ଓ ଡେଭିଡ୍‌ ମିଲର୍‌ଙ୍କ ଚିତାକର୍ଷକ ଶତକ ପରେ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌, କାଗିସୋ ରବାଦା ଓ ଡ୍ବେନ୍‌ ପ୍ରିଟୋରିଅସ୍‌ଙ୍କ ଦମ୍‌ଦାର ବୋଲିଂ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳକୁ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳା ବିଜୟ ଭେଟି ଦେଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିଥିବା ଦକ୍ଷିଣ ଆଫ୍ରିକା ଦ୍ବିତୀୟ ମ୍ୟାଚ୍‌ରେ ୭ ରନ୍‌ରେ ପରାସ୍ତ ହୋଇଥିଲା। ତେବେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆକୁ ୪୦ ରନ୍‌ରେ ଜିତି ୨-୧ର ଶୃଙ୍ଖଳା ବିଜୟ ପାଇଲା। ଡେଭିଡ୍‌ ମିଲର ଉଭୟ ଶେଷ ମ୍ୟାଚ୍‌ ସାଙ୍ଗକୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବିବାର ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକାକୁ ଆହ୍ବାନ କରିଥିଲା। ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ୍‌ ଆରମ୍ଭରୁ ଭଲ ବୋଲିଂ କରି କ୍ବିଣ୍ଟନ ଡି କକ୍ (୪) ଓ ରିଜା ହେଣ୍ଡ୍ରିକ୍ସ (୮)ଙ୍କୁ ସଅଳ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ଏଡେନ୍‌ ମର୍କରାମ କିଛଇ ସମୟ ଲଢ଼ି ୩୨ ରନ୍‌ କରିଥିଲେ। ହେଲେ ଏକ ସମୟରେ ୫୫ ରନ୍‌ରେ ୩ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ସଂକଟରେ ପଡ଼ିଥିଲା। ମାତ୍ର ଏହାପରେ ଡୁପ୍ଲେସିସ୍‌ ଓ ମିଲର ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ। ଦୁହେଁ ପାଖାପାଖି ୩୩ ଓଭର କ୍ରିଜ୍‌ରେ ଏକା‌ଠି ରହି ଚତୁର୍ଥ ୱିକେଟ୍‌ରେ ୨୫୨ ରନ୍ ଯୋଡ଼ି ଦଳକୁ ବଡ଼ ସ୍କୋର୍‌ ଦେଇଥିଲେ। ଉଭୟ ମଧ୍ୟ ନିଜ ନିଜର ଶତକ ପୂରଣ କରିଥିଲେ। ଡୁପ୍ଲେସିସ୍‌ ୧୧୪ ବଲ୍‌ରୁ ୧୫ ଚୌକା ଓ ୨ ଛକା ସହାୟତାରେ ୧୨୫ ରନ୍‌ କରିଥିଲା ବେଳେ ମିଲର ୧୦୮ ବଲ୍‌ ଖେଳି ୧୩ ‌ଚୌକା ଓ ୪ ଛକା ବଳରେ ୧୩୯ ରନ୍‌ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ ବିନିମୟରେ ୩୨୦ ରନ୍‌ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ମିଚେଲ ଷ୍ଟାର୍କ ୫୭ ରନ୍‌ରେ ୨ ଓ ମାର୍କସ ଷ୍ଟୋଇନିସ୍‌ ୭୦ ରନ୍‌ରେ ୨ ୱିକେଟ୍‌ ପାଇଥିଲେ। ବିଶେଷକରି ଅଷ୍ଟ୍ରେଲୀୟ ବୋଲରମାନେ ଶେଷ ୧୫ ଓଭରରେ ୧୭୪ ରନ୍‌ ବ୍ୟୟ କରିଥିଲେ। ଯାହାକି ୨୦୦୧ ମସିହା ପରେ ସବୁଠୁ ଖରାପ ବୋଲିଂ ଥିଲା। ଡୁ ପ୍ଲେସିସ୍‌ ଓ ମିଲରଙ୍କ ୨୫୨ ରନ୍‌ର ଭାଗୀଦାରି ଅଷ୍ଟ୍ରେଲିଆରେ କୌଣସି ଦିନିକିଆ ମ୍ୟାଚ୍‌ରେ ମଧ୍ୟ ସର୍ବାଧିକ କୀର୍ତିମାନ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହା ପୂର୍ବରୁ ଅଷ୍ଟ୍ରେଲୀୟ ଯୋଡ଼ି ଷ୍ଟିଭ୍‌ ୱ’ ଓ ମାଇକେଲ ବେଭାନ୍‌ଙ୍କ ୨୨୨ ରନ୍‌ (୨୦୦୦ ମସିହା, ଡକ୍‌ଲାଣ୍ଡ୍‌ ଦିନିକିଆ) କୀର୍ତିମାନ ରହିଥିଲା। ଡୁ ପ୍ଲେସିସ୍‌ ଓ ମିଲରଙ୍କ ୨୫୨ ରନ୍‌ର ଭାଗୀଦାରି ଦକ୍ଷିଣ ଆଫ୍ରିକା ପାଇଁ ଦିନିକିଆରେ ତୃତୀୟ ସର୍ବାଧିକ। ଏହା ପୂର୍ବରୁ ମିଲର୍‌ ଓ ଜେପି ଡୁମିନି (୨୫୬ ରନ୍‌) ଓ ହାସିମ୍‌ ଆମ୍‌ଲା ଓ କ୍ବିଣ୍ଟନ ଡି କକ୍‌ (୨୮୮) ସର୍ବାଧିକ ରହିଛି।

୩୨୧ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ଅନୁରୁପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କ୍ରିସ୍‌ ଲିନ୍‌ (୦), ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୧୧) ଓ ଟ୍ରାଭିସ୍‌ ହେଡ୍‌ (୬) ବିଫଳ ହେବାରୁ ଏକ ସମୟରେ ୩୯ ରନ୍‌ରେ ୩ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ଚାପରେ ପଡ଼ିଯାଇଥିଲା। ତଥାପି ସନ୍‌ ମାର୍ସ (୧୦୬) ଏକ ଚମତ୍କାର ଶତକୀୟ ପାଳି ଖେଳିଥିଲା ବେଳେ ଷ୍ଟୋଇନିସ୍‌ (୬୩) ଅଧର୍ଶତକ, ଆଲେକ୍ସ କାରେ ୪୨ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୩୫ ରନ୍‌ କରି ଲଢ଼ିଥିଲେ। ମାତ୍ର ଷ୍ଟେନ୍‌ (୩/୪୫), ରବାଦା (୩/୪୦) ଓ ପ୍ରିଟୋରିଅସ୍‌ (୨/୬୧)ଙ୍କ ଘାତକ ବୋଲିଂ ଶେଷରେ ଅଷ୍ଟ୍ରେଲିଆ ପାଳିକୁ ୨୮୦ ରନ୍‌ରେ ଅଟକାଇ ଦେଇଥିଲା। ଅଷ୍ଟ୍ରେଲିଆ ୯ ୱିକେଟ୍‌ ବିନିମୟରେ ୨୮୦ ରନ୍‌ କରି ୪୦ ରନ୍‌ର ପରାଜୟ ବରଣ କରିଥିଲା। ଚତୁର୍ଥ ୱିକେଟ୍‌ରେ ମାର୍ସ ଓ ଷ୍ଟୋଇନିସ୍‌ଙ୍କ ୧୦୭ ରନ୍ ଭାଗୀଦାରି ହିଁ ଅଷ୍ଟ୍ରେଲିଆ ପାଳିର ମୁଖ୍ୟାଂଶ ଥିଲା।

ସମ୍ବନ୍ଧିତ ଖବର