ଦକ୍ଷିଣ ଆଫ୍ରିକା ୩୧୧: ଅଷ୍ଟ୍ରେଲିଆ ୨୪୫/୯

ମର୍କେଲ ପୂର୍ଣ୍ଣ କଲେ ୩୦୦ ଓ୍ଵିକେଟ୍‌

କେପ୍‌ ଟାଉନ୍‌: କେପ୍‌ ଟାଉନ୍‌ ଟେଷ୍ଟ୍‍ରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ପାଳି ପ୍ରାୟ ସମାନ ପଥରେ ଗତି କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୩୧୧ ରନରେ ଶେଷ ହେବା ପରେ ଦ୍ୱିତୀୟ ଦିବସ ସୁଦ୍ଧା ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୪୫ ରନରେ ୯ ଓ୍ଵିକେଟ୍‌ ହରାଇ ଦେଇଛି। ଅବଶ୍ୟ ୧୭୫ ରନରେ ୮ ଓ୍ଵିକେଟ୍‌ ହରାଇ ଦେବା ପରେ ଷ୍ଟିଭେନ ସ୍ମିଥ୍‌ଙ୍କ ଦଳ ନାଥନ୍‌ ଲିଅନ୍‌ (୪୭, ୩୮ ବଲ୍‌, ୮ ଚୌକା)ଙ୍କ ଆକ୍ରମଣାତ୍ମକ ପାଳି ଏବଂ ଓ୍ଵିକେଟ୍‌ ରକ୍ଷକ ଟିମ୍‌ ପାଇନଙ୍କ ଅପରାଜିତ ୩୨ ରନ୍‌ (୬୭ ବଲ୍‌, ୩ ଚୌକା) ପାଇଁ ସମ୍ମାନ ରକ୍ଷା ଦିଗରେ ଅଗ୍ରସର ହୋଇଛି। ପ୍ରାରମ୍ଭିକ ଖେଳାଳି କାମେରନ୍‌ ବନ୍‌କ୍ରଫ୍ଟ (୭୭, ୧୦୩ ବଲ୍‌, ୧୪ ଚୌକା) ଏବଂ ଡେଭିଡ୍‌ ଓ୍ଵାର୍ନର (୩୦, ୨୮ ୧୪ ବଲ୍‌, ୫ ଚୌକା) ପ୍ରଥମ ଓ୍ଵିକେଟ୍‌ ପାଇଁ ୪୩ ରନ୍‌ ଉଠାଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ଚାଲିଥିଲା।

ଏହି ଟେଷ୍ଟରେ ପ୍ୟାଟ୍‌ କମିନ୍‌ସ ଗୋଟିଏ ସ୍ପେଲ୍‌ରେ ୮ ଓଭର ବୋଲିଂ କରି ୮ ରନ୍‌ ବିନିମୟରେ ୪ ଓ୍ଵିକେଟ୍‌ ନେବା ଏବଂ ଏବି ଡି’ଭିଲିୟର୍ସ ଆହତ ସମସ୍ୟାରୁ ଫେରିବା ପରେ ୭ ଟେଷ୍ଟ୍‍ରୁ ୬ ଥର ୫୦ରୁ ଊର୍ଧ୍ୱ ରନ୍‌ କରିବା ଚର୍ଚାରେ ଥିଲା। ଶୁକ୍ରବାର ପଞ୍ଚମ ଦକ୍ଷିଣ ଆଫ୍ରିକୀୟ ବୋଲର ଭାବେ ୩୦୦ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିଲେ। ନିଜର ୮୫ତମ ଟେଷ୍ଟ୍‍ରେ ସେ ଶୁକ୍ରବାର ଦ୍ୱିତୀୟ ଦିବସରେ ୩ ଓ୍ଵିକେଟ୍‌ ନେବା ଅବସରରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଆଲାନ୍‌ ଡୋନାଲ୍‌ଡ, ସନ୍‌ ପୋଲକ, ମାଖୟା ଏନଟିନି ଏବଂ ଡେଲ୍‌ ଷ୍ଟେନ୍‌ଙ୍କ ପରେ ସେ ପଞ୍ଚମ ଦକ୍ଷିଣ ଆଫ୍ରିକୀୟ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୩୧୧ (ଡିନ୍‌ ଏଲଗାର-୧୪୧*, ଏବି ଡି’ଭିଲିୟର୍ସ-୬୪, କାଗିସୋ ରବାଦା-୨୨, ପ୍ୟାଟ୍‌ କମିନ୍‌ସ-୪/୭୮, ନାଥନ୍‌ ଲିଅନ୍‌-୨/୪୩, ଜୋସ ହାଜେଲ୍‌ଉଡ୍‌-୨/୫୯, ମିଚେଲ୍‌ ଷ୍ଟାର୍କ-୧/୮୧)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୬୭ ଓଭରରେ ୨୪୫/୯ (କାମେରନ୍‌ ବନ୍‌କ୍ରଫଟ୍‌-୭୭, ଡେଭିଡ୍‌ ଓ୍ଵାର୍ନର-୩୦, ନାଥନ୍‌ ଲିଅନ-୪୭, ଟିମ୍‌ ପାଇନ୍‌-୩୨*, ମର୍ନି ମର୍କେଲ୍‌-୪/୮୭, କାଗିସୋ ରବାଦା-୩/୮୦, ଭର୍ନାନ୍‌ ଫିଲାଣ୍ଡର୍‌-୨/୨୬)।

ଏଲ୍‌ଗାରଙ୍କ ବ୍ୟାଟିଂ ବିଶ୍ୱ କୀର୍ତ୍ତିମାନ
ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡିନ୍‌ ଏଲଗାର୍‌ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଏକ ଟେଷ୍ଟ୍‍ ପାଳିର ପ୍ରଥମରୁ ଶେଷ ଯାଏ ବ୍ୟାଟିଂ କରି ତୃତୀୟ ଥର ଅପରାଜିତ ରହି ସେ ଏହି କୀର୍ତ୍ତିମାନ କରିଛନ୍ତି। ପୂର୍ବରୁ କେବଳ େଓ୍ଵଷ୍ଟଇଣ୍ଡିଜ୍‌ର ଦେଶମଣ୍ଡ ହେନ୍‌ସ ସମ୍ପୂର୍ଣ୍ଣ ପାଳି ଖେଳି ୩ ଥର ଅପରାଜିତ ରହିଥିଲେ। ଏଲଗାର୍‌ ୪୩୪ ମିନିଟ୍‌ ବ୍ୟାଟିଂ କରି ୨୮୪ ବଲ୍‌ ସମ୍ମୁଖୀନ ହୋଇ ୨୦ ଚୌକା ଓ ୧ ଛକା ସହାୟତାରେ ୧୪୧* ନର୍‌ କରିଥିଲେ। ତାଙ୍କ ଦଳର ପ୍ରଥମ ପାଳି କିନ୍ତୁ ୩୧୧ ରନ୍‌ରେ ସୀମିତ ରହିଥିଲା। ଏହି ପାଳିରେ ମଧ୍ୟ ୫ କ୍ୟାଚ୍‌ ନେଇ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଏକ ବିଶ୍ୱ କୀର୍ତ୍ତିମାନ କରିଛନ୍ତି। ଜଣେ କ୍ଷେତ୍ରରକ୍ଷକ ଭାବେ ସେ ଏହି ଗୌରବ ପାଇଛନ୍ତି। ୧୯୩୫-୩୬ରେ ଭିଭିଆନ୍‌ ରିଚାର୍ଡସ ମଧ୍ୟ ୫ କ୍ୟାଚ୍‌ ନେଇଥିଲେ।

ସମ୍ବନ୍ଧିତ ଖବର