ସାଉଥମ୍ପଟନ୍‌ ସଙ୍କଟ:ଲକ୍ଷ୍ୟ ୪୬୪: ଭାରତ ୫୮/୩

ସାଉଥମ୍ପଟନ୍‌: ସାଉଥମ୍ପଟନ୍‌ ଟେଷ୍ଟ୍‌ରେ ଭାରତ ଶୋଚନୀୟ ପରାଜୟ ଦ୍ୱାର ଦେଶରେ ରହିଛି। ଆଲିଷ୍ଟର କୁକ୍‌ (୧୪୭) ଓ ଜୋ ରୁଟ୍‌ (୧୨୫)ଙ୍କ ଯୁଗଳ ଶତକ ବଳରେ ଇଂଲଣ୍ଡ ୪୬୪ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ୧୮ ଓଭରରେ ୩ ଓ୍ଵିକେଟ୍‌ ହରାଇ ୫୮ ରନ୍‌ କରିଛି। ଫଳରେ ବିରାଟ ବାହିନୀର ଶେଷ ଟେଷ୍ଟ୍‌କୁ ଜିତି ସମ୍ମାନର ସହ ଗସ୍ତ ଶେଷ କରିବାର ଆଶା ମଉଳିଯିବାର ଆଶଙ୍କା ବଢ଼ି ଯାଇଛି।
ସୋମବାର ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଅଗ୍ନିବର୍ଷୀ ବୋଲିଂରେ ଭାରତର ଦ୍ୱିତୀୟ ପାଳି ଆରମ୍ଭରୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଆଣ୍ଡରସନ୍‌ ତୃତୀୟ ଓଭରର ତୃତୀୟ ଏବଂ ଶେଷ ବଲ୍‌ରେ ଶିଖର ଧାଓ୍ଵନ ଓ ଚେତେଶ୍ୱର ପୂଜାରାଙ୍କୁ ଧରାଶାୟୀ କରିଥିଲେ। ସେହିଭଳି ଚତୁର୍ଥ ଓଭରର ଦ୍ୱିତୀୟ ବଲ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ କରାଇ ଭାରତକୁ ସବୁଠାରୁ ବଡ଼ ଝଟ୍‌କା ଦେଇଥିଲେ। କୋହଲି ଓ ପୂଜାରା ଖାତା ଖୋଲି ପାରି ନଥିଲେ। କିଛି ବୁଝିବା ପୂର୍ବରୁ ନିଜ ନିଜ ଓ୍ଵିକେଟ୍‌ ହରାଇ ବସିଥିଲେ। ସେପଟେ ଆଣ୍ଡରସନଙ୍କ ଆଗରେ ପୁଣି ଥରେ ଆତ୍ମସମର୍ପଣ କରି ଧାଓ୍ଵନ ୧ ରନ୍‌ ଆଗକୁ ବଢ଼ି ପାରି ନଥିଲେ। ପଞ୍ଚମ ଓଭରର ତୃତୀୟ ବଲ୍‌ରେ ଲୋକେଶ ରାହୁଲ ନିଜ ଓ୍ଵିକେଟ୍‌ ହରାଉ ହରାଉ ଅଳ୍ପକେ ବର୍ତି ଯାଇଥିଲେ। ଇଂଲଣ୍ଡ ରିଭ୍ୟୁ ନାକଚ ହେବା ପରେ ସେ ଶାନ୍ତିର ନିଶ୍ୱାସ ମାରିଥିଲେ। ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୪୬ ଏବଂ ରାହାଣେ ୧୦ ରନ୍‌ରେ ଅପରାଜିତ ରହିଥିଲେ।
ପୂର୍ବରୁ ରବିବାର ଅପରାଜିତ ଥିବା ଦୁଇ ଘରୋଇ ବ୍ୟାଟ୍ସମ୍ୟାନ୍‌ କୁକ୍‌ ଓ ରୁଟ୍‌ ଆଜି ନିଜ ନିଜର ଶତକ ପୂରଣ କରିଥିଲେ। କୁକ୍‌ ଏକାଧିକ କୀର୍ତ୍ତିମାନ କରି ବିଦାୟୀ ଟେଷ୍ଟ୍‌ରେ ଶତକ ଜମାଇଥିବା ହାତଗଣତି ଖେଳାଳିଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ସେପଟେ ପ୍ରଥମ ଚାରି ଟେଷ୍ଟ୍‌ରେ ସଂଘର୍ଷ କରିଥିବା ରୁଟ୍‌ ବ୍ୟକ୍ତିଗତ ଭାବେ ଶୃଙ୍ଖଳାର ପ୍ରଥମ ଏବଂ ଖେଳ ଜୀବନର ଚର୍ତୁଦଶ ଶତକ ଅର୍ଜନ କରିଥିଲେ। କୁକ୍‌-ରୁଟ୍‌ ଚତୁର୍ଥ ଓ୍ଵିକେଟ୍‌ରେ ୨୬୦ ରନ୍‌ ଯୋଡ଼ିଥିଲେ। ହନୁମା ବିହାରୀ ବଦଳ ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ରୁଟ୍‌ଙ୍କ ଚେର ଓପାଡ଼ି ଦେଇଥିଲେ। ବିହାରୀ ମଧ୍ୟ କୁକ୍‌ଙ୍କ ଓ୍ଵିକେଟ୍‌ କରାୟତ କରିଥିଲେ। ଉଭୟ ରୁଟ୍‌ ଓ କୁକ୍‌ ୯୫ତମ ଓଭରରେ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ଭାରତ ୬୮ ରନ୍‌ ଭିତରେ ଇଂଲଣ୍ଡର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲା। ହେଲେ ସୁରକ୍ଷିତ ସ୍ଥାନରେ ପହଞ୍ଚି ସାରିବା ପରେ ୪୨୩/୮ରେ ଇଂଲଣ୍ଡ ଅଧିନାୟକ ରୁଟ୍‌ ପାଳି ଘୋଷଣାର ସଙ୍କେତ ଦେଇଥିଲେ। ଫଳରେ ଭାରତ ସମ୍ମୁଖରେ ୪୬୪ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର