ସ୍ପିନର ଦେଲେ ବିଦର୍ଭକୁ ଅଗ୍ରଣୀ:ରଣଜୀ ଫାଇନାଲ୍‌

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍‌ର ରୋମାଞ୍ଚ ବଢ଼ି ବଢ଼ି ଚାଲିଛି। ମଙ୍ଗଳବାର ତୃତୀୟ ଦିବସରେ ସ୍ପିନର ହିଁ ବିଦର୍ଭକୁ ମାତ୍ର ୫ ରନ୍‌ର ଅଗ୍ରଣୀ ଦେଇଛନ୍ତି। ଅଧିନାୟକ ଜୟଦେବ ଉନାଦ୍‌କଟ ଓ ଚେତନ ସାକାରାୟି ଅନ୍ତିମ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ି ଅଗ୍ରଣୀ ପାଇଁ ଲଢ଼େଇ କରିଥିଲେ ମଧ୍ୟ ଶେଷରେ ସଫଳ ହୋଇପାରିନଥିଲେ। ବିଦର୍ଭର ଦୁଇ ସ୍ପିନର ଆଦିତ୍ୟ ସରୱାତେ (୫/୯୮) ଓ ଅକ୍ଷୟ ୱାଖରେ (୪/୮୦) ୯ ୱିକେଟ୍‌ ବାଣ୍ଟିନେବାରୁ ସୌରାଷ୍ଟ୍ର ପ୍ରଥମ ପାଳି ୩୦୭ ରନ୍‌ରେ ଅଟକି ଯାଇଥିଲା। ଆଉ ଦୁଇ ଦିନ ଖେଳ ବାକି ଥିଲା ବେଳେ ଦ୍ବିତୀୟ ପାଳିରେ ୫୫/୨ କରିଥିବା ବିଦର୍ଭ ୮ ୱିକେଟ୍‌ ହାତରେ ଥାଇ ୬୦ ରନ୍‌ରେ ଆଗୁଆ ହୋଇଯାଇଛି। ଏବେଠୁ ମ୍ୟାଚ୍‌ର ଫଳାଫଳ ନେଇ ପୂର୍ବାନୁମାନ କରିବା କଷ୍ଟକର। ହେଲେ ରଣଜୀ ଟ୍ରଫି ନିୟମ ଅନୁଯାୟୀ ଫାଇନାଲ୍‌ ମ୍ୟାଚ୍‌ ଅମୀମାଂସିତ ରହିଲେ ପ୍ରଥମ ପାଳି ଅଗ୍ରଣୀ ପାଇଥିବା ଦଳ ହିଁ ବିଜେତା ହେବ। ତଥାପି ‌ସୌରାଷ୍ଟ୍ର ଫଳାଫଳ ଆଶାରେ ରହିଛି।
ବିଜେତା ବିଦର୍ଭର ପ୍ରଥମ ପାଳି ସ୍କୋର୍‌ ୩୧୨ ରନ୍ ଜବାବରେ ୧୫୮/୫ରୁ ସୌରାଷ୍ଟ୍ର ତୃତୀୟ ଦିବସ ଖେଳ ଆରମ୍ଭ କରିଥିଲା। ତେବେ ବିଦର୍ଭ ବୋଲରଙ୍କ କମାଲ୍‌ ଯୋଗୁଁ ଏକ ସମୟରେ ସୌରାଷ୍ଟ୍ର ୧୮୪ ରନ୍‌ରେ ୭ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା। ପୂର୍ବଦିନ ୮୭ ରନ୍‌ରେ ଅପରାଜିତ ଥିବା ୱିକେଟ୍ ରକ୍ଷକ ସ୍ନେଲ ପଟେଲ (୧୦୨) ଅତି ଗୁରୁତ୍ବପୂର୍ଣ୍ଣ ଶତକ ଜମାଇଥିଲେ ମଧ୍ୟ ୧୫ ରନ୍‌ ଯୋଡ଼ି ପାଭିଲିୟନ୍‌ ଫେରିଯାଇଥିଲେ। ପଟେଲ ଏଥି ସହିତ ନିଜର ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ପୂରଣ କରି ନେଇଥିଲେ। ଆନ୍ତର୍ଜାତିକ ଦ୍ରୁତ ବୋଲର ଉମେଶ ଯାଦବ ଏହି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ବିଦର୍ଭ ପାଳି ଅଗ୍ରଣୀ ନିଶ୍ଚିତ ଜଣାପଡୁଥିଲା ବେଳେ ନିମ୍ନକ୍ରମରେ କମଲେଶ୍‌ ମକ୍‌ୱାନା (୨୭), ଧମେନ୍ଦ୍ରସିଂହ ଜାଦେଜା (୨୩), ଉନାଦ୍‌କଟ୍‌ (୪୬) ଓ ସାକାରିୟା (୨୮) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍କୋର୍‌ ଆଗେଇ ନେଇଚାଲିଥିଲେ। ଏପରିକି ଉନାଦ୍‌କଟ୍‌ ଓ ସାକାରିଆ ଅନ୍ତିମ ୱିକେଟ୍‌ରେ ୬୦ ରନ୍‌ ଯୋଡ଼ି ପାଳି ଅଗ୍ରଣୀ ଆଡ଼କୁ ଅଗ୍ରସର ହେଉଥିଲେ। ହେଲେ ୱାଖାରେଙ୍କ ଓଭରର ଶେଷ ବଲ୍‌ରେ ସିଙ୍ଗଲ ରନ୍‌ ନେବା ଚକରରେ ସୁଇପ୍‌ ସଟ୍‌ ଖେଳି ସେ ସଞ୍ଜୟଙ୍କ ହାତରେ ଧରା ପଡ଼ିଯାଇଥିଲେ। ୩୦୭ ରନ୍‌ରେ ହିଁ ସୌରାଷ୍ଟ୍ର ପ୍ରଥମ ପାଳିରେ ପୁର୍ଣ୍ଣଛେଦ ପଡ଼ିଥିଲା। ବାମହାତୀ ସ୍ପିନର ସରୱାତ୍‌ ୫ ଓ ୱାଖାରେ ୪ ୱିକେଟ୍‌ ନେଇଥିଲେ। ସ୍ଲିପ୍‌ରେ କ୍ଷେତ୍ରରକ୍ଷକ କରୁଥିବା ବରିଷ୍ଠ ଖେଳାଳି ୱାସିମ୍‌ ଜାଫର ୪ କ୍ୟାଚ୍‌ ନେଇଥିଲେ।
ମାତ୍ର ୫ ରନ୍‌ର ଅଗ୍ରଣୀ ପାଇଁ ଉଲ୍ଲସିତ ହୋଇଥିବା ବିଦର୍ଭ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ୫୫ ରନ୍‌ କରିଛି। ଅଧିନାୟକ ଫୈଜ ଫଜଲ୍‌ ୧୦ ଓ ଆର୍‌ ସଞ୍ଜୟ ରଘୁନାଥ ୧୬ ରନ୍‌ କରି ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଗଣେଶ ସତୀଶ ୨୪ ଓ ୱାସିମ୍‌ ଜାଫର ୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଦୁଇଟିଯାକ ୱିକେଟ୍‌ ଧ‌ର୍ମେନ୍ଦ୍ରସିଂହ ଜାଦେଜା ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି ୩୧୨ (ଅକ୍ଷୟ କାର୍ନେକର ୭୩*, ଜୟଦେବ ଉନାଦକଟ ୩/୫୪, ଚେତନ ସକାରିଆ ୨/୪୪)। ସୌରାଷ୍ଟ୍ର ପ୍ରଥମ ପାଳି ୧୧୭ ଓଭରରେ ୩୦୭ (ସ୍ନେଲ୍ ପଟେଲ ୧୦୨, ଜୟଦେବ ଉନାଦକଟ ୪୬, ଚେତନ ସାକାରିୟା ୨୮*, ଆଦିତ୍ୟ ସରୱାତେ ୫/୯୮, ଅକ୍ଷୟ ୱାଖରେ ୪/୮୦, ଉମେଶ ଯାଦବ ୧/୫୯)। ବିଦର୍ଭ ଦ୍ବିତୀୟ ପାଳି ୩୧ ଓଭରରେ ୫୫/୨ (ଗଣେଶ ସତୀଶ ୨୪*, ଧର୍ମେନ୍ଦ୍ରସିଂହ ଜାଦେଜା ୨/୩୬।

ସମ୍ବନ୍ଧିତ ଖବର