ସ୍ୱତନ୍ତ୍ର ଅଲିମ୍ପିକ୍ସ ସାଇକେଲ୍‌ ଚାଳନା: ଓଡ଼ିଶାକୁ ୧୪ ପଦକ

ଭୁବନେଶ୍ୱର: ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ରତୁରେ ଶେଷ ହୋଇଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ସାଇକେଲ୍‌ ଚାଳନା ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୫ କାଂସ୍ୟ ସହ ମୋଟ ୧୪ ପଦକ ମିଳିଛି। ମହିଳାରେ ସରିତା ବେହେରା ୫ କିମିରେ ସ୍ୱର୍ଣ୍ଣ, ୨ କିମିରେ ରୌପ୍ୟ, ସୋନାଲି ପ୍ରଧାନ ୨ କିମିରେ ସ୍ୱର୍ଣ୍ଣ, ୧ କିମିରେ ରୌପ୍ୟ, ରୁଷାଲି ଜେନା ୧ କିମି ଓ ୫୦୦ ମିଟରରେ ରୌପ୍ୟ, ଶୁଭଶ୍ରୀ ସାହୁ ୧ କିମିରେ କାଂସ୍ୟ ପଦକ ଜିତିଥିଲେ। ସେହଭଳି ପୁରୁଷରେ ନିହାର ରଂଜନ ସାହୁ ୧ କିମିରେ ସ୍ୱର୍ଣ୍ଣ, ୫୦୦ ମିଟରରେ କାଂସ୍ୟ, ପ୍ରଭାତ ବରାଳ ୨ କିମିରେ କାଂସ୍ୟ, ସନ୍ତୋଷ ମଲ୍ଲିକ ୧୦ କିମିରେ ରୌପ୍ୟ, ୫ କିମିରେ କାଂସ୍ୟ, ସୁବ୍ରତ ନାୟକ ୧ କିମିରେ ରୌପ୍ୟ ଏବଂ ଶକ୍ତି ଶଙ୍କର ତିଓ୍ଵାରୀ ୧ କିମିରେ କାଂସ୍ୟ ପଦକ ଜିତିଥିଲେ। ସ୍ୱର୍ଣ୍ଣ ଏବଂ ରୌପ୍ୟ ବିଜେତାମାନେ ଆସନ୍ତା ବର୍ଷ ଆବୁଧାବିରେ ହେବାକୁଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଗ୍ରୀଷ୍ମକାଳିନ ପ୍ରତିଯୋଗିତା ଯୋଗ୍ୟତା ହାସଲ କରିଥିଲେ।

ଏହି ୧୨ ଜଣିଆ ଓଡିଶା ପ୍ରତିଯୋଗୀ ୨ ମାସ ପୂର୍ବରୁ ଭୁବନେଶ୍ୱରଠାରେ ସେମାନଙ୍କ ପ୍ରଶିକ୍ଷକ ସସ୍ମିତା ମହାପାତ୍ର, ଗୀତ ପଣ୍ଡା ଓ ସଞ୍ଜୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଠିନ ପରିଶ୍ରମ କରି ପ୍ରସ୍ତୁତ ହୋଇଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର କୁମାର ଦେବଦତ୍ତ ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଓଡ଼ିଶା ପକ୍ଷରୁ ପ୍ରଶିକ୍ଷକ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷିକା ଅର୍ପିତା ମହାପାତ୍ର ଜାତୀୟ କର୍ମକର୍ତା ଓ ଚୟନକର୍ତ୍ତା ଭାବେ ଏଠାରେ ଦାୟିତ୍ୱ ତୁଲାଇଥିଲେ। ପଦକ ବିଜେତାମାନଙ୍କୁ ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ଅଭିନନ୍ଦନ ଜଣାଇଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ବୁଧବାର ସକାଳେ ପଦକ ବିଜେତାମାନେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର