ସ୍ୱିଡେନ୍‌ ୨୪, ସ୍ୱିଜରଲାଣ୍ଡର ୬୪ ବର୍ଷ ଅପେକ୍ଷା

ସେଣ୍ଟପିଟର୍ସବର୍ଗ: ମସ୍କୋ ବିଶ୍ୱକପ୍‌ରେ ମଙ୍ଗଳବାର ଦୁଇଟି ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଖେଳାଯିବ। ସେଥିମଧ୍ୟରୁ ପ୍ରଥମରେ ସ୍ୱିଡେନ୍‌-ସ୍ୱିଜରଲାଣ୍ଡ ଏବଂ ଦ୍ୱିତୀୟରେ ଇଂଲଣ୍ଡ-କଲମ୍ବିଆ ମୁହାଁମୁହିଁ ହେବେ। ସେଣ୍ଟପିଟର୍ସବର୍ଗରେ ଖେଳା ଯିବାକୁ ଥିବା ସ୍ୱିଡେନ୍‌-ସ୍ୱିଜରଲାଣ୍ଡ ମ୍ୟାଚ୍‌ରେ ଉଭୟ ଦଳ ପାଇଁ ଦୀର୍ଘ ପ୍ରତୀକ୍ଷାରେ ବିରାମ ଲଗାଇବାର ସୁଯୋଗ ରହିବ। ସ୍ୱିଡେନ୍‌ ୧୯୯୪ ମସିହା ଅର୍ଥାତ୍‌ ୨୪ ବର୍ଷ ପରେ ପ୍ରଥମ ଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ଲାଗି ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡ ୬ ଦଶନ୍ଧୀରୁ ଅଧିକ ସମୟ ଅର୍ଥାତ୍‌ ୬୪ ବର୍ଷ ପରେ ଏହି ପର୍ଯ୍ୟାୟକୁ ଯିବାକୁ ଲଢ଼େଇ କରିବ। ୧୯୫୪ ମସିହା ପରେ ସ୍ୱିଜରଲାଣ୍ଡ ଆଉ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ଖେଳି ନାହିଁ।

ସେହିଭଳି ୧୯୯୪ ମସିହାରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ସ୍ୱିଡେନ୍‌ ଆଉ ପ୍ରି-କ୍ୱାର୍ଟର ଆଗକୁ ବଢ଼ି ନାହିଁ। ଉଭୟ ଦଳ କିନ୍ତୁ ଚଳିତ ବିଶ୍ୱକପ୍‌ରେ ପ୍ରଭାବଶାଳୀ ଫୁଟବଲ୍‌ ଖେଳିଛନ୍ତି। ତଥାପି ମଙ୍ଗଳବାର ନିଲମ୍ବିତ ଖେଳାଳି ଦୁଇଟି ଯାକ ଦଳ ପାଇଁ ଚିନ୍ତାର କାରଣ ହେବେ। ସ୍ୱିଜରଲାଣ୍ଡ ଅଧିନାୟକ ଷ୍ଟିଫାନ ଲିଚଷ୍ଟେଇନରଙ୍କ ବିନା ଖେଳିବ। ସ୍ୱିଡେନ୍‌ ସେବାସ୍ତିଆନ୍‌ ଲାର୍ସନଙ୍କ ସେବାରୁ ବଞ୍ଚିତ ହେବ। ୯୮ ବର୍ଷ ଭିତରେ ସ୍ୱିଡେନ ଏବଂ ସ୍ୱିଜରଲାଣ୍ଡ ୨୯ ଥର ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ସ୍ୱିଡେନ୍‌ ୧୧ଟିରେ ବିଜୟୀ ହୋଇଥିଲା ବେଳେ ୧୦ ମ୍ୟାଚ୍‌ରେ ପରାଜିତ ହୋଇଛି। ସ୍ୱିଜରଲାଣ୍ଡ ଗୋଟିଏ ବିଜୟ ଏବଂ ଦୁଇଟି ପରାଜୟ ସହ ଗ୍ରୁପ-ଇର ଉପବିଜେତା ଭାବେ ପ୍ରି-କ୍ୱାର୍ଟର ଯାଇଛି। ଅନ୍ୟପକ୍ଷରେ ସ୍ୱିଡେନ୍‌ ଦୁଇଟି ବିଜୟ ଏବଂ ଗୋଟିଏ ପରାଜୟ ସହ ଗ୍ରୁପ୍‌-ଏଫ୍‌’ର ବିଜେତା ଭାବେ ଏହି ପର୍ଯ୍ୟାୟ ଟିକେଟ ପାଇଛି।
ଇଂଲଣ୍ଡକୁ କେବେ ହରାଇନି କଲମ୍ବିଆ
ମସ୍କୋ,୨|୭: ମସ୍କୋର ସ୍ପାର୍ଟକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଇଂଲଣ୍ଡ-କଲମ୍ବିଆ ମ୍ୟାଚ୍‌ ଚଳିତ ବିଶ୍ୱକପର ଶେଷ ନକଆଉଟ୍‌ ମ୍ୟାଚ୍‌ ହେବ। ସେମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ଶେଷ ଟିକେଟ ହାସଲ କରିବ। ହେଲେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ କଲମ୍ବିଆ କେବେବି ଇଂଲଣ୍ଡକୁ ହରାଇ ନାହିଁ। ଉଭୟ ଦଳ ଶେଷ ଥର ପାଇଁ ୧୯୯୮ ଫ୍ରାନ୍ସ ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍‌କୁ ଇଂଲଣ୍ଡ ୨-୦ ଗୋଲ୍‌ରେ ଜିତି ନେଇଥିଲା। ସେନେଗାଲ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌କୁ ଜିତି ପ୍ରି-କ୍ୱାର୍ଟରକୁ ଯାଇଥିବା କଲମ୍ବିଆ ରାଦାମେଇ ଫାଲକାଓ ଓ ଜେମ୍ସ ରୋଡ୍ରିଗେ୍ଵଜଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ। ହେଲେ ବ୍ରାଜିଲ ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍‌ ଦେଇଥିବା ରୋଡ୍ରିଗେ୍ଵଜ୍‌ଙ୍କ ଫିଟନେସ ନେଇ ଦେଖା ଯାଇଥିବା ସନ୍ଦେହ କଲମ୍ବିଆକୁ ଚିନ୍ତାରେ ପକାଇଛି। ସେପଟେ ଇଂଲଣ୍ଡ ଡେଲ ଏବଂ ଅଧିନାୟକ ହାରି କେନଙ୍କ କମାଲ ଅପେକ୍ଷାରେ ରହିବ। ଇଂଲଣ୍ଡ ତା’ର ପ୍ରଥମ ଦୁଇ ମ୍ୟାଚ୍‌ ଜିତିବା ପରେ ବେଲଜିୟମଠାରୁ ହାରି ଗ୍ରୁପ୍‌ ୟ-ବି’ର ଉପବିଜେତା ଭାବେ ପ୍ରି-କ୍ୱାର୍ଟରକୁ ଯାଇଛି। କଲମ୍ବିଆ କିନ୍ତୁ ଗ୍ରୁପ୍‌-ଏଚ୍‌ର ବିଜେତା ଭାବେ ନକଆଉଟ୍‌ ଖେଳିବାର ଟିକେଟ୍‌ ହାସଲ କରିଛି।

ସମ୍ବନ୍ଧିତ ଖବର