କ୍ରୀଡ଼ା ବଜେଟ୍‌ ୨୧୪ କୋଟି ବଢ଼ିଲା

ନୂଆଦିଲ୍ଲୀ: ଶୁକ୍ରବାର ଉପସ୍ଥାପିତ ୨୦୧୯-୨୦ କେନ୍ଦ୍ର ବଜେଟ୍‌ରେ କ୍ରୀଡ଼ା ବିଭାଗକୁ ଗୁରୁତ୍ବ ମିଳିଛି। ଗତବର୍ଷ ତୁଳନାରେ ୨୧୪.୨୦ କୋଟି ଟଙ୍କା ବୃଦ୍ଧି କରିଛନ୍ତି ମୋଦି ସରକାର। ପୂର୍ବ ବର୍ଷ (୨୦୧୮-୧୯) ମୋଟ କ୍ରୀଡ଼ା ବିଜେଟ୍‌ ୨୦୦୨.୭୨ କୋଟି ଥିଲା। ଏଥର ଏହାକୁ ୨୨୧୬.୯୨କୁ ବଢ଼ାଇ ଦିଆଯାଇଛି। ଭାରତୀୟ କୀଡ଼ା ପ୍ରାଧିକରଣ (ସାଇ) ଏବଂ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କ୍ଷେତ୍ରରେ ଏହାର ପ୍ରମୁଖ ଭାଗ ରହିବ। ଏହା ବ୍ୟତୀତ ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠି (ଏନ୍‌ଏସ୍‌ଡିଏଫ୍) ମଧ୍ୟ ପ୍ରମୁଖ ଫାଇଦା ପାଇବ। ସାଇ ବଜେଟ୍‌ ୫୫ କୋଟି ବଢ଼ିଛି। ଏହାକୁ ୩୯୫ରୁ ୪୫୦ କୋଟିରେ ପହଞ୍ଚାଇ ଦିଆଯାଇଛି। ଏନଏସ୍‌ଡିଏଫ୍‌ ଅନୁଦାନକୁ ୨ କୋଟିରୁ ୭୦ କୋଟି କରାଯାଇଛି। ଖେଳାଳିଙ୍କ ପ୍ରୋତ୍ସାହନ ରାଶି ୬୩ କୋଟିରୁ ୮୯ କୋଟିରେ ପହଞ୍ଚିଛି। କିନ୍ତୁ ଜାତୀୟ କ୍ରୀଡ଼ା ସଂଘ (ଏନ୍‌ଏସ୍‌ଏଫ୍‌) ଗୁଡ଼ିକର ସହାୟତା ରାଶିରେ ସାମାନ୍ୟ ହ୍ରାସ କରାଯାଇଛି। ୨୪୫.୧୩ କୋଟିରୁ ଏହାକୁ ୨୪୫ କୋଟି କରାଯାଇଛି। ‌ଖେଳାଳିଙ୍କ ସାମଗ୍ରିକ ପ୍ରୋତ୍ସାହନ ଓ ପୁରସ୍କାର ରାଶିରେ ୯୪.୦୭ କୋଟି ବୃଦ୍ଧି ଘଟିଛି। ଏହା ପୂର୍ବରୁ ୩୧୬.୯୩ କୋଟି ଥିଲା, ଏବେ ୪୧୧ କୋଟି କରାଯାଇଛି। କ୍ରୀଡ଼ା ବିକାଶରେ କାମ କରୁଥିବା ଖେଲୋ ଇଣ୍ଡିଆ ଜାତୀୟ କାର୍ଯ୍ୟକ୍ରମ ରାଶି ମଧ୍ୟ ୫୦.୧୧ କୋଟି ବଢ଼ିଛି। ପୂର୍ବରୁ ଏହା ୫୫୦.୬୯ କୋଟି ଥିବାବେଳେ ଏବେ ୬୦୧ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର