ଆଇଏମ୍‌ଏଫ୍‌କୁ ୭୯ ଲକ୍ଷ, କାହା ସ୍ବାର୍ଥରେ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌

ଭୁବନେଶ୍ବର: ଓଡ଼ିଶା ବିଶେଷ କରି ଭୁବନେଶ୍ବର ଏବେ ଦେଶର କ୍ରୀଡ଼ା ରାଜଧାନୀ ଭାବେ ଦାବି ଉପସ୍ଥାପନ କରୁଛି। ବହୁ ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ବିଶ୍ବବ୍ୟାପୀ ପ୍ରଶଂସା ବି ସାଉଁଟିଛି। କିନ୍ତୁ ଦ୍ବୀପ ତଳ ଅନ୍ଧାର ଭଳି ଅବସ୍ଥା ହୋଇଛି। ରାଜ୍ୟର ସ୍ବାର୍ଥରେ ଏହା ବିଶେଷ ଲାଗୁନାହିଁ ବୋଲି ଅଭିଯୋଗ ଆସିବା ଆରମ୍ଭ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଓଡ଼ିଶାର ଭିତ୍ତିଭୂମି, ବିପୁଳ ଅର୍ଥ, ସ୍ବୀକୃତି, ମାନବସମ୍ବଳ ଆଦିର ବ୍ୟବହାର ସତ୍ତ୍ବେ ଏହା ଓଡ଼ିଶା ଓ ଓଡ଼ିଆ ‌ଖେଳାଳିଙ୍କ ପ୍ରତ୍ୟେକ୍ଷ ଫାଇଦାରେ ଲାଗୁନାହିଁ। ଏହାର ଏକ ନଗ୍ନ ଉଦାହରଣ ହେଉଛି ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌। ଏହି ଦୁଃସାହସିକ ଖେଳ ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସରେ ପଦାର୍ପଣ କରିବାକୁ ଯାଉଛି। ୬ଟି ପଦକ ପାଇଁ ମଧ୍ୟ ବିଶ୍ବବ୍ୟାପୀ ବିଭିନ୍ନ ଦେଶ ପ୍ରସ୍ତୁତି ଆରମ୍ଭ କରିଛି। ଅଲିମ୍ପିକ୍ସ ପଦାର୍ପଣ କାରଣରୁ ଏହି ଖେଳ ପ୍ରତି ଖେଳାଳିଙ୍କ ଆଗ୍ରହ ଓ ଉତ୍ସାହ ମଧ୍ୟ ଭାରତରେ ବଢ଼ିଛି।

ଓଡ଼ିଶା ସରକାରଙ୍କ ହାତଖୋଲା ସମର୍ଥନ କାରଣରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଦେଶର ଅନ୍ୟତମ ଶ୍ରେଷ୍ଠ ୱାଲ କ୍ଲାଇମ୍ବିଂ ମଧ୍ୟ ନିର୍ମାଣ ହୋଇଛି। ପ୍ରଥମରୁ ଟେଣ୍ଡର୍‌ ଫିକ୍ସିଂ ବିବାଦରେ ଛନ୍ଦି ହୋଇଥିବା ଏହି ୱାଲ୍‌ ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି। ସବୁଠାରୁ ବଡ଼ ଦିଗଟି ହେଉଛି ଓଡ଼ିଶାର ଭିତ୍ତିଭୂମି, ବିପୁଳ ଅର୍ଥ ବିନିଯୋଗରେ ଏହା ବିଗତ ୨ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଜଣେ ହେଲେ ଓଡ଼ିଆ ଖେଳାଳି ଜାତୀୟସ୍ତରରେ ପହଞ୍ଚିବା ସମ୍ଭବ ହୋଇନାହିଁ। ଦୁଃଖର କଥା ହେଉଛି ଓଡ଼ିଶା ଖେଳାଳିମାନଙ୍କୁ ପ୍ରୋତ୍ସାହିତ କି ସମର୍ଥନ ଯୋଗାଇଦେବାର ଦାୟିତ୍ବକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏକ ପ୍ରକାର ଭୁଲି ଯାଇଛି। ଗତ ମାସରେ କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌ ପରିସରରେ ମଧ୍ୟ ଏସୀୟ ଯୁବ ପ୍ରତିଯୋଗିତା ଲାଗି ଭାରତୀୟ ଦଳର ମାସିକିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି। ଦେଶରୁ ୧୨ ଜଣ ବାଳିକାଙ୍କ ସହିତ ୨୬ ଜଣ ଖେଳାଳି ଏବଂ ୩ ଜଣ ପ୍ରଶିକ୍ଷକକୁ ନେଇ ଏହା ଶେଷ ହୋଇଥିଲେ ମଧ୍ୟ ଗଣମାଧ୍ୟମଠାରୁ ଏହାକୁ ଲୁଚାଇ ରଖାଯାଇଥିଲା। କିନ୍ତୁ ପ୍ରସଙ୍ଗଟି ଅଧିକ ଉଗ୍ର ହୋଇଛି, ଜଣେ ହେଲେ ଓଡ଼ିଆ ଖେଳାଳିଙ୍କୁ ଏଥିରେ ପ୍ରତ୍ୟେକ୍ଷ କି ପରୋକ୍ଷ ଭାବେ ସାମିଲ କରାନଯିବାରୁ। ଏହି ଖେଳ ଓଡ଼ିଶାରେ ନୂଆ ହୋଇଥିଲେ ବି ଖୁବ୍ କମ୍ ଦିନ ମଧ୍ୟରେ ରଜନୀ ବିଶିଙ୍କ ଭଳି ବିଲାୟର୍‌ ଖେଳାଳି ସୃଷ୍ଟି ହୋଇପାରିଛନ୍ତି। କିନ୍ତୁ ଭାରତୀୟ ଶିବିରରେ କିଛି ଯୁବ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାନଯିବା ଏବଂ ରାଜ୍ୟ ସଂଘ (ସ୍ପୋର୍ଟସ କ୍ଲାଇମ୍ବିଂ ଆସୋସିଏସନ୍‌ ଅଫ୍‌ ଓଡ଼ିଶା)କୁ ସମ୍ପୂର୍ଣ୍ଣ ଅଣଦେଖା କରାଯିବାକୁ ସାଧାରଣ କ୍ରୀଡ଼ା ଅନୁରାଗୀମାନେ ଗ୍ରହଣ କରିପାରିନାହାନ୍ତି। ଏପରିକି ଗତ ଅଗଷ୍ଟ ମାସରେ ସିକିମ୍‌ରେ ଅନୁଷ୍ଠିତ ଜାତୀୟ ଓପନ୍‌ରେ କୌଣସି ଓଡ଼ିଆା ଖେଳାଳି ଭାଗ ନେଇ ପାରିନଥିଲେ।

ଆଇଏମ୍‌ଏଫ୍‌କୁ ୭୯ ଲକ୍ଷ
ଓଡ଼ିଶାର ଭିତ୍ତିଭୂମି ଏବଂ ପୁଞ୍ଜି ଉପରେ ଛିଡ଼ା ହୋଇଥିବା ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌ ରାଜ୍ୟ ପାଇଁ ଏକମାତ୍ର ଗୌରବ ହୋଇଛି। କିନ୍ତୁ ଏହାକୁ ନେଇ ଗର୍ବିତ ହେବାକୁ ନାହାନ୍ତି ଓଡ଼ିଆ ଖେଳାଳି। ରାଜ୍ୟ ସରକାର ଏହାର ସର୍ବସ୍ବକୁ ସମର୍ପି ଦେଇଛନ୍ତି ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ (ଆଇଏମ୍‌ଏଫ୍‌) ହାତରେ। ଜାତୀୟ ଦଳର ପ୍ରସ୍ତୁତି ଏବଂ ଭାରତୀୟ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଲାଗି ଓଡ଼ିଶା ସରକାର ମଧ୍ୟ ୬ ମାସକୁ ୭୯ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ସରକାରଙ୍କ ଜାତୀୟ ସ୍ବାର୍ଥ ଅଗ୍ରହ ନିଶ୍ଚିତ ସ୍ବାଗତଯୋଗ୍ୟ କିନ୍ତୁ ଓଡ଼ିଶାର ସ୍ବାର୍ଥ ବଳିପଡ଼ିବା ଦୁର୍ଭାଗ୍ୟଜନକ। ଜାତୀୟ ଶିବିର ସହିତ ଓଡ଼ିଶାର ତୃଣମୂଳସ୍ତରରେ ଏହି ଖେଳର ପ୍ରଚାର ଓ ପ୍ରସାର ପାଇଁ ମଞ୍ଜୁର ଅର୍ଥ ବିନିଯୋଗ କରାଯିବ ବୋଲି କୁହାଯାଇଛି। କିନ୍ତୁ ଅଦ୍ୟାବଧି ଏହା ଧୂଆଁବାଣ ହୋଇ ରହିଛି। ୩.୭୬ କୋଟି ବ୍ୟୟରେ ନିର୍ମିତ କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌ ବିଗତ ୨ ବର୍ଷରେ ମାତ୍ର ୩ଟି ରାଜ୍ୟ ପ୍ରତିଯୋଗିତା ଏବଂ ୨ଟି ଶିବିର ଆୟୋଜନରେ ସୀମିତ ରହିଛି। ଓଡ଼ିଶା ଖେଳାଳି କିମ୍ବା ରାଜ୍ୟ ସଂଘ ପାଇଁ ଏହି ୱାଲ୍ ମଧ୍ୟ ଉନ୍ମୁକ୍ତ ରଖାଯାଉନାହିଁ।

ରାଜ୍ୟ ସଂଘ ଅସନ୍ତୁଷ୍ଟ
ଓଡ଼ିଶାରେ ସ୍ପୋର୍ଟସ କ୍ଲାଇମ୍ବିଂ ଖେଳର ସର୍ବୋଚ୍ଚ ପରିଚାଳନା ସଂସ୍ଥା ହେଉଛି ଏସ୍‌ସିଏଓ (ସ୍ପୋର୍ଟସ କ୍ଲାଇମ୍ବିଂ ଆସୋସିଏସନ୍‌ ଅଫ୍‌ ଓଡ଼ିଶା)। ଓଡ଼ିଶା ସରକାରଙ୍କଠାରୁ ସମର୍ଥନ ଓ ସହଯୋଗ ମିଳୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏହାର ସମ୍ପାଦକ ରବୀନ୍ଦ୍ର କୁମାର ଭୂୟାଁ। ୱାଲ୍‌ କ୍ଲାଇମ୍ବିଂକୁ ଗତ ଫନି ପରେ ଆଇଆଇଟି ଅସୁରକ୍ଷିତ ଘୋଷଣା କରିସାରିଛି। ଏହା ପରେ ବି ସେଠାରେ ଜାତୀୟ ଶିବିର କରାଗଲା। ଓଡ଼ିଶା ପିଲାଙ୍କୁ କୌଣସି ଭାବରେ ସାମିଲ କରି ପ୍ରୋତ୍ସାହିତ କରାଗଲା ନାହିଁ। କ୍ରୀଡ଼ା ସଚିବଙ୍କୁ ଭେଟିବାକୁ ବାରମ୍ବାର ଯାଇଥିଲେ ବି ସଂଘକୁ ଏଡ଼ାଇ ଦିଆଯାଉଛି ବୋଲି ଅସନ୍ତୋଷର ସହ କହିଥିଲେ ରାଜ୍ୟରେ ଦୁଃସାହସିକ କ୍ରୀଡ଼ାର ଅନ୍ୟତମ ଆଦ୍ୟ ପ୍ରଶାସକ ଶ୍ରୀ ଭୂୟାଁ। ଓଡ଼ିଶାର ଭିତ୍ତିଭୂମି ଓ ଅର୍ଥରେ ସବୁକିଛି ହେଉଛି କିନ୍ତୁ ଓଡ଼ିଶା ପିଲାଙ୍କ ସ୍ବାର୍ଥରେ ଯଦି ଏହା ନ ଲାଗୁଛି ତେବେ କାହା ସ୍ବାର୍ଥରେ ଏହା ନିର୍ମିତ ହୋଇଛି ବୋଲି ଶ୍ରୀ ଭୂୟାଁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର