କିଟ୍‌ରେ କ୍ରୀଡ଼ା ମହାକୁମ୍ଭ ଆରମ୍ଭ

୨୫୦ ବିଶ୍ୱବିଦ୍ୟାଳୟରୁ ୩୦୦୦ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀ ସାମିଲ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଲାଗି ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହୋଇଛି। ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସହଯୋଗରେ କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ କରୁଛି। ୬ ଦିନ ଧରି ଆୟୋଜିତ ଏହି ବୃହତ୍‌ କ୍ରୀଡ଼ାରେ ୨୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩୦୦୦ରୁ ଅଧିକ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି। କ୍ରୀଡ଼ା ମହାକୁମ୍ଭରେ ସର୍ବଭାରତୀୟ ତୀରନ୍ଦାଜୀ (ପୁରୁଷ ଓ ମହିଳା), ଅନ୍ତଃଜୋନ୍‌ ବାସ୍କେଟ୍‌ବଲ୍‌ (ପୁରୁଷ), ଅନ୍ତଃଜୋନ୍‌ ଟେନିସ୍‌ (ପୁରୁଷ) ଏବଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା ହେବ। ତୀରନ୍ଦାଜୀରେ ୧୦୨୦, ଲନ୍‌ ଟେନିସ୍‌ରେ ୪ ଜୋନ୍‌ରୁ ୯୬ ଓ ବାସ୍କେଟ୍‌ବଲ୍‌ରେ ୧୯୨ ପ୍ରତିଯୋଗୀ ଭାଗ ନେଇଛନ୍ତି। ମଙ୍ଗଳବାର ଏହି କ୍ରୀଡ଼ା ମହାକୁମ୍ଭକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭାରମ୍ଭ କରିଥିଲେ। ଏହା କିଟ୍‌ ଓ କିସ୍‌ ପାଇଁ ଗୌରବର କଥା। କିଟ୍‌ରେ ଉଚ୍ଚମାନର କ୍ରୀଡ଼ା ଭିତ୍ତିଭୂମି ଯୋଗୁଁ ଏଭଳି କ୍ରୀଡ଼ା ମହାକୁମ୍ଭ ଆୟୋଜନ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପର୍ଯ୍ୟବେକ୍ଷକ ବିଡି ବାନର୍‌, ଇୟୁଏସ୍‌ଏଆଇର ପ୍ରତିନିଧି ଦୀପ୍‌ ସୋଲାଙ୍କି, କିଟ୍‌ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ କିଟ୍‌ ଓ କିସ୍‌ର କ୍ରୀଡ଼ା ବିଭାଗ ଲୋଗୋ ଉନ୍ମୋଚିତ ହୋଇଥିଲା। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ କିଟ୍‌ରେ ସର୍ବଭାରତୀୟ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସାଙ୍ଗକୁ ପ୍ରଥମ ଥର ଲାଗି ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ଯୋଗ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର