ରାଇନାଙ୍କ ଦୁର୍ଘଟଣା ଗୁଜବ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଗୁଜବ ବା ଫେକ୍ ନ୍ୟୁଜ୍ ଏବେ ଏକ ବଡ଼ ବ୍ୟାଧି‌ରେ ପରିଣତ ହେଲାଣି। ଅନେକ କ୍ରିକେଟ୍ ତାରକା ଓ ବଲିଉଡ୍ ସେଲିବ୍ରେଟି ଏହାର ଶିକାର ହେଉଛନ୍ତି। ସମାଜରେ ଆଲୋଡ଼ନ ସୃଷ୍ଟି କରିବା ଲାଗି ଅସାମାଜିକ ତତ୍ତ୍ବ ମିଛରେ ସେଲିବେଟିଙ୍କ ମୃତ୍ୟୁ ଖବର ମଧ୍ୟ ପ୍ରସାରିତ କରି ଦେଉଛନ୍ତି। ଏପରିକି ସଂପୃକ୍ତ ତାରକାଙ୍କୁ ପଦାକୁ ଆସି ସେ ଜୀବୀତ ଥିବା ମଧ୍ୟ ସଫେଇ ଦେବାକୁ ପଡ଼ୁଛି। ଏହି ଫେକ୍‌ ନ୍ୟୁଜ୍‌ର ସଦ୍ୟତମ ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟର ସୁରେଶ ରାଇନା। ରାଇନାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ହଠାତ୍ ରବିବାର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କ ସହ କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି ଖବର ରାଇନାଙ୍କ ପରିବାର ପାଖରେ ମଧ୍ୟ ପହଞ୍ଚିଥିଲା। ଫଳରେ ସୋମବାର ରାଇନାଙ୍କୁ ଟ୍ବିଟ୍ କରି ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଇବାକୁ ପଡ଼ିଥିଲା। ରାଇନା ନିଜ ଟ୍ବିଟର ପୃଷ୍ଠାରେ ଏହି ଖବରକୁ ତୀବ୍ର ନିନ୍ଦା କରିବା ସହ ଏଭଳି ଖବର ପ୍ରସାରିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ ଲେଖିଥିଲେ, ମୁଁ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛି ବୋଲି ଗତ କିଛି ଦିନ ହେବ ଖବର ପ୍ରକାଶ ପାଉଛି। ଏହି ମିଛ ଖବର ମୋତେ ଓ ମୋ ପରିବାରକୁ ବିଚଳିତ କରିଛି। ଦୟାକରି ଏଭଳି ଖବରକୁ ଅଣଦେଖା କରନ୍ତୁ। ଭଗବାନଙ୍କ ଦୟାରୁ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ଯେଉଁ ୟୁ ଟ୍ୟୁବ୍ ଚ୍ୟାନେଲ ଏଭଳି ଖବର ପ୍ରକାଶ କରିଛି, ମୁଁ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛି।

ସମ୍ବନ୍ଧିତ ଖବର