ଲଙ୍କା ଅଧିନାୟକ କରୁଣାରତ୍ନେ ଗିରଫ

କଲମ୍ବୋ: ନିଶାଶକ୍ତ ହୋଇ ଗାଡ଼ି ଚଳାଇବା ଅଭିଯୋଗରେ ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ କଲମ୍ବୋ ପୁଲିସ ଗିରଫ କରିଛି। ତେବେ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା। ରବିବାର ସକାଳ ୫ଟା ୪୦ରେ କଲମ୍ବୋର ‌ବୋରେଲା ଅଞ୍ଚଳରେ କରୁଣାରତ୍ନେ ନିଜ କାରକୁ ଏକ ଅଟୋରିକ୍ସା ପଛରେ ପିଟି ଦେଇଥିଲେ। ଏଥିରେ ଅଟୋରିକ୍ସାର ଚାଳକ ଗୁରୁତର ଆହତ ହୋଇଥିଲେ। ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଜାମିନ ପାଇଥି‌ଲେ ମଧ୍ୟ ଆସନ୍ତା ସପ୍ତାହରେ କରୁଣାରତ୍ନେଙ୍କୁ ଏଥିଲାଗି ଅଦାଲତରେ ହାଜର ହେବାକୁ ପଡ଼ିବ ବୋଲି ପୁଲିସ କହିଛି। ତା’ ସହିତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏଭଳି ସଙ୍କେତ ବୋର୍ଡ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜାରି କରିସାରିଛି। କରୁଣାରତ୍ନେଙ୍କ ନେତୃତ୍ବରେ ଗତ ଫେବ୍ରୁଆରି ମାସରେ  ଶ୍ରୀଲଙ୍କା ଦଳ ଦକ୍ଷିଣ ଆଫ୍ରିକାରେ ଐତିହାସିକ ଟେଷ୍ଟ ଶୃଙ୍ଖଳା ବିଜୟ ହାସଲ କରିଥିଲା। ସେ ମଧ୍ୟ ଇଂଲଣ୍ଡରେ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ରେ ଶ୍ରୀଲଙ୍କାର ନେତୃତ୍ବ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ଏହି ମାମଲା କିନ୍ତୁ କରୁଣାରତ୍ନେଙ୍କୁ ଅଡ଼ୁଆରେ ପକାଇପାରେ।

ସମ୍ବନ୍ଧିତ ଖବର